ଭୁବନେଶ୍ବର: ପାଞ୍ଚବର୍ଷର ବ୍ୟବଧାନ ପରେ ଫେରିଥିବା ହକି ଇଣ୍ଡିଆ ଲିଗ୍‌ର ଭବିଷ୍ୟତ ନେଇ ପୁଣି ଥରେ ଅନିଶ୍ଚିତତା ସୃଷ୍ଟି ହୋଇଛି। ଉଭୟ ପୁରୁଷ ଓ ମହିଳା ବର୍ଗର ବିଜେତା ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ ଓ ଓଡ଼ିଶା ୱାରିୟର୍ସ ‌ଏପର୍ଯ୍ୟନ୍ତ ଖେଳାଳି ଓ ସହକାରୀ ଅଧିକାରୀଙ୍କ ଦରମା ନେଇ ନାହାନ୍ତି। ଉଭୟ ସଂସ୍ଥା ‌ଭାରତୀୟଙ୍କ ସହ ବିଦେଶୀ ଖେଳାଳିଙ୍କ ପାଖାପାଖି ୩୦ ପ୍ରତିଶତ ବକେୟା ରଖିଥିବା ଜଣାପଡ଼ିଛି। ଏଣୁ ଏପ୍ରିଲ ୧୫ ସୁଦ୍ଧା ସମସ୍ତ ବକେୟା ଦରମା ଦେବାକୁ ହକି ଇଣ୍ଡିଆ ପକ୍ଷରୁ ଗତମାସରେ ସେମାନଙ୍କ ପାଖକୁ ଅନୁଷ୍ଠାନିକ ଇମେଲ ଦିଆଯାଇଥିଲା। ହେଲେ ଦୁଇଟି ଯାକ ଦଳ ଚୁକ୍ତି ମୁତାବକ ଏବେବି ଏହି ନିର୍ଦ୍ଦେଶକୁ ମାନି ନାହାନ୍ତି।  ଯାହା ଫଳରେ ଆଗାମୀ ଋତୁରେ ଲିଗ୍ ଆୟୋଜନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଲିଗ୍‌ରେ ଅଂଶଗ୍ରହଣ କରିଥିବା ଖେଳାଳି ଓ ସହକାରୀ ଅଧିକାରୀଙ୍କ କିଛି ଦରମା ଏବେବି ‌ବକେୟା ରହିଥିବା ହକି ଇଣ୍ଡିଆର ମହାସଚିବ ଭୋଳାନାଥ ସିଂହ ମାନିଛନ୍ତି। ତେବେ କୌଣସି ଖେଳାଳିଙ୍କଠାରୁ ଏଥିନେଇ ଆନୁଷ୍ଠାନିକ ଅଭିଯୋଗ ପାଇ ନଥିବା ସେ କହିଛନ୍ତି। ଦଳୀୟ ମାଲିକ ଓ ଖେଳାଳିଙ୍କ ସହ ଆଲୋଚନା କରି ଏହି ମାମଲାର ସମାଧାନ ଖୁବ୍‌ଶୀଘ୍ର କରାଯିବ ବୋଲି କିନ୍ତୁ ଆଶ୍ବାସନା ଦେଇଛନ୍ତି।

Advertisment

ସେପଟେ ବିଶାଖାପାଟଣାକୁ ଘରୋଇ ସହର କରିଥିବା ଓଡ଼ିଶା ଦଳ ‘ଟିମ୍ ଗୋନାସିକା’ ଲିଗ୍‌ରୁ ସଂପୂର୍ଣ୍ଣ ଓହରିଯିବା ଖବର ହକି ଇଣ୍ଡିଆକୁ ଘୋର ଚିନ୍ତାରେ ପକାଇଛି। ଟିମ୍ ଗୋନାସିକାର ମାଲିକ ତଥା ଓଡ଼ିଶାର ପ୍ରତିଷ୍ଠିତ ଖଣି ବ୍ୟବସାୟୀ ତାରିଣୀ ପ୍ରସାଦ ମହାନ୍ତି ମଧ୍ୟ ହକି ଇଣ୍ଡିଆ ଲିଗ୍‌ର ଆଗାମୀ ଋତୁ‌ରେ ଟିମ୍ ଗୋନାସିକା ଅଂଶଗ୍ରହଣ କରିବା ନାହିଁ ବୋଲି ‘ସମ୍ବାଦ’ ସହ କଥା ହେଲା ବେଳେ ସ୍ପଷ୍ଟ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ଏକ ପେସାଦାର ହକି ଦଳ ପରିଚାଳନା କରିବା‌ ସହଜ କଥା‌ ନୁହେଁ। ଏଥିଲାଗି ଅଭିଜ୍ଞତା ଓ ବିପୁଳ ଅର୍ଥର ଆବଶ୍ୟକତା ରହିଛି। ବଡ଼ବଡ଼ କଂପାନି ହିଁ ଏହାର ଭାର ସମ୍ଭାଳି ପାରିବେ। ଯଦିଓ ଆମକୁ କିଛି ପ୍ରାୟୋଜକ ମିଳିଥିଲେ। ତଥାପି ହାତରୁ ମୋଟା ଅଙ୍କ ଖର୍ଚ୍ଚ ହୋଇଥିଲା। ଏଣୁ ବାଧ୍ୟହୋଇ ଆମେ ହକି ଇଣ୍ଡିଆ ଲିଗ୍‌ରୁ ଓହରିଲୁ। ଆଗାମୀ ଋତୁରେ ଅନ୍ୟ କେହି ଏହି ଦଳ ନେଇ ପାରନ୍ତି କିମ୍ବା ନୂଆ ଦଳ ଗଠନ ହୋଇପାରେ। ସେମିତି ବି ଅନ୍ୟ ଏକ କଂପାନି ଓହରି ଯିବାକୁ ଆମେ ଶେଷ ମୁହୂର୍ତ୍ତରେ ଦଳ କିଣି ଥିଲୁ। ପ୍ରକାଶଯୋଗ୍ୟ ଯେ ମନପ୍ରୀତ ସିଂହଙ୍କ ନେତୃତ୍ବରେ ଖେଳିଥିବା ଟିମ୍ ଗୋନାସିକା ୮ଟି ଦଳ ମଧ୍ୟରୁ ନୈରାଶ୍ୟଜନକ ଭାବେ ସପ୍ତମ ସ୍ଥାନରେ ରହିଥିଲା। 

ଭୋଳାନାଥ କିନ୍ତୁ ଶ୍ରୀଯୁକ୍ତ ମହାନ୍ତିଙ୍କୁ ପ୍ରଶଂସା କରିଛନ୍ତି। ଟିମ୍ ଗୋନାସିକା ଖେଳାଳି ଓ ଅନ୍ୟାନ୍ୟ ଅଧିକାରୀଙ୍କ ସମସ୍ତ ପାଉଣା ଦେଇ ସାରିଛି। ଏଣୁ କାହିଁକି ଏହି ଦଳ ହଠାତ୍ ପରବର୍ତ୍ତୀ ଋତୁରୁ ଓହରିଗଲା, ସେକଥା ଆମକୁ ବିସ୍ମିତ କରିଛି। ଦଳ କିଣିବାକୁ ଆଗ୍ରହୀ ଥିବା କିଛି କଂପାନି ସହ ଆମେ ଆଲୋଚନା କରିଛୁ, ଆଗାମୀ କିଛି ଦିନ ଭିତରେ ନୂଆ ଦଳର ନାଁ ଘୋଷଣା କରାଯିବ ବୋଲି କହିଛନ୍ତି। ସେହିଭଳି ଖୁବ୍‌ଶୀଘ୍ର ବକେୟା ଅର୍ଥ ପ୍ରଦାନ କରାଯିବ ବୋଲି ବେଙ୍ଗଲ ଟାଇଗର୍ସ ଦଳର ମାଲିକ ରାହୁଲ ଟୋଡି କିନ୍ତୁ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶା ୱାରିୟର୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନି। 
ଲିଗ୍‌ର ଆର୍ଥିକ ସ୍ଥିତି ସେତେଟା ଭଲ ନଥିବା କିନ୍ତୁ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଦଳର ମାଲିକମାନେ ଖେଳାଳିଙ୍କ ପାଉଣା ଦେଇ ପାରୁ ନଥିଲା ବେଳେ ଅଗଷ୍ଟ ୩୧ ସୁଦ୍ଧା କିଭଳି ୭ରୁ ୧୦ କୋଟି ଟଙ୍କାର ରିଟେନର୍ ଫି’ ଦେବେ, ସେ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ ୨୦୧୭ରେ ହକି ଇଣ୍ଡିଆ ଲିଗ୍‌ ବନ୍ଦ ହେବାର କାରଣ ମଧ୍ୟ ଆର୍ଥିକ ବୋଝ ଥିଲା। ଏବେ ସେହି କାରଣରୁ ଲିଗ୍ ପୁଣି ଥରେ ସଂଘର୍ଷ କରିବା ପ୍ରଶଂସକଙ୍କୁ ବିସ୍ମିତ କରିଛି।