ପୋର୍ଟ ଅଫ୍ ସ୍ପେନ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସୀମିତ ଓଭର ଶୃଙ୍ଖଳା ଖେଳିବା ପାଇଁ ଶିଖର ଧାୱନ୍ଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍ ଦଳ ବୁଧବାର ତ୍ରିନିଦାଦ୍ରେ ପହଞ୍ଚିଯାଇଛି। ମଙ୍ଗଳବାର ରାତିରୁ ଲଣ୍ଡନ ଛାଡ଼ିଥିବା ପ୍ରମୁଖ ତାରକା ଭାବେ ଅଧିନାୟକ ଧାୱନ୍, ୟୁଝବେନ୍ଦ୍ର ଚହଲ, ଶ୍ରେୟସ ଆୟର, ଆୱେଶ ଖାନ୍, ଈଶାନ କିଶନ ଏବଂ ମହମ୍ମଦ ସିରାଜଙ୍କ ସହିତ ଅବଶିଷ୍ଟ ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ବାଗତ ଜଣାଯାଇଥିଲା।
‘‘ଆମେ ତ୍ରିନିଦାଦ୍ରେ’’ ବୋଲି ବିସିସିଆଇ ମଧ୍ୟ ଟ୍ବିଟ୍ କରିଥିଲା। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଏହି ଶୃଙ୍ଖଳା ମଧ୍ୟରେ ୩ଟି ଦିନିକିଆ ଏବଂ ୫ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବାର ସୂଚୀ ରହିଛି। ଆସନ୍ତା ଶୁକ୍ରବାରଠୁ ଦିନିକିଆ ଏବଂ ୨୯ ତାରିଖରୁ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯିବ। ଅଗଷ୍ଟ ୭ ତାରିଖରେ ଭାରତୀୟ ଦଳର ଗସ୍ତ ଶେଷ ହେବ। ଭାରତ ଉଭୟ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଦଳ ଘୋଷଣା କରିସାରିଥିଲା ବେଳେ ବରିଷ୍ଠ ଖେଳାଳି ବିରାଟ କୋହଲି, ଯଶ୍ପ୍ରୀତ୍ ବୁମ୍ରା ଉଭୟ ଦଳରୁ ବିଶ୍ରାମ ପାଇଛନ୍ତି। ଧାୱନ୍ ଦିନିକିଆ ଦଳର ନେତୃତ୍ବ ନେଉଥିଲା ବେଳେ ରୋହିତ ଶର୍ମା ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ନେତୃତ୍ବ ନେବେ। ତେବେ କେଏଲ୍ ରାହୁଲ ଏବଂ କୁଲ୍ଦୀପ ଯାଦବ ଟ୍ବେଣ୍ଟି-୨୦ ଦଳରେ ସାମିଲ ଥିଲେ ମଧ୍ୟ ସେମାନଙ୍କ ଫିଟ୍ନେସ୍ ଉପରେ ଖେଳିବା ନିର୍ଭର କରିବ।
ଅନ୍ୟପକ୍ଷରେ ଘରୋଇ ୱେଷ୍ଟଇଣ୍ଡିଜ୍ ଦିନିକିଆ ଦଳ ଘୋଷଣା କରିସାରିଥିଲା ବେଳେ ପୁରୁଖା ଅଲ୍ରାଉଣ୍ଡର ଜାସନ ହୋଲ୍ଡର ଦଳକୁ ଫେରିଛନ୍ତି। ଭାରତୀୟ ଦଳ ଶେଷଥର ପାଇଁ ୨୦୧୯ରେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଥିଲା। ସେହି ଗସ୍ତରେ ଉଭୟ ଦଳ ୨ ଟେଷ୍ଟ୍, ୩ ଦିନିକିଆ ଏବଂ ୩ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲେ। ଭାରତ ୨-୦ରେ ଟେଷ୍ଟ୍ ଶୃଙ୍ଖଳା, ୨-୦ରେ ଦିନିକିଆ ଏବଂ ୩-୦ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ପୋଛି ନେଇଥିଲା।
ଭାରତୀୟ ଦିନିକିଆ ଦଳ: ଶିଖର ଧାୱନ୍ (ଅଧିନାୟକ), ଋତୁରାଜ ଗାଏକ୍ବାଡ, ଶୁବମନ ଗିଲ୍, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଈଶାନ କିଶନ ଓ ସଞ୍ଜୁ ସାମ୍ସନ (ୱିକେଟ୍ରକ୍ଷକ), ରବୀନ୍ଦ୍ର ଜାଦେଜା (ଉପଅଧିନାୟକ), ଶାର୍ଦୁଳ ଠାକୁର, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆୱେଶ ଖାନ୍, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ।
ଭାରତୀୟ ଟ୍ବେଣ୍ଟି-୨୦ ଦଳ:ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, କେଏଲ୍ ରାହୁଲ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଦୀନେଶ କାର୍ତିକ, ଋଷଭ ପନ୍ତ୍ (ୱିକେଟ୍ରକ୍ଷକ), ହାର୍ଦିକ୍ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା (ଉପଅଧିନାୟକ), ଅକ୍ଷର ପଟେଲ, ରବିଚନ୍ଦ୍ରନ୍ ଅଶ୍ବିନ, ରବି ବିଷ୍ଣୋଇ, କୁଲ୍ଦୀପ ଯାଦବ, ଭୁବନେଶ୍ବର କୁମାର, ଆୱେଶ ଖାନ୍, ହର୍ଷଲ ପଟେଲ, ଅର୍ଶଦୀପ ସିଂହ।
ୱେଷ୍ଟଇଣ୍ଡିଜ ଦିନିକିଆ ଦଳ: ନିକୋଲାସ ପୂରନ (ଅଧିନାୟକ), ସାଇ ହୋପ୍ (ଉପଅଧିନାୟକ), ସାମରା ବ୍ରୁକ୍ସ, କିସି କାର୍ଟି, ଜାସନ ହୋଲ୍ଡର, ଅକିଲ ହୋସେନ, ଅଲ୍ଜେରି ଯୋସେଫ, ବ୍ରାଣ୍ଡନ କିଙ୍ଗ୍, କାଇଲ ମାୟର୍ସ, ଗୁଡାକେଶ ମୋତି, କିମୋ ପଲ୍, ରୋଭ୍ମାନ ପାୱେଲ, ଜୟଦେନ୍ ସିଲେସ୍।