କଲମ୍ବୋ: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାରେ ଜାରି ରହିଥିବା ଏସିଆ କପ୍-୨୦୨୪ରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଟିମ୍ ଇଣ୍ଡିଆ ଏସିଆ କପ୍ର ସେମିଫାଇନାଲରେ ପ୍ରବେଶ କରିଛି। ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ନେପାଳକୁ ୮୨ ରନ୍ରେ ପରାସ୍ତ କରି ଭାରତୀୟ ଦଳ ପ୍ରଥମେ ସେମିଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ପାକିସ୍ତାନ ଦଳ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛି। ପାକିସ୍ତାନ ୟୁଏଇକୁ ୧୦ ୱିକେଟରେ ପରାସ୍ତ କରି ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ଏବଂ ପାକିସ୍ତାନ ଗ୍ରୁପ୍-‘ଏ’ରେ ଅଛନ୍ତି।
ଅପରପକ୍ଷରେ ଗ୍ରୁପ୍-‘ବି’ରେ ସେମିଫାଇନାଲର ଅବଶିଷ୍ଟ ଦୁଇଟି ଦଳ ହେଉଛନ୍ତି ବାଂଲାଦେଶ ଏବଂ ଶ୍ରୀଲଙ୍କା। ବାଂଲାଦେଶ ମାଲେସିଆକୁ ୧୧୪ ରନ୍ରେ ପରାଜିତ କରି ସେମିଫାଇନାଲରେ ପହଞ୍ଚିଛି। ସେହିପରି ଶ୍ରୀଲଙ୍କା ଥାଇଲ୍ୟାଣ୍ଡ ମଧ୍ୟରେ ଏକ ମ୍ୟାଚ୍ ଚାଲିଛି। ତେବେ ଥାଇଲାଣ୍ଡ ଏହି ମ୍ୟାଚ ଜିତିଲେ ମଧ୍ୟ ଶ୍ରୀଲଙ୍କା ରନ୍ ରେଟ୍ ଅନୁସାରେ ଶୀର୍ଷରେ ଥିବାରୁ ସେମିଫାଇନାଲ ଖେଳିବା ନିଶ୍ଚିତ।
ଗ୍ରୁପ୍-‘ଏ’ର ଶୀର୍ଷରେ ଥିବା ଟିମ୍ ଇଣ୍ଡିଆ ସହିତ ଗ୍ରୁପ୍-‘ବି’ର ଦ୍ବିତୀୟ ସ୍ଥାନରେ ଥିବାର ବାଂଲାଦେଶ ମଧ୍ୟରେ ସେମିଫାଇନାଲ ହେବ। ଏହି ମ୍ୟାଚ୍ ଜୁଲାଇ ୨୬ରେ ଦାମ୍ବୁଲାରେ ଅପରାହ୍ନ ୪ଟାରେ ହେବ।
ସେହିପରି ଗ୍ରୁପ୍-‘ଏ’ର ଦ୍ବିତୀୟ ସ୍ଥାନରେ ଥିବା ପାକିସ୍ତାନ ସହିତ ଗ୍ରୁପ୍-‘ବି’ର ଶୀର୍ଷରେ ଥିବା ଶ୍ରୀଲଙ୍କା ସେମିଫାଇନାଲରେ ପରସ୍ପରକୁ ଦାମ୍ବୁଲାରେ ରାତି ସାଢ଼େ ୮ଟାରେ ଭେଟିବେ।