ହୋଟେଲରୁ ୪୨ କିମି ଦୂରରେ ଷ୍ଟାଡିୟମ, ଅଭ୍ୟାସ ବାତିଲ କଲା ଟିମ ଇଣ୍ଡିଆ

ସିଡନି :  ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ବକପରେ ବିଭିନ୍ନ ପ୍ରକାରର ପରିଚାଳନାଗତ ସମସ୍ୟା ଦେଖିବାକୁ ମିଳିଛି । କେଉଁଠାରେ ଖେଳାଳିଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବାବେଳେ ଆଉ କେଉଁଠି ହୋଟେଲଠାରୁ ଷ୍ଟାଡିୟମ ବହୁ ଦୂରରେ ରହିଲାଣି । ଏହାକୁ ନେଇ ଟିମ ଇଣ୍ଡିଆ ଅସନ୍ତୋଷ ପ୍ରକଟ କରିଛି ।

ଭାରତୀୟ ଦଳ ରହୁଥିବା ହୋଟେଲଠାରୁ ସିଡନି ଗ୍ରାଉଣ୍ଡ ୪୨ କିଲୋମିଟର ଦୂର ହୋଇଥିବାରୁ ଭାରତୀୟ ଦଳ ବୁଧବାର ହେବାକୁ ଥିବା ଅଭ୍ୟାସ ବାତିଲ କରିଛି । ଅଭ୍ୟାସ ପାଇଁ ଏତେ ବାଟ ନ ଯିବାକୁ ଭାରତୀୟ ଖେଳାଳିମାନେ ରାଜି ନ ହେବାରୁ ଅଭ୍ୟାସକୁ ବାତିଲ କରାଯାଇଥିଲା ।

ଗତ ମଙ୍ଗଳବାରଦିନ ଅଭ୍ୟାସ ସେସନ ପରେ ପରଶାଯାଇଥିବା ନିମ୍ନମାନର ଖାଦ୍ୟକୁ ନେଇ ଭାରତୀୟ ଦଳ ଅସନ୍ତୋଷ ପ୍ରକଟ କରିଥିଲା । କଠିନ ଅଭ୍ୟାସ ପରେ ଗରମ ଖାଦ୍ୟ ବଦଳରେ ଥଣ୍ଡା ସାଣ୍ଡଓ୍ବିଚ୍ ଦିଆଯିବାକୁ ନେଇ ଖେଳାଳିମାନେ ଅସନ୍ତୋଷ ପ୍ରକଟ କରିଥିଲେ ଓ ନ ଖାଇ ହୋଟେଲରେ ଖାଇଥିଲେ ।

ଭାରତୀୟ କ୍ରିକେଟ ଦଳର ସଦସ୍ୟମାନଙ୍କୁ ଖରାପ ଖାଦ୍ୟ ଦିଆଯିବା ପ୍ରସଙ୍ଗ ଆଇସିସି ନିକଟରେ ପହଞ୍ଚିଛି । ଭାରତୀୟ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ଏ ନେଇ ଅଭିଯୋଗ କରାଯିବା ପରେ ଆଇସିସି ପକ୍ଷରୁ କୁହାଯାଇଛି ଯେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରିଦିଆଯିବ ।

ସୂଚନାଯୋଗ୍ୟ ଯେ, ଦ୍ବିପାକ୍ଷିକ ସିରିଜରେ ଆୟୋଜକ ଦେଶ ହୋଟେଲ ଓ ଖାଦ୍ୟ ଆଦି ଆୟୋଜନ କରିଥାଏ । କିନ୍ତୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ଏସବୁ ଆୟୋଜନ ଆଇସିସି କରିଥାଏ ।

 

ସମ୍ବନ୍ଧିତ ଖବର