ଜିମ୍ବାଓ୍ବେଠାରେ ସ୍ବାଧୀନତା ଦିବସ ପାଳନ କଲା ଟିମ ଇଣ୍ଡିଆ

ହାରାରେ : ଜିମ୍ବାଓ୍ବେ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ହାରାରେଠାରେ ଜାତୀୟ ପତାକା ଉତ୍ତୋଳନ କରି ସ୍ବାଧୀନତା ଦିବସ ପାଳନ କରିଛି । ଭାରତୀୟ ଦଳ ରହୁଥିବା ହୋଟେଲଠାରେ ମୁଖ୍ୟ କୋଚ ଭି.ଭି.ଏସ ଲକ୍ଷ୍ମଣ, ଅଧିନାୟକ କେ.ଏଲ.ରାହୁଲ, ଉପ-ଅଧିନାୟକ ଶିଖର ଧଓ୍ବନ ଓ ଦଳର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା ।

ଏହି ସ୍ବାଧୀନତା ଦିବସ ପାଳନର ଏକ ଭିଡିଓ କେ.ଏଲ.ରାହୁଲ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବାବେଳେ ଶିଖର ଧଓ୍ବନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ସେୟାର କରିଛନ୍ତି ।  ଅନ୍ୟପକ୍ଷରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମୁମ୍ବାଇଠାରେ ନିଜ ଘରେ ପତାକା ଉତ୍ତୋଳନ କରିଛନ୍ତି ।

ଜିମ୍ବାଓ୍ବେ ଗସ୍ତରେ ଥିବା ଭାରତୀୟ ଦଳ ୧୮ରୁ ୨୨ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ ଖେଳିବ ।  ଏହି ୩ଟି ଯାକ ମ୍ୟାଚ ହାରାରେଠାରେ ଅନୁଷ୍ଠିତ ହେବ । ଏହା ପରେ ଭାରତୀୟ ଦଳ ଏସିଆ କପ ଖେଳିବାକୁ ୟୁଏଇ ଯିବ ।

ଗତ ସପ୍ତାହରେ କେ.ଏଲ. ରାହୁଲଙ୍କୁ ଜିମ୍ବାଓ୍ବେ ଗସ୍ତ ପାଇଁ ଅଧିନାୟକ ନିଯୁକ୍ତ କରାଯାଇଥିଲା । ତାଙ୍କୁ ବିସିସିଆଇର ମେଡିକାଲ ଟିମ ଫିଟ ଘୋଷଣା କରିବା ପରେ ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା । ପୂର୍ବରୁ ଶିଖର ଧଓ୍ବନଙ୍କୁ ଭାରତୀୟ ଦଳର ଅଧିନାୟକ ଘୋଷଣା କରାଯାଇଥିବାବେଳେ ଏବେ ତାଙ୍କୁ ଉପଅଧିନାୟକ କରାଯାଇଛି । ସେହିପରି ଭି.ଭି.ଏସ ଲକ୍ଷ୍ମଣଙ୍କୁ ଏହି ଗସ୍ତ ପାଇଁ ମୁଖ୍ୟ କୋଚ ନିଯୁକ୍ତ କରାଯାଇଛି ।

 

ସମ୍ବନ୍ଧିତ ଖବର