୨୦୧୯ କ୍ରିକେଟ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ, ଅଧିନାୟକ ପଦ ସମ୍ଭାଳିବେ ବିରାଟ କୋହଲି

ନୂଆଦିଲ୍ଲୀ : ଇଂଲଣ୍ଡରେ ହେବାକୁ ଥିବା ୨୦୧୯ ବିଶ୍ୱକପ୍‌ ପାଇଁ ମୋଟ ୧୫ଜଣିଆ ଭାରତୀୟ କ୍ରିକେଟ ଟିମ୍‌ ଘୋଷଣା କରିଛି ବିସିସିଆଇ । ବିରାଟ କୋହଲି ଅଧିନାୟକ ପଦ ବଜାୟ ରଖିଥିବା ବେଳେ ରୋହିତ୍‌ ଶର୍ମା ପୂର୍ବବତ ଉପଅଧିନାୟକ ପଦରେ ରହିଛନ୍ତି। ତେବେ ଋଷଭ ପନ୍ଥଙ୍କ ସ୍ଥାନ ନେଇଛନ୍ତି ଦିନେଶ କାର୍ତ୍ତିକ। ଅଜିଙ୍କ୍ୟ ରାହାଣେ ଓ ରବିଚନ୍ଦ୍ରନ୍‌ ଅଶ୍ୱୀନ୍‌ ମଧ୍ୟ ଦଳରୁ ବାଦ ପଡ଼ିଛନ୍ତି।

ବିସିସିଆଇର ଚୟନକର୍ତ୍ତାଙ୍କ ସହିତ ଅଧିନାୟକ କୋହଲି ଓ ଦଳର ମୁଖ୍ୟ କୋଛ ରବି ଶାସ୍ତ୍ରୀଙ୍କର ବୈଠକ ହେବା ପରେ ଭାରତୀୟ ଦଳକୂ ଚୂଡ଼ାନ୍ତ କରାଯାଇଛି। ଦିନେଶଙ୍କୁ ଦଳରେ ସାମିଲ କରିବା ନେଇ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ କହିଛନ୍ତି, ଯଦି ଦଳର ନିୟମିତ ଓ୍ଵିକେଟ କିପର ମହେନ୍ଦ୍ର ସିଂହ ଧୋନୀ ଆହତ ହୁଅନ୍ତି ତେବେ ତାଙ୍କ ବଦଳରେ କାର୍ତ୍ତିକ ଖେଳିବେ। ଅନ୍ୟପକ୍ଷରେ ଋଷଭ ପନ୍ଥ ଓ୍ଵିକେଟ କିପିଙ୍ଗରେ ତୁଳନାତ୍ମକ ଭାବେ ଦୁର୍ବଳ ହୋଇଥିବାରୁ ତାଙ୍କୁ ଦଳରେ ନିଆ ଯାଇନାହିଁ ବୋଲି କହିଛନ୍ତି ଚୟନକର୍ତ୍ତା।

ସେହିପରି ଦଳର ଚତୁର୍ଥ ସ୍ଥାନରେ କିଏ ଖେଳିବାକୁ ତିନି ଜଣ ବ୍ୟାଟ୍ସମ୍ୟାନଙ୍କ ନାମ ବିଚାରକୁ ନିଆଯାଇଥିଲା। ବିଜୟ ଶଙ୍କର ଓ ଅମ୍ବାତି ରାୟଡୁଙ୍କ ମଧ୍ୟରୁ ବିସିସିଆଇର ଚୟନକର୍ତ୍ତା ବିଜୟ ଶଙ୍କରଙ୍କୁ ଅଧିକ ଯୋଗ୍ୟ ମନେକରିବା ପରେ ତାଙ୍କୁ ଦଳରେ ସାମିଲ କରାଯାଇଛି।

ଅଧିନାୟକ ବିରାଟ କୋହଲି ଓ ଉପ-ଅଧିନାୟକ ରୋହିତ୍‌ ଶର୍ମାଙ୍କ ସହ ଦଳରେ ସାମିଲ ଅଛନ୍ତି ମହେନ୍ଦ୍ର ସିଂହ ଧୋନୀ, ଶିଖର ଧାଓ୍ଵନ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି, ଦିନେଶ କାର୍ତ୍ତିକ, କେଦାର ଯାଦବ,ବିଜୟ ଶଙ୍କର, କେ.ଏଲ୍‌ ରାହୁଲ, ଯୁଜୁବେନ୍ଦ୍ର ଚହଲ, କୁଲଦୀପ୍‌ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ୍‌ ବୁମରା ଏବଂ ରବୀନ୍ଦ୍ର ଜାଡେଜା ।

ସମ୍ବନ୍ଧିତ ଖବର