ସିଡ୍‌ନି: ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଭାରତୀୟ କ୍ରିକେଟ୍ ଦଳ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ଦିନିକିଆ ଶୃଙ୍ଖଳାରୁ ହିଁ ଅଭିଯାନ ଆରମ୍ଭ କରିବ। କୋହଲି ବାହିନୀ କିନ୍ତୁ ଏବେ ଟେଷ୍ଟ୍ ଅଭ୍ୟାସ ଉପରେ ଅଧିକ ଗୁରୁତ୍ବ ଦେଉଛି। ମଙ୍ଗଳବାର ସିଡ୍‌ନିରେ ଭାରତୀୟ ଖେଳାଳିମାନେ ଲମ୍ବା ଫର୍ମାଟ୍‌ ଲାଗି ଉଭୟ ଲାଲ୍ ଓ ‌ଗୋଲାପି ବଲ୍‌ରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ଆଜିର ଅଭ୍ୟାସ ଅଧିବେସନରେ ତିନିଟି ଯାକ ଦଳ (ଦିନିକିଆ, ଟ୍ବେଣ୍ଟି-୨୦ ଓ ଟେଷ୍ଟ୍)ରେ ସ୍ଥାନ ପାଇଥିବା ଭାରତୀୟ ଖେଳାଳିମାନେ ପୂର୍ଣ୍ଣ ମାତ୍ରାରେ ଅଂଶଗ୍ରହଣ କରିଥିଲେ। ମହମ୍ମଦ ସାମିଙ୍କ ଭଳି ବରିଷ୍ଠ ଦ୍ରୁତ ବୋଲରଙ୍କ ସହ ମହମ୍ମଦ ସିରାଜଙ୍କ ଭଳି ଯୁବ ତାରକା ଅଧିନାୟକ କୋହଲିଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବୋଲିଂ କରିଥିଲେ। ଯାହାର ଏକ ଭିଡିଓ କୋହଲି ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିଲେ। କୋହଲି ଅବଶ୍ୟ କେବଳ ଆଡି‌ଲେଡ୍‌ରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍ ଖେଳିବେ। ଦିବା-ରାତ୍ର ଭିତ୍ତିରେ ଖେଳାଯିବାକୁ ଥିବା ଏହି ଟେଷ୍ଟ୍ ପରେ ପ୍ରଥମ ସନ୍ତାନ ଜନ୍ମ ଲାଗି ଭାରତ ଫେରି ଆସିବେ ସେ। ତଥାପି କୋହଲିଙ୍କ ଏକାଗ୍ରତା ତି‌ଳେ ମାତ୍ର ଦୋହଲିଥିବା ଭଳି ମନେ ହେଉ ନଥିଲା।

Advertisment

ଭିଡିଓରେ ଭାରତୀୟ ଖେଳାଳିମାନେ ସିଡ୍‌ନି ପଡ଼ିଆରେ କେନ୍ଦ୍ରୀୟ ପିଚ୍‌କୁ ବ୍ୟବହାର କରିଥିଲେ। ନନ୍‌ଷ୍ଟ୍ରାଇକର ପଟେ ମଧ୍ୟ ଜଣେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଦେଖିବାକୁ ମିଳିଥିଲା। ଯାହା ପାରମ୍ପରିକ ନେଟ୍ ଅଭ୍ୟାସଠାରୁ ପୂରା ଭିନ୍ନ ଥିଲା। ନିକଟରେ ‌ସରିଥିବା ଆଇପିଏଲ୍ ପାଇଁ ଭାରତୀୟ ଖେଳାଳିମାନେ ପାଖାପାଖି ଦୁଇ ମାସ ଧରି ଧଳା ବଲ୍‌ରେ ଖେଳିଥିବାରୁ ଲାଲ୍ ଓ ଗୋଲାପି ବଲ୍‌ରେ ପୁଣି ଥରେ ଅଭ୍ୟସ୍ତ ହେବା ଲାଗି ଏଭଳି ଅଭ୍ୟାସ କରୁଥିବା ସ୍ପଷ୍ଟ ବାରି ହେଉଥିଲା। ସୀମିତ ଓଭର ଦଳର ଉପଅଧିନାୟକ କେଏଲ୍ ରାହୁଲ ଗୋଲାପି ବଲ୍‌ରେ ଢେର ସମୟ ଅଭ୍ୟାସ କରୁଥିବାରୁ ସେ ଟେଷ୍ଟ୍ ଦଳରେ ସାମିଲ ହେବାର ସଙ୍କେତ ମିଳିଛି। ବିସିସିଆଇ ପ୍ରକାଶ କରିଥିବା ଅନ୍ୟ ଏକ ଭିଡିଓରେ ସାମି ଅଦଳ ବଦଳ ଭାବେ ସିରାଜଙ୍କ ସହ ବଲ୍ ପକାଉଥିବା ଦେଖିବାକୁ ମିଳୁଛି। ୩୦ ବର୍ଷୀୟ ସାମି ଚଳିତ ବର୍ଷର ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପକ୍ଷରୁ ୧୪ ମ୍ୟାଚ୍ ଖେଳି ୨୦ ୱିକେଟ୍ କରାୟତ କରିଥିଲେ। ସେ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତର ସମସ୍ତ ତିନିଟି ଯାକ ଦଳରେ ସ୍ଥାନ ପାଇଛନ୍ତି। ଆସନ୍ତାମାସ ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ଶୃଙ୍ଖଳା ବେଳେ ଭାରତ ମଧ୍ୟ ତାଙ୍କ ଉପରେ ଅଧିକ ନିର୍ଭରଶୀଳ ରହିବ। ଅନ୍ୟପକ୍ଷରେ କେବଳ ଟେଷ୍ଟ୍ ଦଳରେ ଥିବା ୨୬ ବର୍ଷୀୟ ସିରାଜ ଭାରତ ପକ୍ଷରୁ ଗୋଟିଏ ଦିନିକିଆ ଏବଂ ତିନିଟି ଟ୍ବେଣ୍ଟି-୨୦ ବି ଖେଳିଛନ୍ତି। ଏଥରର ଆଇପିଏଲ୍‌ରେ ସେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ୯ ମ୍ୟାଚ୍ ଖେଳି ୧୧ ୱିକେଟ୍ ଅକ୍ତିଆର କରିଥିଲେ। ସୋମବାର ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ଅଷ୍ଟ୍ରେଲିଆର ଜୀବନ୍ତ ଓ ଗତି ପ୍ରଦାନକାରୀ ପିଚ୍ ପାଇଁ ଟେନିସ୍ ବଲ୍‌ରେ ଅଭ୍ୟାସ କରିଥିଲେ। ଯାହାର ଭିଡିଓ ବିସିସିଆଇ ନିଜ ଟ୍ବିଟର ପୃଷ୍ଠାରେ ବାଣ୍ଟିଥିଲା।

ସଂଗରୋଧରେ କୋହଲି କରୁଛନ୍ତି କ’ଣ
ସିଡ୍‌ନି: ୟୁଏଇରୁ ଆଇପିଏଲ୍‌ ଖେଳିସାରି ନିକଟରେ ଅଷ୍ଟ୍ରେଲିଆ ପହଞ୍ଚିଥିବା ଭାରତୀୟ ଦଳ ଆସନ୍ତା ୨୭ ତାରିଖରୁ ସୀମିତ ଓଭର ଶୃଙ୍ଖଳା ଖେଳିବ। ସଂପ୍ରତି ଅଷ୍ଟ୍ରେଲିଆରେ କରୋନା ମାମଲା ବୃଦ୍ଧ ପାଉଥିଲା ବେଳେ ଭାରତୀୟ ଦଳ ସଂଗରୋଧରେ ରହିଛନ୍ତି। ଏଭଳି ସମୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ନିଜକୁ ଭିନ୍ନ ଭା‌ବେ ବ୍ୟସ୍ତ ରଖୁଛନ୍ତି। କୋହଲି ସଂଗରୋଧ ଅବଧି ମଧ୍ୟରେ ପ୍ରଶିକ୍ଷଣ ସେସନ୍‌ ବାଦ୍‌ କ’ଣ କରୁଛନ୍ତି ତାହା ନିଜେ ଟ୍ବିଟରରେ ପୋଷ୍ଟ କରିଛନ୍ତି। ପ୍ରଶିକ୍ଷଣ ସେସନ୍‌ ବାଦ୍‌ କୋହଲି ଏକ ଇସ୍ତ୍ରୀ ହୋଇନଥିବା ଟି-ସାର୍ଟ ପିନ୍ଧି ନିଜ କୋଳରେ ଏକ ଲାପ୍‌ଟପ୍‌ ଧରି ବସିଥିବାର ଚିତ୍ର ପୋଷ୍ଟ କରିଛନ୍ତି। ସେଥିରେ ସେ କ୍ୟାପ୍‌ସନ୍‌ ଲେଖିଛନ୍ତି, ‘‘କ୍ବାରେଣ୍ଟାଇନ୍‌ ଡାଇରି। ଅଣଇସ୍ତ୍ରୀ ଟି-ସାର୍ଟ, ଆରାମଦାୟକ ବିଛଣା ଏବଂ ଏକ ବଢ଼ିଆ ଶୃଙ୍ଖଳା ଦେଖିବା’’।

ଅଷ୍ଟ୍ରେଲିଆ ଗସ୍ତରେ ଆସିଥିବା ଭାରତୀୟ ଦଳ ସିଡ୍‌ନିରେ ଜୈବ ବଳୟ ମଧ୍ୟରେ ପ୍ରଶିକ୍ଷଣ ଆରମ୍ଭ କରିସାରିଛି। କରୋନା ମହାମାରୀର ପ୍ରକୋପ ବିଶେଷକରି ଦକ୍ଷିଣ ଅଷ୍ଟ୍ରେଲିଆରେ ବଢ଼ି ଚାଲିଥିବା ସତ୍ତ୍ବେ ଗସ୍ତ ସୂଚୀ ଠିକ୍‌ଠାକ୍‌ ଭାବେ ଚାଲୁରହିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ କହିଛି।