ଆଇସିସି ନିଷ୍ପତ୍ତିକୁ ଅପେକ୍ଷା କରିଛି ଟିମ୍‌ ଇଣ୍ଡିଆ: ମୁମ୍ବାଇରେ ଅବସ୍ଥିତ ଖେଳାଳି ମେ’ ୨ରେ ଜୈବ ବଳୟରେ ସାମିଲ ହେବେ

ପ୍ରସିଦ୍ଧ କୃଷ୍ଣ ଓ ରିଦ୍ଧିମାନ ୨୪ରେ ଯୋଗଦେବେ, ସାଉଥମ୍ପଟନ୍‌ରେ ସଂଗରୋଧରେ ରହିବ ଭାରତୀୟ ଦଳ

ନୂଆଦିଲ୍ଲୀ: ଆସନ୍ତା ମାସ (ଜୁନ୍‌ ୧୮ରୁ ୨୨)ରେ ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଖେଳାଯିବ। ଏଥିପାଇଁ ଉଭୟ ଦଳ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତେବେ ଏହି ମ୍ୟାଚ୍‌ ଯଦି ଅମିମାଂସିତ ରହେ କିମ୍ବା ଟାଇ କିମ୍ବା କୌଣସି ବି ପରିସ୍ଥିତିରେ ଧୋଇଯାଏ ତାହାଲେ କ’ଣ ହେବ? ଏଭଳି ପ୍ରଶ୍ନ ଏବେ ଉଙ୍କି ମାରୁଥିଲା ବେଳେ ଖେଳିବା ଅବସ୍ଥା କିପରି ରହିବ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)ଠୁ ସ୍ପଷ୍ଟ ଉତ୍ତର ଶୁଣିବାକୁ ଅପେକ୍ଷା କରିଛି ଭାରତୀୟ ଦଳ। ଆଇସିସି ଖୁବ୍‌ ଶୀଘ୍ର ଏନେଇ ବିଜ୍ଞପ୍ତି ଜାରି କରିବାର ଆଶା ମଧ୍ୟ ରହିଛି।

ଯେହେତୁ ଡବ୍ଲୁଟିସି ଫାଇନାଲ୍‌ କୌଣସି ଦ୍ବିପାକ୍ଷିକ ଟେଷ୍ଟ୍‌ ଶୃଙ୍ଖଳା ନୁହେଁ, ସେଥିପାଇଁ ଆମେ ଖେଳିବା ଅବସ୍ଥା (ପ୍ଲେଇଂ କଣ୍ଡିସନ୍‌) ସଂପର୍କରେ ଜାଣିବାକୁ ବ୍ୟଗ୍ର। ବିଶେଷକରି ତିନିଟି ମୌଳିକ ଦିଗ ଉପରେ ଜାଣିବାକୁ ଚାହୁଁ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ଯଦି ମ୍ୟାଚ୍‌ ଅମୀମାଂସିତ ରହେ କିମ୍ବା ଟାଇ ରହେ ଏବଂ ଯଦି ଉଭୟ ଦଳର ଗୋଟିଏ ପାଳି ସଂପୂର୍ଣ୍ଣ ନହୋଇ ମ୍ୟାଚ୍‌ ଧୋଇଯାଏ ତାହାଲେ କ’ଣ ହେବ?‌ ବୋଲି ଅଧିକାରୀ ଜଣଙ୍କ ଜାଣିବାକୁ ଚାହିଁଛନ୍ତି। ଆଇସିସି ଏନେଇ ଆଗାମୀ ଦିନରେ ଜବାବ ରଖିବ। ହେଲେ ଆମେ ଏନେଇ କୌଣସି ନିର୍ଦିଷ୍ଟ ତାରିଖ ରଖିପାରିବୁନି। ମାତ୍ର ଖୁବ୍‌ ଶୀଘ୍ର ଜଣାଇବାର ବିଶ୍ବାସ ଥିବା ଆଇସିସି କହିଛି।

ସାଉଥମ୍ପଟନ୍‌ରେ ସଂଗରୋଧରେ ରହିବ ଭାରତୀୟ ଦଳ
ଭାରତୀୟ ଦଳ ଆସନ୍ତା ମାସରେ ଲଣ୍ଡନ ପହଞ୍ଚିବା ପରେ ତୁରନ୍ତ ସାଉଥମ୍ପଟନ୍‌ ଯାତ୍ରା କରିବ। ସେଠାରେ ଏଜ୍‌ ବାଉଲ୍‌ରେ ଚାଲିଥିବା ଇଂଲଣ୍ଡ-ନ୍ୟୁଜିଲାଣ୍ଡ୍‌ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ବେଳେ ସଂଗରୋଧରେ ରହିବ। ଏନେଇ ଆଇସିସି ମଧ୍ୟ ଦିନେ ଦୁଇ ଦିନ ମଧ୍ୟରେ କଠୋର ବା କୋହଳ ସଂଗରୋଧ ବ୍ୟବସ୍ଥା ନେଇ ଧାରଣା ଦେବ। ଯେହେତୁ ଏହା ଏକ ଆଇସିସି ପ୍ରତିଯୋଗିତା ଚୂଡାନ୍ତ ବିଜ୍ଞପ୍ତି ସେମାନଙ୍କଠୁ ଆସିବ ବୋଲି ଏହି ସୂତ୍ରରୁ କୁହାଯାଇଛି। କୋହଳ ସଂଗରୋଧ ରହିଲେ ଭାରତୀୟ ଦଳକୁ ଅଭ୍ୟାସ ସୁଯୋଗ ମିଳିପାରିବ।

ମୁମ୍ବାଇରେ ଅବସ୍ଥିତ ଖେଳାଳି ମେ’ ୨ରେ ଜୈବ ବଳୟରେ ସାମିଲ ହେବେ
ଭାରତୀୟ ଦଳ ମୁମ୍ବାଇରେ ଏକତ୍ରିତ ହେଉଛନ୍ତି। ମୟଙ୍କ ଅଗ୍ରୱାଲ, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ବୁଧବାର ଚେନ୍ନାଇରୁ ଚାର୍ଟର ବିମାନରେ ଆସି ମୁମ୍ବାଇ ପହଞ୍ଚିଥିଲା ବେଳେ ମହମ୍ମଦ ସିରାଜ, ପୁରୁଷ ଦଳର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର୍‌ ଶ୍ରୀଧର, ମହିଳା ଟେଷ୍ଟ୍‌ ଓ ଦିନିକିଆ ଅଧିନାୟକ ମିତାଲି ରାଜ ହାଇଦ୍ରାବାଦରୁ ମୁମ୍ବାଇ ଆସୁଛନ୍ତି। ତେବେ ମୁମ୍ବାଇ, ପୁନେ ଓ ଏହାର ଆଖାପାଖ ଅଞ୍ଚଳରେ ଅବସ୍ଥିତ ସମସ୍ତ ଖେଳାଳି ଆସନ୍ତା ୨୪ ତାରିଖରେ ଦଳର ଜୈବ ବଳୟରେ ଯୋଗ ଦେଇପାରିବେ। ଅଧିନାୟକ ବିରାଟ କୋହଲି, ଉପଅଧିନାୟକ ଆଜିଙ୍କ୍ୟ ରହାଣେ ଓ ରୋହିତ ଶର୍ମାଙ୍କ ସହିତ ମହିଳା ଦଳର ବ୍ୟାଟର୍‌ ଜେମିମା ରୋଦ୍ରିଗ୍ବେଜଙ୍କ ଭଳି ଅନ୍ୟମାନେ ଜୈବ ବଳୟରେ ପ୍ରବଶେ କରିପାରିବେ। ସେହିପରି ଅସ୍ତ୍ରୋପଚାର କରାଇବା ପରେ ସୁସ୍ଥ ହେଉଥିବା କେଏଲ୍‌ ରାହୁଲ ମଧ୍ୟ ୨୪ ତାରିଖରେ ଦଳୀୟ ଜୈବ ବଳୟରେ ଯୋଗଦେବାର ଆଶା ରହିଛି।

ବିସିସିଆଇ ଉଭୟ ପୁରୁଷ ଓ ମହିଳା କ୍ରିକେଟର୍‌ଙ୍କ ପାଇଁ ଦିଲ୍ଲୀ, ହାଇଦ୍ରାବାଦ ଓ ଚେନ୍ନାଇରୁ ତିନିଟି ଚାର୍ଟର ବିମାନର ବ୍ୟବସ୍ଥା କରିଛି। ଯେଉଁମାନେ ଏହି ତିନି ମେଟ୍ରୋ ସହରରେ ଉପଲବ୍‌ଧ ନାହାନ୍ତି ସେମାନେ ଘରୋଇ କାର୍‌ ଭଡ଼ାକୁ ନେଇ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ବିମାନ ଧରିବାକୁ କୁହାଯାଇଛି। ଉଭୟ ପୁରୁଷ ଓ ମହିଳା ଦଳର ପ୍ରତ୍ୟେକ ସଦସ୍ୟ ଭ୍ରମଣ କଟକଣା ନେଇ ପୂରା ଅବଗତ ଅଛନ୍ତି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବୁଧବାର ଏବଂ ପର ସୋମବାର ଯେଉଁ ଖେଳାଳିମାନେ ଜୈବ ବଳୟକୁ ପ୍ରବେଶ କରିବେ ସେମାନଙ୍କୁ ତିନିଟି ଆର୍‌ଟି-ପିସିଆର୍‌ ନେଗେଟିଭ୍‌ ରିପୋର୍ଟ ସାଙ୍ଗରେ ଆଣିବାକୁ ପଡ଼ିବ। ଏହାପରେ ଦିନେ ଛାଡ଼ି ଦିନେ ସମସ୍ତଙ୍କର ଆଉ ୩ ଥର ପରୀକ୍ଷା କରାଯିବ। ଫଳରେ ଲଣ୍ଡନ ଅଭିମୁଖେ ବିମାନ ଧରିବା ପୂର୍ବରୁ ପ୍ରତ୍ୟେକ ପୁରୁଷ ଓ ମହିଳା ସଦସ୍ୟଙ୍କ ପାଖରେ ୬ଟି ଆର୍‌ଟି-ପିସିଆର୍‌ ନେଗେଟିଭ୍‌ ରିପୋର୍ଟ ରହିଥିବା ବାଧ୍ୟତାମୂଳକ ବୋଲି କୁହାଯାଇଛି।

ପ୍ରସିଦ୍ଧ କୃଷ୍ଣ ଓ ରିଦ୍ଧିମାନ ୨୪ରେ ଯୋଗଦେବେ
ଭାରତୀୟ ଦଳରେ ଷ୍ଟାଣ୍ଡ୍‌ବାଇ ବୋଲର ପ୍ରସିଦ୍ଧ କୃଷ୍ଣ ଏବଂ ସଂରକ୍ଷିତ ୱିକେଟ୍‌ରକ୍ଷକ ରିଦ୍ଧମାନ ସାହା ଉଭୟେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଯାଇଛନ୍ତି। ହେଲେ ଉଭୟଙ୍କୁ କିଛି ଦିନ ଘରେ ବିଶ୍ରାମ ନେବାକୁ ବିସିସିଆଇ ଅନୁମତି ଦେଇଛି। ଫଳରେ ସାମାନ୍ୟ ବିଳମ୍ବରେ ସେମାନଙ୍କୁ ଦଳ ସହ ଯୋଗଦେବାକୁ କୁହାଯାଇଛି। ଉଭୟେ ସମ୍ଭବତଃ ଆସନ୍ତା ୨୪ ତାରିଖରେ ଦଳ ସହ ଯୋଗ ଦେଇପାରନ୍ତି ବୋଲି ଆଶା କରାଯାଉଛି। ଯଦି ପ୍ରସିଦ୍ଧ କୃଷ୍ଣ ଫିଟ୍‌ ନହୁଅନ୍ତି, ତାହାଲେ ଜାତୀୟ ଚୟନକର୍ତା ମନ୍‌ଦୀପ ସିଂହଙ୍କୁ ତାଙ୍କ ବିକଳ୍ପ ରଖିପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସେହିପରି ରିଦ୍ଧିମାନଙ୍କ ସ୍ଥାନରେ ଆନ୍ଧ୍ରର ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ କେଏସ୍ ଭରତଙ୍କୁ ମଧ୍ୟ ସଂରକ୍ଷିତ ରଖାଯାଇଛି।

 

ସମ୍ବନ୍ଧିତ ଖବର