ଅତ୍ୟଧିକ ପରୀକ୍ଷା-ନିରୀକ୍ଷା ଯୋଗୁଁ ହାରୁଛି କି ଟିମ୍ ଇଣ୍ଡିଆ ?

ଭୁବନେଶ୍ବର : ଏସିଆ କପର ସୁପର-୪ ପର୍ଯ୍ୟାୟରେ ଭାରତୀୟ କ୍ରିକେଟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ଏହା ଦଳର କୋଚ୍ ରାହୁଲ ଦ୍ରାବିଡ଼, ଖେଳାଳି ଓ ଚୟନକର୍ତ୍ତାଙ୍କ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି ।

ବିଶେଷକରି ଅତ୍ୟଧିକ ପରୀକ୍ଷା-ନିରୀକ୍ଷା ଦଳ ଉପରେ ଭାରି ପଡ଼ୁଥିବା ବିଶେଷଜ୍ଞମାନେ କହୁଛନ୍ତି । ରାହୁଲ ଦ୍ରାବିଡ଼ ମୁଖ୍ୟ କୋଚ ହେବା ପରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି । ୨୦୨୨ରେ ଏପର୍ଯ୍ୟନ୍ତ ୭ ଜଣ ଖେଳାଳି ବିଭିନ୍ନ ଫର୍ମାଟରେ ଅଧିନାୟକ ହୋଇସାରିଲେଣି । ବାରମ୍ବାର ଅଧିନାୟକ ବଦଳାଇବା ଦ୍ବାରା ଦଳ ସବୁ ବେଳେ ଅସ୍ଥିର ରହୁଛି । କିଏ କେତେବେଳେ କେଉଁ ଭୂମିକାରେ ରହୁଛି ତାହା ସବୁବେଳେ ଅନିଶ୍ଚିତ ରହୁଛି ।

ଆଉ ଏକ ତ୍ରୁଟି ହେଉଛି ଫର୍ମରେ ନଥିବା କିଛି ଖେଳାଳିଙ୍କୁ ବାରମ୍ବାର ସୁଯୋଗ ଦିଆଯାଉଛି । ଉଦାହରଣସ୍ବରୂପ ଓପନର କେଏଲ ରାହୁଲ ଗତ ଆଇପିଏଲଠାରୁ ଲଗାତାର ଫର୍ମରେ ନାହାନ୍ତି । ଅନ୍ୟପକ୍ଷରେ ଶୁଭମନ ଗିଲ, ସଂଜୁ ସାମସନ ଆଦି ଖେଳାଳି ଫର୍ମରେ ଥିଲେ ବି ସେମାନଙ୍କୁ ସୁଯୋଗ ମିଳୁନାହିଁ ।

ଏସିଆ କପର ସୁପର-୪ ମ୍ୟାଚରେ ଇନ-ଫର୍ମ ତଥା ଅଭିଜ୍ଞ ଦିନେଶ କାର୍ତ୍ତିକଙ୍କୁ ସାମିଲ କରାଯାଇନଥିଲା । ତାଙ୍କ ବଦଳରେ ଋଷଭ ପନ୍ତଙ୍କୁ ଖେଳାଯାଇଥିଲା । ପନ୍ତ ଉଭୟ ବ୍ୟାଟିଂ ଓ କିପିଂରେ ଲଗାତାର ବିଫଳ ହୋଇଚାଲିଛନ୍ତି ।

ସେହିପରି ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତୀୟ ସ୍ପିନର ରବି ବିଷ୍ଣୋଇ ଭଲ ପ୍ରଦର୍ଶନ କରିଥିଲେ ବି ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ତାଙ୍କୁ ଖେଳାଯାଇନଥିଲା । ତାଙ୍କ ବଦଳରେ ରବିଚନ୍ଦ୍ରନ ଅଶ୍ବୀନଙ୍କୁ ଖେଳାଯାଇଥିଲା ।

ତେବେ ଚଳିତ ଏସିଆ କପରେ ଭାରତ ପାଇଁ ଶୁଭ ସୂଚନା ହେଉଛି ବିରାଟ କୋହଲି ଧୀରେ ଧୀରେ ଫର୍ମକୁ ଫେରୁଛନ୍ତି । ଆଗାମୀ ବିଶ୍ବକପ ପୂର୍ବରୁ ଏହା ଭାରତୀୟ ଦଳ ପାଇଁ ଏକ ଭଲ ଖବର ।

ସମ୍ବନ୍ଧିତ ଖବର