ମାତ୍ର ୨ ମିନିଟ୍‌ରେ ଗାଧୋଇବାକୁ ଭାରତୀୟ ଖେଳାଳିଙ୍କୁ କୁହାଗଲା, କାହିଁକି ଜାଣନ୍ତୁ …

କେପଟାଉନ (ଦକ୍ଷିଣ ଆଫ୍ରିକା): ଦକ୍ଷିଣ ଆଫ୍ରିକାଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଆସନ୍ତା କାଲିଠାରୁ କେପଟାଉନଠାରେ ନିଜର ପ୍ରଥମ ଟେଷ୍ଟ ଖେଳିବ । ଭାରତୀୟ ଦଳ ପଡ଼ିଆରେ ଦୂର୍ଦ୍ଦଷ ଦକ୍ଷିଣ ଆଫ୍ରିକା ବୋଲରଙ୍କ ସାମନା କରିବାକୁ ଯାଉଛି । ଏହାକୁ ନେଇ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଚିନ୍ତା ରହିଥିବ । ତେବେ ଆଉ ଏକ କାରଣକୁ ନେଇ ଭାରତୀୟ ଦଳର ଚିନ୍ତା ରହିଛି । ତାହା ହେଉଛି କେପଟାଉନରେ ପାଣି ବ୍ୟବହାରକୁ ନେଇ ଜାରି ହୋଇଥିବା କଠୋର କଟକଣା । ଏପରିକି ଭାରତୀୟ ଖେଳାଳିମାନଙ୍କୁ ମଧ୍ୟ ୨ ମିନିଟରେ ଗାଧୋଇବାକୁ କୁହାଯାଇଛି ।


କଥା ହେଉଛି, ଗତ ୩ ବର୍ଷ ଧରି କେପ୍‌ଟାଉନରେ ଭଲ ବର୍ଷା ହୋଇନାହିଁ । ଫଳରେ ପ୍ରବଳ ଜଣାଭାବ ଦେଖାଯାଇଛି । ଏପରିକି ଆଗାମୀ ମଇ ମାସ ବେଳକୁ ସହରର ସବୁ ଜଳ ପ୍ରାୟତଃ ଶେଷ ହୋଇଯାଇଥିବ । ଏହାକୁ ଡେ-ଜିରୋ ବୋଲି କୁହାଯାଉଛି, ଅର୍ଥାତ୍‌ ଯେଉଁଦିନ ସହରର ଅଧିକାଂଶ ପାଣି ଟ୍ୟାପ୍‌ ଅଚଳ ହୋଇଯିବ ଓ ୪୦ ଲକ୍ଷ ଜନ ସଂଖ୍ୟା ବିଶିଷ୍ଟ ଏହି ସହରର ଲୋକମାନଙ୍କୁ ବିଭିନ୍ନ ଜଳ ବିତରଣ କେନ୍ଦ୍ରରେ ଲାଇନ ଲଗାଇବାକୁ ପଡ଼ିବ । ଏପରି ଏକ ଚରମ ଦିନ ଯେପରି ନ ଆସେ, ସେଥିପାଇଁ ସହରବାସୀଙ୍କୁ କମ ପାଣି ଖର୍ଚ୍ଚ କରିବାକୁ କଟକଣା ଜାରି କରାଯାଇଛି । ଏପରିକି ସହରକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ମଧ୍ୟ ଏହି ନିୟମ ମାନିବାକୁ କୁହାଯାଉଛି ।
ଅନ୍ୟାନ୍ୟ କଟକଣା ସ୍ୱରୂପ, କାର ଧୋଇବାକୁ, ଫୁଲ ବଗିଚାରେ ପାଣି ମଡ଼ାଇବାକୁ, ସ୍ୱିମିଂ ପୁଲରେ ପାଣି ରଖିବାକୁ ମନା କରାଯାଇଛି ।

ସମ୍ବନ୍ଧିତ ଖବର