ଆଗକୁ ଟେଷ୍ଟ ସିରିଜ୍; ନ୍ୟୁଜିଲାଣ୍ଡରେ ବୁଲାବୁଲି କରି ନିଜକୁ ଚାପମୁକ୍ତ କରୁଛନ୍ତି ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ପ୍ରଥମେ ଟି-୨୦ ସିରିଜକୁ ମୂଳପୋଛ କରି ଇତିହାସ ରଚିବା ପରେ ଦିନିକିଆ ସିରିଜକୁ ୦-୩ରେ  ହାରିଥିବା ଟିମ୍ ଇଣ୍ଡିଆ ଏବେ ଟେଷ୍ଟ ସିରିଜ ଲାଗି ନିଜକୁ ପ୍ରସ୍ତୁତ କରୁଛି।  ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଟିମ୍ ଏବେ ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ କରି ମନକୁ ହାଲକା କରୁଛି । ୦-୩ରେ ଦିନିକିଆ ସିରିଜ ପରାଜୟ ପରେ ଚାପରେ ରହିଥିବା କୋହଲି ବାହିନୀକୁ ଚାପମୁକ୍ତ  କରିବା ଲାଗି ଟିମ୍ ପରିଚାଳନା ହାତରେ ଥିବା ସମୟକୁ ଉପଭୋଗ କରିବା ଲାଗି ଛାଡ଼ି ଦେଇଛି। ଫେବ୍ରୁଆରୀ ୨୧ରୁ  ଆରମ୍ଭ ହେବ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ । ଏହି ସିରିଜ ଆଗରୁ ଦଳର ଖେଳାଳିଙ୍କୁ ପରାଜୟର ଚାପରୁ ବାହାରକୁ ଆଣିବାକୁ ଉଦ୍ୟମ କରିଛି ଟିମ ମ୍ୟାନେଜମେଷ୍ଟ । ଦିନିକିଆ ସିରିଜ ପରାଜୟ ପରେ କିଛି ଖେଳାଳି ଭାରତ ପ୍ରତ୍ୟାବର୍ତନ କରିଛନ୍ତି ଓ ଟେଷ୍ଟ ସିରିଜ ପାଇଁ କିଛି ଖେଳାଳି ଦଳରେ ସାମିଲ ହୋଇଛନ୍ତି ।

ବର୍ତମାନ ଟେଷ୍ଟ ସିରିଜ ପାଇଁ ରହିଥିବା ସମ୍ଭାବ୍ୟ ଦଳ ସହିତ କ୍ୟାପଟେନ୍ କୋହଲି ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବା ସହ ଏହାର ମଜା ନେଉଛନ୍ତି । କୋହଲିଙ୍କ ସହିତ ଦୀର୍ଘ ସମୟ ପରେ ଟେଷ୍ଟ ଦଳକୁ ଫେରିଥିବା ରବି ଚନ୍ଦ୍ରନ ଅଶ୍ୱିନ୍ , ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ସ, ଯଶପ୍ରୀତ ବୁମରା, ଚେତେଶ୍ୱର ପୂଜାରା, ରିଷଭ ପନ୍ତ, ରିଦ୍ଦିମାନ ଶାହା, ମହମ୍ମଦ ସାମି ପ୍ରଭୃତି ଖେଳାଳି ବୁଲୁଥିବାର ସେଲଫିରୁ ନଜରକୁ ଆସିଛି । ଲାଗୁଛି ନ୍ୟୁଜିଲାଣ୍ଡରେ ଦିନିକିଆ ସିରିଜ ପରାଜୟର ଦୁଃଖ ଭୁଲିବାକୁ ଏପରି ଭ୍ରମଣ ବାଟ ଆପଣାଇଛି ଟିମଇଣ୍ଡିଆ ।

ଭାରତୀୟ ଟେଷ୍ଟ ଦଳ: ବିରାଟ ‌କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, ଶୁବମନ ଗିଲ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପଅଧିନାୟକ), ହନୁମା ବିହାରୀ, ଋଦ୍ଧିମାନ ଶାହ (ୱିକେଟ୍ ରକ୍ଷକ), ଋଷବ ପନ୍ତ (ୱିକେଟ୍ ରକ୍ଷକ), ରବିଚନ୍ଦ୍ରନ୍‌ ଅଶ୍ବିନ, ରବୀନ୍ଦ୍ର ଜାଦେଜା, ଯଶପ୍ରୀତ ବୁମ୍‌ରା, ଉମେଶ ଯାଦବ, ମହମ୍ମଦ ସାମି, ନଭଦୀପ ସୈନି, ଈଶାନ୍ତ ଶର୍ମା (ସର୍ତ୍ତମୂଳକ)।

ସମ୍ବନ୍ଧିତ ଖବର