ଇଂଲଣ୍ଡରେ ବିଜୟ ମାଲ୍ୟାଙ୍କୁ ଭେଟିବାକୁ ମନା କଲା ଟିମ୍‌ ଇଣ୍ଡିଆ

ଲଣ୍ଡନ: ପଳାତକ ବ୍ୟବସାୟୀ ବିଜୟ ମଲ୍ୟାଙ୍କୁ ନିରାଶ କରିଛିି ଟିମ୍‌ ଇଣ୍ଡିଆ। ୯୦୦୦କୋଟି ଟଙ୍କା ଠକେଇ ମାମଲାରେ ଭାରତରୁ ପଳାଇ ଲଣ୍ଡନରେ ଅଛନ୍ତି ମାଲ୍ୟା। ବର୍ତ୍ତମାନ୍‌ ଟିମ୍‌-ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ରହିଛି। ଏହି ଦୃଷ୍ଟିରୁ ଅତୀତରେ ଆଇପିଏଲ୍‌ ଟିମ୍‌ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ମାଲିକ ଥିବା ମାଲ୍ୟା ଟିମ୍‌ -ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଓ ଭାରତୀୟ ଟିମ୍‌ର ଅନ୍ୟ ସଦସ୍ୟଙ୍କୁ ଭେଟିବାକୁ ଚାହିଁଥିଲେ। କୋହଲି ବେଙ୍ଗାଲୁରୁ ଟିମ୍‌ର କ୍ୟାପ୍‌ଟେନ୍‌ ଥିବା ହେତୁ ତାଙ୍କର ମାଲ୍ୟାଙ୍କ ସହିତ ବ୍ୟକ୍ତିଗତ ସଂପର୍କ ଥିଲା। ଏହି ସବୁ ଦୃଷ୍ଟିରୁ ବିଜୟ ମାଲ୍ୟା ଇଂଲଣ୍ଡ ଗସ୍ତରେ ଥିବା ଟିମ୍‌ -ଇଣ୍ଡିଆ ସହ ସୌଜନ୍ୟମୂଳକ ସାକ୍ଷାତ ଲାଗି ଇଚ୍ଛା ପ୍ରକାଶ କରିଥିଲେ। ମାତ୍ର ଟିମ୍‌-ଇଣ୍ଡିଆର ପରିଚାଳନା ଏହାକୁ ଗ୍ରହଣ କରିନାହାନ୍ତି। ଯେହେତୁ ବିଜୟ ମାଲ୍ୟା ଠକେଇ ମାମଲାରେ ଜଡ଼ିତ ହୋଇ ଭାରତୀୟ ବ୍ୟାଙ୍କ ଓ ସରକାରୀ ସଂସ୍ଥା ବିରୋଧରେ ମୋକଦ୍ଦମା ଲଢୁଛନ୍ତି ଏବଂ ଇଣ୍ଟରପୋଲ ତାଙ୍କ ନାମରେ ରେଡ କନ୍ନର ନୋଟିସ୍‌ ଜାରି କରିଛି, ତେଣୁ ଅଯଥାରେ ତାଙ୍କୁ ଭେଟି ବିବାଦ ଭିତରକୁ ଆସିବାକୁ ଚାହିଁନାହିଁ ଟିମ୍‌ -ଇଣ୍ଡିଆ।

କୌତୁହଳର ବିଷୟ ହେଲା, ଭାରତୀୟ କ୍ରିକେଟ୍‌ ଦଳର ଅଫିସିଆଲ୍‌ ହାଣ୍ଡେଲ୍‌ ଇନଷ୍ଟାଗ୍ରାମରେ ଗତ ସପ୍ତାହରେ ଏକ ଫଟୋ ପୋଷ୍ଟ କରିଛି, ଯେଉଁଥିରେ ବିରାଟ କୋହଲି ବିଜୟ ମାଲ୍ୟାଙ୍କ ଭଳି ଦିଶୁଥିବା ଜଣେ ବ୍ୟକ୍ତିଙ୍କ କାନ୍ଧରେ ହାତ ଦେଇ ଛିଡା ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋ ପୋଷ୍ଟ ହେବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି। ବିନୟ କୁମାର ନାମକ ଜଣେ ବ୍ୟକ୍ତି ଏହାକୁ ଟୁଇଟରରେ ସେୟାର କରିଥିଲେ।

ସମ୍ବନ୍ଧିତ ଖବର