ଏଣିକି ଘରୋଇ ମାଟିରେ ସିରିଜ୍ ଖେଳିବା ବେଳେ ଟିମ୍ ଇଣ୍ଡିଆ ‘ବିଜିନେସ୍’ ଶ୍ରେଣୀରେ କରିବ ବିମାନ ଯାତ୍ରା
ନୂଆଦିଲ୍ଲୀ: ଏଣିକି ଭାରତୀୟ କ୍ରିକେଟ୍ ଦଳର ଖେଳାଳିମାନେ ଯେତେବେଳେ ବି ଦେଶ ଭିତରେ ବା ଘରୋଇ ମାଟିରେ ଆୟୋଜିତ ହେଉଥିବା କୌଣସି ସିରିଜ୍ରେ ଖେଳିବା ପାଇଁ ବିମାନରେ ଯାତ୍ରା କରିବେ; ସେତେବେଳେ ସେମାନେ ଆଉ ‘ଇକୋନୋମି’ ଶ୍ରେଣୀରେ ଯାତ୍ରା ନ କରି ‘ବିଜିନେସ୍’ ଶ୍ରେଣୀରେ ଯାତ୍ରା କରି ପାରିବେ। ସୋମବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏକ ବୈଠକରେ ଖେଳାଳିମାନଙ୍କ ସପକ୍ଷରେ ଏ ପ୍ରକାର ନିଷ୍ପତ୍ତି ନିଆ ଯାଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଦେଶ ଭିତରେ ଆୟୋଜିତ ହେଉଥିବା ସିରିଜ୍ରେ ଭାରତୀୟ କ୍ରିକେଟ୍ ଦଳର ଖେଳାଳିମାନେ ଯେତେବେଳେ ବିମାନ ଯାତ୍ରା କରୁଥିଲେ, ସେତେବେଳେ କେବଳ ମାତ୍ର କ୍ୟାପ୍ଟେନ୍ ଓ କୋଚ୍ଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ଖେଳାଳିଙ୍କୁ କେବଳ ମାତ୍ର ‘ଇକୋନୋମି’ ଶ୍ରେଣୀରେ ଯାତ୍ରା କରିବା ପାଇଁ ବ୍ୟବସ୍ଥା ରହିଥିଲା।

ତେବେ, ଖେଳାଳିମାନଙ୍କ ‘ଇକୋନୋମି’ ଶ୍ରେଣୀରେ ଯାତ୍ରା କାଳରେ ସେମାନଙ୍କୁ ଅନେକ ପ୍ରକାର ଅସୁବିଧାର ସାମନା କରିବାକୁ ପଡ଼ୁଥିବା କିଛି ଖେଳାଳି ଅଭିଯୋଗ କରିଥିଲେ। ‘ଇକୋନୋମି’ ଶ୍ରେଣୀରେ ଯାତ୍ରା କାଳରେ ଅନ୍ୟ ସହଯାତ୍ରୀମାନେ ସେମାନଙ୍କ ସହ ସେଲ୍ଫି ନେବା ପାଇଁ ସେମାନଙ୍କୁ ଅସୁବିଧାରେ ପକାଉଥିବା ଓ ‘ଇକୋନୋମି’ ଶ୍ରେଣୀରେ ଯାତ୍ରାକାଳରେ ଗୋଡ଼ ଠିକ୍ ଭାବେ ରଖିବା ପାଇଁ ପର୍ଯ୍ୟାପ୍ତ ଜାଗା ମିଳୁ ନଥିବା ସେମାନେ ଦର୍ଶାଇଥିଲେ।
ଖେଳାଳିମାନଙ୍କ ଏହି ଅସୁବିଧାକୁ ହୃଦୟଙ୍ଗମ କରି ବିସିସିଆଇର କାର୍ଯ୍ୟକାରୀ ସଭାପତି ସି.କେ.ଖାନ୍ନା ନିକଟରେ ଆୟୋଜିତ ଏକ ବୈଠକରେ ବିସିସିଆଇର ପରିଚାଳନା ପାଇଁ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିଯୁକ୍ତ ‘କମିଟି ଅଫ୍ ଆଡ୍ମିନିଷ୍ଟ୍ରେଟରସ୍’ଙ୍କୁ ଖେଳାଳିମାନଙ୍କୁ ଦେଶ ଭିତରେ ବିମାନ ଯାତ୍ରା କାଳରେ ‘ଇକୋନମି’ ପରିବର୍ତ୍ତେ ‘ବିଜିନେସ୍’ ଶ୍ରେଣୀରେ ଯାତ୍ରା କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରି ଏକ ପ୍ରସ୍ତାବ ଦେଇଥିଲେ। ବିସିସିଆଇର କାର୍ଯ୍ୟକାରୀ ସଭାପତିଙ୍କ ପକ୍ଷରୁ ଆଗତ ଏହି ପ୍ରସ୍ତାବକୁ ସ୍ୱୀକୃତି ଦେଇ ଆଜି ‘କମିଟି ଅଫ୍ ଆଡ୍ମିନିଷ୍ଟ୍ରେଟରସ୍’ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଏଣିକି ଘରୋଇ ସିରିଜ୍ ଖେଳିବା ବେଳେ ମଧ୍ୟ ‘ବିଜିନେସ୍’ ଶ୍ରେଣୀରେ ଯାତ୍ରା କରିପାରିବେ ବୋଲି ଅନୁମତି ପ୍ରଦାନ କରିଛନ୍ତି।