ଦ୍ବିତୀୟ ଟେଷ୍ଟ୍ ପାଇଁ ଟିମ୍ ଇଣ୍ଡିଆର ଲଣ୍ଡନ ଯାତ୍ରା; ନଟିଂହାମରେ ସଙ୍ଗରୋଧ ରହିଲେ ପୃଥ୍ବୀ, ସୂର୍ଯ୍ୟ

ଦ୍ବିତୀୟ ଟେଷ୍ଟ୍‌ରେ ଏହି ଦୁଇ ଯୁବ ତାରକା ଖେଳିବାର ଆଶା ନାହିଁ, ଲର୍ଡସ ଟେଷ୍ଟ୍ ଦେଖିବାକୁ ଯିବେ ବିସିସିଆଇ ସଭାପତି ଗାଙ୍ଗୁଲି

ଲଣ୍ଡନ: ପ୍ରଥମ ଟେଷ୍ଟ୍‌ର ବିଜୟ ସୁଯୋଗକୁ ବର୍ଷା ଧୋଇ ନେବା ପରେ ଐତିହାସିକ ଲର୍ଡସ ପଡ଼ିଆରେ ଗୁରୁବାରଠାରୁ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ପାଇଁ ମଙ୍ଗଳବାର ଭାରତୀୟ ଦଳ ନଟିଂହାମରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଛି। ସ୍ବତନ୍ତ୍ର ଡାକରା ପାଇ ଶୁବମନ ଗିଲ୍‌ଙ୍କ ବଦଳ ଖେଳାଳି ଭାବେ ଲଣ୍ଡନ ଯାଇଥିବା ପୃଥ୍ବୀ ସ’ ଓ ସୂର୍ଯ୍ୟକୁମାର ଯାଦବଙ୍କ ଛଡ଼ା ଦଳର ଅନ୍ୟ ସମସ୍ତ ଖେଳାଳି ସଂଧ୍ୟାସୁଦ୍ଧା ସେଠାରେ ପହଞ୍ଚି ସାରିଥିବା ଜଣାପଡ଼ିଛି। ଦଳର ସବୁ ଖେଳାଳିଙ୍କ କରୋନା ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି। ସୂର୍ଯ୍ୟ ଓ ସ’ ନଟିଂହାମରେ ହିଁ ସଙ୍ଗରୋଧ ଅଛନ୍ତି। ସେମାନଙ୍କ ସଙ୍ଗରୋଧ ଅବଧି ଶନିବାର ଶେଷ ହେବ। ଏଣୁ ୧୨ ତାରିଖରୁ ଆରମ୍ଭ ହେଉଥିବା ଦ୍ବିତୀୟ ଟେଷ୍ଟ୍‌ରେ ଏହି ଦୁଇ ଯୁବ ତାରକା ଖେଳିବାର ସମ୍ଭାବନା ପ୍ରାୟ ନାହିଁ। ସେମାନେ ଲିଡ୍ସରେ ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ୍ ପାଇଁ ହିଁ ଉପଲବ୍ଧ ହୋଇପାରିବେ। ଦ୍ବିତୀୟ ଏବଂ ତୃତୀୟ ଟେଷ୍ଟ୍ ଭିତରେ ୯ ଦିନର ବ୍ୟବଧାନ ରହୁଥିବାରୁ ଉଭୟ ତୃତୀୟ ଟେଷ୍ଟ୍ ପାଇଁ ଭଲ ପ୍ରସ୍ତୁତି କରି ପାରିବେ।

ଇଂଲଣ୍ଡ ସରକାର ନିଜ ଦେଶକୁ ଭାରତୀୟଙ୍କ ବିମାନ ଯାତ୍ରା ଉପରେ ଲାଗୁ କରିଥିବା କଟକଣାକୁ କୋହଳ କରିଥିବାରୁ ବିସିସିଆଇ ସଭାପତି ତଥା ଭାରତୀୟ କ୍ରି‌‌କେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଙ୍ଗଳବାର ଲଣ୍ଡନ ଅଭିମୁଖେ ଯାତ୍ରା କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଗାଙ୍ଗୁଲି ଲର୍ଡସ ଟେଷ୍ଟ୍‌ରେ ଖେଳାଳିଙ୍କ ପ୍ରଦର୍ଶନକୁ ନିଜ ଆଖିରେ ଦେଖିବା ଲାଗି ସେଠାରେ ଉପସ୍ଥିତ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ସମୟରେ ବିସିସିଆଇ ସଂପାଦକ ଜୟ ଶାହ, ଉପସଭାପତି ରାଜୀବ ଶୁକ୍ଳା ଓ କୋଷାଧ୍ୟକ୍ଷ ଅରୁଣ ଧୁମଲ ଲଣ୍ଡନ ଯାଇ ଭାରତର ମ୍ୟାଚ୍ ଦେଖିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଲଣ୍ଡନ ସରକାର ପୂର୍ବରୁ ଭାରତକୁ ଲାଲ ତାଲିକାଭୁକ୍ତ କରିଥିଲେ। ସେଥିପାଇଁ ଏହି ଦେଶରେ ପ୍ରବେଶ କରିବା ପରେ ଭାରତୀୟଙ୍କୁ ୧୦ ଦିନର କଠିନ ସଙ୍ଗରୋଧରେ ରହିବାକୁ ପଡ଼ୁଥିଲା। ଏବେ ଏହି ତାଲିକା ‘ଅମ୍ବର’କୁ ପରିବର୍ତ୍ତିତ ହୋଇଛି। ଯାହା ଫଳରେ ଦୁଇଟି କରୋନା ଟିକା ନେଇଥିବା ଭାରତୀୟଙ୍କୁ ଆଉ ସଙ୍ଗରୋଧରେ ରହିବାକୁ ପଡ଼ୁନି।

ଓପନିଂ ଦ୍ବନ୍ଦ୍ବକୁ ଦୂର କଲେ ରାହୁଲ

ନଟିଂହାମ: ଗତ ସପ୍ତାହ ପର୍ଯ୍ୟନ୍ତ ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ନିଜ ଟେଷ୍ଟ୍ ଜୀବନକୁ ନେଇ ଦୋଛକିରେ ଥିଲେ। ତାଙ୍କ ଓପନିଂ ଦକ୍ଷତାକୁ ନେଇ ଥିବା ସନ୍ଦେହ କ୍ରମଶଃ ଘନେଇବାରେ ଲାଗିଥିଲା। ହେଲେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ ଆରମ୍ଭ ହେବାର ମାତ୍ର ଦୁଇ ଦିନ ପୂର୍ବରୁ ମୟଙ୍କ ଅଗ୍ରୱାଲଙ୍କ ମୁଣ୍ଡରେ ଆଘାତ ଲାଗିବା ତାଙ୍କ ପାଇଁ ଭାରତୀୟ ଦଳକୁ ଫେରିବାର ବାଟ ଫିଟାଇ ଦେଇଥିଲା। ପେସ୍ ଏବଂ ସୁଇଂକୁ ସୁହାଉଥିବା ନଟିଂହାମ ପିଚ୍‌ରେ ଉଚ୍ଚ ଗୁଣମାନର ଇଂଲିସ୍ ବୋଲିଂ ବାହିନୀର ସାହସର ସହ ମୁକାବିଲା‌ କରି ପ୍ରଥମ ପାଳିରେ ସେ ୨୧୪ ବଲ୍‌ରୁ ୮୪ ରନ୍‌ର ମହତ୍ବପୂର୍ଣ୍ଣ ପାଳି ଖେଳିଥିଲେ। ଦ୍ବିତୀୟ ପାଳିରେ ମଧ୍ୟ ସେ ଲଢ଼ୁଆ ୨୬ ରନ୍ କରିଥିଲେ।

ଯାହାକୁ କ୍ରିକେଟ୍ ପଣ୍ଡିତ ବେଶ୍ ପ୍ରଶଂସା କରିଥିଲେ। ଏବେ ରାହୁଲଙ୍କୁ ପୁଣି ଥରେ ଭାରତର ଅନ୍ୟତମ ଓପନିଂ ବିକଳ୍ପ ଭାବେ ଦେଖା ଯାଉଛି। ଯାହା ତାଙ୍କ ଖେଳ ଜୀବନରେ ଆଉ ଏକ ମହତ୍ବପୂର୍ଣ୍ଣ ମୋଡ଼ ଆଣିବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ୨୦୧୮ ଇଂଲଣ୍ଡ ଗସ୍ତରେ ରାହୁଲ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଥିଲେ। ସେଥିପାଇଁ ତାଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ‌ଟେଷ୍ଟ୍ କ୍ରିକେଟ୍ ଖେଳିବାର ସୁଯୋଗ ମିଳି ନଥିଲା। ଏବେ କିନ୍ତୁ ସେ ପୁଣି ଥରେ ଭାରତୀୟ ଦଳର ଅନ୍ୟତମ ପ୍ରମୁଖ ତାରକାର ମାନ୍ୟତା ପାଇବା ଆରମ୍ଭ କରିଛନ୍ତି। ୨୯ ବର୍ଷୀୟ ରାହୁଲ ଏଥିନେଇ କହିଛନ୍ତି ଯେ ଗତଥର ମୁଁ ଯେତେବେଳେ ଇଂଲଣ୍ଡରେ ଥିଲି, ଟେଷ୍ଟ୍ କ୍ରିକେଟ୍‌ରେ ଆଶାଜନକ ରନ୍ କରି ପାରି ନଥିଲି। ହେଲେ ସେହି ବିଫଳତାରୁ ମୁଁ ଅନେକ କିଛି ଶିଖିଥିଲି। ଏଥର ଭଲ ପ୍ରଦର୍ଶନ କରିବାର ଆଶା ନେଇ ଏଠାକୁ ଆ‌ସିଥିଲି।

ସମ୍ବନ୍ଧିତ ଖବର