ପ୍ରାକ୍ଟିସ୍‌ ପରେ ଅରୁଚିକର ଖାଦ୍ୟ ପରିବେଷଣ ଯୋଗୁଁ ଅସନ୍ତୋଷ ବ୍ୟକ୍ତ କଲା ଟିମ୍‌ ଇଣ୍ଡିଆ: ରିପୋର୍ଟ

ନୂଆଦିଲ୍ଲୀ: ସିଡ୍‌ନିରେ ‘ପ୍ରାକ୍ଟିସ୍‌ ମ୍ୟାଚ୍‌’ ପରେ ପରିବେଷଣ କରାଯାଇଥିବା ଭୋଜନ ଟିମ୍‌ ଇଣ୍ଡିଆ ପାଇଁ ତୃପ୍ତିକର ନ ଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।

‘ପ୍ରାକ୍ଟିସ୍‌ ସେସନ୍‌’ ବା ଅଭ୍ୟାସ ମ୍ୟାଚ୍‌ ପରେ ଭାରତୀୟ ଖେଳାଳିମାନଙ୍କୁ ଉ‌ଷୁମ ଖାଦ୍ୟ ପରିବେଷଣ କରାଯାଇ ନ ଥିବା କଥା ‘ବିସିସିଆଇ’ସୂତ୍ରରୁ ଉଦ୍ଧାର କରି ‘ଏଏନ୍‌ଆଇ’ କହିଛି। ରି‌ପୋର୍ଟରେ ଉଲ୍ଲେଖ ଅଛି କି, ପ୍ରାକ୍ଟିସ୍‌ ପରର ଭୋଜନରେ ବରାଦିଆ ‘ସ୍ୟାଣ୍ଡ୍‌ୱିଚ୍‌’ ଅନ୍ତର୍ଭୁକ୍ତ କରାଯାଇଥିଲା।

‘ଏଏନ୍‌ଆଇ’କୁ ‘ବିସିସିଆଇ’ କହିଛି, ଟିମ୍‌ ଇଣ୍ଡିଆକୁ ପରିବେଷଣ କରାଯାଇଥିବା ଭୋଜନ ଭଲ ନ ଥିଲା। ସେମାନେଙ୍କୁ ଖାଲି ‘ସ୍ୟାଣ୍ଡ୍‌ୱିଚ୍‌’ ଦିଆଯାଇଥିଲା। ‘ଆଇସିସି’କୁ ମଧ୍ୟ ସେମାନେ କହିଛନ୍ତି ‌କି, ସିଡ୍‌ନିରେ ‘ପ୍ରାକ୍ଟିସ୍‌ ସେସନ୍‌’ ପରେ ପରିବେଷଣ କରାଯାଇଥିବା ଶୀତଳ ଭୋଜନ ରୁଚିକର ହୋଇ ନ ଥିଲା।

Image Courtesy of NDTV

ଉଲ୍ଲେଖଯୋଗ୍ୟ, ‘ଟି୨୦ ବିଶ୍ବକପ୍‌ ୨୦୨୨’ରେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ କ୍ରିକେଟ୍‌ କାଉନ୍‌ସିଲ୍‌’ (ଆଇସିସି) ଭୋଜନ ପରିବେଷଣ କରୁଛି। କିନ୍ତୁ, ମଧ୍ୟାହ୍ନ ଭୋଜନ ପରେ ଆଉ ଉଷୁମ ଖାଦ୍ୟ ପରିବେଷଣ କରୁନାହିଁ। କିନ୍ତୁ, ଦ୍ବିପାକ୍ଷିକ ସିରିଜ୍‌ରେ ଆୟୋଜକ ସଂଘ ହିଁ ଭୋଜନ ପରିବେଷଣ ଦାୟିତ୍ବରେ ଥାଏ।

ସୂଚନାଯୋଗ୍ୟ, ରହୁଥିବା ‘ଟିମ୍‌ ହୋଟେଲ୍‌’ରୁ ପ୍ରାୟ ୪୫ ମିନିଟ୍‌ ଦୂର ସିଡ୍‌ନି ଉପନଗରୀ ବ୍ଲାକ୍‌ଟାଉନ୍‌ରେ ‘ପ୍ରାକ୍ଟିସ୍‌’ ପାଇଁ ଜାଗା ଦିଆଯିବାରୁ ଟିମ୍‌ ଇଣ୍ଡିଆ ‘ପ୍ରାକ୍ଟିସ୍‌ ସେସନ୍‌’ରେ ମଧ୍ୟ ଅଂଶ ଗ୍ରହଣ କରୁନାହିଁ ବୋଲି ‘ବିସିସିଆଇ’ କହିଛି।

ସୂଚନାଯୋଗ୍ୟ, ଅକ୍ଟୋବର ୨୭ ତାରିଖରେ ପ୍ରଖ୍ୟାତ ‘ସିଡ୍‌ନି କ୍ରିକେଟ୍‌ ଗ୍ରାଉଣ୍ଡ୍‌’ରେ ଭାରତ ଓ ନେଦର୍‌ଲାଣ୍ଡ୍‌ ମଧ୍ୟରେ ଖେଳ ହେବ।

ସମ୍ବନ୍ଧିତ ଖବର