ସେଣ୍ଟ୍ କିଟ୍ସ: ଚଳିତ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ଶେଷ ଦୁଇ ଟ୍ବେଣ୍ଟି-୨୦ ଆମେରିକାରେ ଖେଳାଯିବାର ସୂଚୀ ରହିଥିଲା। ଫ୍ଲୋରିଡାର ଲଡରହିଲ୍ରେ ଏହି ଶୃଙ୍ଖଳାର ଚତୁର୍ଥ ଓ ପଞ୍ଚମ ମ୍ୟାଚ୍ ଆସନ୍ତା ଶନିବାର ଓ ରବିବାର ଖେଳାଯିବ। ତେବେ ସେଣ୍ଟ୍ କିଟ୍ସରେ ତୃତୀୟ ମ୍ୟାଚ୍ ମଙ୍ଗଳବାର ଖେଳାଯାଇଥିଲା ବେଳେ ଉଭୟ ଦଳ ଭିସା ସମସ୍ୟାକୁ ନେଇ ଆମେରିକା ଅଭିମୁଖେ ଯାତ୍ରା କରିପାରିନଥିଲା। ବିଶେଷକରି ଉଭୟ ଦଳର ଅଧିକାଂଶ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କ ଆମେରିକା ଯାତ୍ରା ପାଇଁ ମଞ୍ଜୁରି ମିଳିପାରିନଥିଲା। ସେମାନଙ୍କ ଭିସା ଅନୁମୋଦନ ହୋଇନଥିବାରୁ ଆୟୋଜକ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ଅଡୁଆରେ ପଡ଼ିଯାଇଥିଲା। ଏଭଳି ସଂଶୟ ମଧ୍ୟରେ ଗୋଟିଏ ଦିନ ବିତି ଯାଇଥିଲା। ଫଳରେ ଦୁଇ ଦଳର ଅଧିକାଂଶ ସଦସ୍ୟ ବାରବୀୟ ରାଷ୍ଟ୍ର ଛାଡ଼ିପାରିନଥିଲେ। ଏପରିକି ଗଏନାର ଜର୍ଜଟାଉନ୍ସ୍ଥିତ ଆମେରିକୀୟ ଦୂତାବାସ ପକ୍ଷରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍ଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା।
ସେଠାରେ ଭାରତୀୟ ଦଳର ପ୍ରାୟ ୧୪ ଜଣ ସଦସ୍ୟଙ୍କର ଆମେରିକା ଯାତ୍ରା ଅନୁମତି ନଥିବା ଜଣାପଡ଼ିଥିଲା। ତେବେ ଗଏନା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପରେ ଶେଷକ୍ଷଣରେ ଭିସା ଅଡୁଆ ତୁଟିଛି। ଗଏନା ରାଷ୍ଟ୍ରପତି ଇର୍ଫାନ୍ ଅଲ୍ଲୀ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାରୁ ସେଠା ସରକାର ଉଭୟ ଦଳର ଭିସା ମଞ୍ଜୁର କରି ସେମାନଙ୍କୁ ଆମେରିକା ଯାତ୍ରା ପାଇଁ ଅନୁମୋଦନ ଦେଇଛନ୍ତି। ଏଥିପାଇଁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡର ସଭାପତି ରିକି ସ୍କେରିଟ୍ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭିସା ମଞ୍ଜୁର ପରେ ଗୋଟିଏ ଦିନ ବିଳମ୍ବ ହୋଇଥିଲେ ମଧ୍ୟ ଗୁରୁବାର ସଂଧ୍ୟାରେ ଉଭୟ ଦଳ ଆମେରିକା ଅଭିମୁଖେ ଯାତ୍ରା କରିଛନ୍ତି। ଏହା ପୂର୍ବରୁ ଭିସା ପାଇଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରୁ ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ୍ ଅଶ୍ବିନ, ଦୀନେଶ କାର୍ତିକ, ରବି ବିଷ୍ଣୋଇ, ସୂର୍ଯ୍ୟକୁମାର ଯାଦବ ଏବଂ କୁଲ୍ଦୀପ ଯାଦବ ମିଆମିରେ ପହଞ୍ଚି ସାରିଥିଲା ବେଳେ ଆଜି ରାତିରେ ଅନ୍ୟାନ୍ୟ ଦଳୀୟସାଥୀ ସେମାନଙ୍କ ସହ ଯୋଗଦେବେ ବୋଲି ଜଣାପଡ଼ିଛି। ସମସ୍ତଙ୍କ ଭିସା ମଞ୍ଜୁର ହୋଇସାରିଥିଲେ ମଧ୍ୟ ଗୁରୁବାର ଅପରାହ୍ନ ସୁଦ୍ଧା କାହାରିକୁ ପାସ୍ପୋର୍ଟ ପେରସ୍ତ ଦିଆଯାଇନଥିବାରୁ ଅଟକି ରହିଛନ୍ତି। ହେଲେ ଏହି ଖେଳାଳିମାନେ ଗୁରୁବାର ସଂଧ୍ୟାରେ ବିମାନ ଧରିବାର ସମ୍ଭାବନା ରହିଛି। ଜର୍ଜଟାଉନ୍ରୁ ମିଆମି ବିମାନ ଯାତ୍ରା ୫ ଘଣ୍ଟା ଲାଗିବ। ଏହାପରେ ମିଆମିରୁ ଫ୍ଲୋରିଡା ଅଭିମୁଖେ ଯାତ୍ରା କରିବେ। ଉଭୟ ଦଳର କିଛି ସଦସ୍ୟ ମଧ୍ୟ ଇତି ମଧ୍ୟରେ ଫ୍ଲୋରିଡାରେ ପହଞ୍ଚି ସାରିଥିବା କୁହାଯାଇଛି।
୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍!
ଲୌସାନ୍: କ୍ରିକେଟପ୍ରେମୀଙ୍କ ପାଇଁ ବଡ଼ ଖୁସି ଖବର। ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହେବାର ସମ୍ଭାବନା ଦେଖା ଦେଇଛି। କ୍ରିକେଟ୍ ସହିତ ୯ଟି ଖେଳକୁ ଅଲିମ୍ପିକ୍ସ ଆନ୍ଦୋଳନରେ ସାମିଲ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି) ବିଚାର କରୁଛି। ଆଇଓସି ପକ୍ଷରୁ ୨୦୨୮ ସଂସ୍କରଣ ପାଇଁ ଖେଳ ତାଲିକାକୁ ସଂକ୍ଷିପ୍ତ କରିବା ପରେ ଏଭଳି ଆଶା ଦେଖାଦେଇଛି। ୧୯୦୦ ପ୍ୟାରିସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଥରେ ମାତ୍ର ସାମିଲ ହୋଇଥିବା ବେଳେ କେବଳ ଗ୍ରେଟ୍ ବ୍ରିଟେନ୍ ଓ ଫ୍ରାନ୍ସ ଅଂଶଗ୍ରହଣ କରିଥିଲେ। ଲସ୍ ଏଞ୍ଜେଲ୍ସ ୨୦୨୮ ଏବଂ ଆଇଓସି ପକ୍ଷରୁ ଏ ସମ୍ପର୍କରେ ଆଇସିସିକୁ କ୍ରିକେଟ୍କୁ ଉପସ୍ଥାପନ କରିବାକୁ ଅନୁରୋଧ କରାଯାଇଛି। ତେବେ ଚୂଡାନ୍ତ ନିଷ୍ପତ୍ତି ୨୦୨୩ ମସିହା ମଧ୍ୟଭାଗରେ ମୁମ୍ବାଇରେ ହେବାକୁ ଥିବା ଆଇଓସିର ବୈଠକରେ ଅନୁମୋଦନ ପାଇବାର ଆବଶ୍ୟକତା ରହିଛି। କ୍ରିକେଟ୍ ଛଡ଼ା ଅନ୍ୟ ଯେଉଁ ୮ ଖେଳ ସଂକ୍ଷିପ୍ତ ତାଲିକାରେ ସାମିଲ ହୋଇଛନ୍ତି ସେଗୁଡିକ ହେଲା-ବେସ୍ବଲ/ସଫ୍ଟବଲ୍, ଫ୍ଲାଗ ଫୁଟ୍ବଲ୍, ଲାକ୍ରୋସ୍, ବ୍ରେକ୍ ଡ୍ୟାନସିଂ, କରାଟେ, କିକ୍ ବକ୍ସିଂ, ସ୍କ୍ବାଶ୍ ଏବଂ ମୋଟୋରସ୍ପୋର୍ଟ। ଚଳିତ ବର୍ଷ ଫେବ୍ରୁଆରିରେ ଆଇଓସି ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ମୋଟ ୨୮ଟି ଖେଳକୁ ଅନୁମୋଦିତ କରି ସାରିଛି। ଅଲିମ୍ପିକ୍ସରେ ସାମିଲ ପାଇଁ ପ୍ରତିଟି ନୂଆ ଖେଳ ପାଇଁ କିଛି ସର୍ତ୍ତ ପୂରଣର ଆବଶ୍ୟକତା ରହିଛି। ଯୁବ ଗୋଷ୍ଠୀଙ୍କ ଆକର୍ଷଣ, ସ୍ବାସ୍ଥ୍ୟ ଓ ସୁରକ୍ଷା, ଲିଙ୍ଗଗତ ସମାନତା, ସ୍ବଚ୍ଛତା, ଆୟୋଜକ ଦେଶର ଆଗ୍ରହ ଏବଂ ଦୀର୍ଘମିଆଦୀ ସ୍ଥିରତା ଆଦି ଉପରେ ସର୍ତ୍ତପୂରଣ କରୁଥିବା ଖେଳକୁ ଗୁରୁତ୍ବ ମିଳିଥାଏ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଟ୍ବେଣ୍ଟି-୨୦ କ୍ରିକେଟ୍ ଖେଳାଯାଉଥିଲେ ମଧ୍ୟ ୮ଟି ଦେଶକୁ ନେଇ କେବଳ ମହିଳା ପ୍ରତିଯୋଗିତା ହେଉଛି। ଅଲିମ୍ପିକ୍ସ ପାଇଁ କିନ୍ତୁ ଉଭୟ ପୁରୁଷ ଓ ମହିଳା ଦଳର ଅଂଶଗ୍ରହଣର ଆବଶ୍ୟକତା ରହିଛି।