ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍କୁ ହରାଇବାର ମାତ୍ର ୨୪ ଘଣ୍ଟା ପରେ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ଭାରତୀୟ କ୍ରିକେଟ୍ ଦଳ ବୁଧବାର ପର୍ଥ ଅଭିମୁଖେ ଯାତ୍ରା କରିଛି। ଏହା ପୂର୍ବରୁ ପାଖାପାଖି ୪ ମାସ ପରେ ଜାତୀୟ ଦଳକୁ ଫେରିଥିବା ଦୁଇ ଭେଟେରାନ୍ ତଥା ମହାନ ତାରକା ରୋହିତ ଶର୍ମାଙ୍କୁ ତାଙ୍କ ହୋଟେଲ ରୁମ୍କୁ ଯାଇ ନୂଆ ଅଧିନାୟକ ଶୁବମନ୍ ଗିଲ୍ ତାଙ୍କୁ ଆବେଗଭରା ସ୍ବାଗତ କରିଛନ୍ତି। ରୋହିତଙ୍କୁ ଗିଲ୍ ଖୁସିରେ କୁଣ୍ଡାଇ ପକାଇଥିଲା ବେଳେ ରୋହିତ ମଧ୍ୟ ତାଙ୍କୁ ପାଖରେ ପାଇ ବେଶ୍ ଖୁସି ଥିଲା ଭଳି ଲାଗୁଥିଲେ। ଏହା ପରେ କୋହଲିଙ୍କ ସହ ଟିମ୍ ବସ୍ରେ କରମର୍ଦ୍ଦନ କରି ତାଙ୍କୁ ମଧ୍ୟ ଦଳ ଭିତରକୁ ଗିଲ୍ ପୁନର୍ବାର ସ୍ବାଗତ କରିଥିଲେ। ରୋହିତ ଓ କୋହଲି ମଧ୍ୟ ବସ୍ ଭିତରେ ପରସ୍ପରକୁ ଅଭିବାଦନ ଜଣାଇଥିଲେ। ପୂର୍ବାହ୍ଣରେ ରୋହିତ, କୋହଲି, ଅଧିନାୟକ ଗିଲ୍, ଓପନର୍ ଯଶସ୍ବୀ ଜୟସ୍ବାଲ, ଅଲ୍ଆଉଣ୍ଡର୍ ନୀତୀଶ କୁମାର ରେଡ୍ଡୀ, ଦ୍ରୁତ ବୋଲର ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହ କିଛି ସପୋର୍ଟ ଷ୍ଟାଫ୍ ଯାଇଥିଲା ବେଳେ ସଂଧ୍ୟାରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସହ ଅବଶିଷ୍ଟ ଖେଳାଳିମାନେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି। ଭାରତୀୟ ଖେଳାଳିମାନେ ସ୍ଥାନୀୟ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର ଭିତରକୁ ପ୍ରବେଶ କଲା ବେଳେ ପ୍ରଶଂସକମାନେ ସେମାନଙ୍କୁ ହାତ ହଲାଇ ଶୁଭ ଯାତ୍ରା ବୋଲି କହିଥିଲେ। ନିଜ ପ୍ରିୟ ତାରକାଙ୍କ ଟିକିଏ ଝଲକ ପାଇଁ ସେମାନଙ୍କ ମଧ୍ୟରେ ଯେମିତି ପ୍ରତିଦ୍ବନ୍ଦ୍ବିତା ଲାଗି ରହିଥିଲା। ସୂଚନାଯୋଗ୍ୟ ଯେ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା ୧୯ ତାରିଖରୁ ପର୍ଥରେ ଆରମ୍ଭ ହେବ। ଏହା ପରେ ଦ୍ବିତୀୟ ଦିନିକିଆ ୨୩ ତାରିଖରେ ଆଡିଲେଡ୍ ଏବଂ ତୃତୀୟ ତଥା ଶେଷ ଦିନିକିଆ ୨୫ ତାରିଖରେ ସିଡ୍ନିଠାରେ ଖେଳାଯିବ। ଏହା ପରେ ଉଭୟ ଦଳ ପରସ୍ପର ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବେ।
କରମର୍ଦ୍ଦନ ବିବାଦ ନେଇ ଚିଡ଼ାଇଲେ ଅଷ୍ଟ୍ରେଲିଆ ଖେଳାଳି
ଲମ୍ବା ସୀମିତ ଓଭର ଶୃଙ୍ଖଳା ପୂର୍ବରୁ ଅଷ୍ଟ୍ରେଲିଆ ଖେଳାଳିମାନେ ଭ୍ରମଣକାରୀ ଭାରତୀୟ ଦଳ ଉପରେ ମନସ୍ତାତ୍ତ୍ବିକ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଏଥିନେଇ ସେମାନେ ଭାରତୀୟ ଖେଳାଳି ଏସିଆ କପ୍ରେ ପାକିସ୍ତାନୀ ଖେଳାଳିଙ୍କ ସହ କରମର୍ଦ୍ଦନ ନକରିବାକୁ କାରଣ କରିଛନ୍ତି। ଭିଡିଓ ଜାରି କରି ଏଥିଲାଗି ଭାରତୀୟ ଖେଳାଳିଙ୍କୁ ଚିଡ଼ାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଜୋସ୍ ହାଜେଲଉଡ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମିଚେଲ ମାର୍ସ ଓ ଆଲିସା ହିଲି ଭାରତୀୟ ଖେଳାଳିମାନେ ଆଗାମୀ ଶୃଙ୍ଖଳାରେ କିଭଳି ପ୍ରତିପକ୍ଷ ଖେଳାଳିଙ୍କୁ ଅଭିବାଦନ ଜଣାଇବେ ବୋଲି ପ୍ରଶ୍ନ କରି ନାନା ଅଙ୍ଗଭଙ୍ଗୀ କରୁଥିବା ଦେଖିବାକୁ ମିଳୁଛି। ଉପସ୍ଥାପକ ଜଣକ ବଲ୍ ପଡ଼ିବା ପୂର୍ବରୁ ଆମେ ସେମାନଙ୍କୁ ଘାଇଲା କରିଦେବା ବୋଲି କହୁଥିବା ମଧ୍ୟ ଶୁଣିବାକୁ ମିଳୁଛି। ବଡ଼ ବିବାଦ ଭୟରେ କିନ୍ତୁ ଏହି ଭିଡିଓକୁ ଅବଶ୍ୟ କିଛି ସମୟ ପରେ ଡିଲିଟ୍ କରି ଦିଆଯାଇଛି। କିଛି କ୍ଷଣ ଭିତରେ କିନ୍ତୁ ଭିଡିଓଟି ଲକ୍ଷଲକ୍ଷ କ୍ରିକେଟ୍ପ୍ରେମୀଙ୍କ ଧ୍ୟାନ ଆକର୍ଷଣ କରିଥିଲା।