ଅଧିନାୟକଙ୍କ ଦ୍ବନ୍ଦ୍ବ, ଯୋଜନା ବିହୀନ ପାକିସ୍ତାନ

ମାଞ୍ଚେଷ୍ଟର: ଭାରତ ବିପକ୍ଷରେ ପାକିସ୍ତାନର ଶୋ‌ଚନୀୟ ପରାଜୟ ପାଇଁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଦୁର୍ବଳ ଅଧିନାୟକତ୍ବ ଏବଂ ଯୋଜନାର ଅଭାବକୁ ଦାୟି କରିଛନ୍ତି। ବିଶେଷ କରି ପାକିସ୍ତାନ ଅଧିନାୟକ ସର୍ଫରାଜ୍ ଖାନ୍ କ’ଣ କରିବେ କ’ଣ ନକରିବେ, ସେଦ୍ବନ୍ଦ୍ବରେ ନିଜ ଦଳକୁ ବୁଡ଼ାଇ ଦେଇଥିଲେ। ପାକିସ୍ତାନ ପାଖରେ ପ୍ରଭାବୀ ଯୋଜନାର ମଧ୍ୟ ଅଭାବ ରହିଥିଲା। ଯାହା ଫଳରେ ସେମାନେ ଶୃଙ୍ଖଳିତ ଭାରତୀୟ କ୍ରି‌କେଟ୍ ଦଳର ସମ୍ମୁଖୀନ ହୋଇ ପାରି ନଥିଲେ ବୋଲି ସଚିନ ମତ ରଖିଛନ୍ତି। ସେ କହିଛନ୍ତି ସର୍ଫରାଜ ଦ୍ବନ୍ଦ୍ବରେ ଥିଲେ। ସେଥିପାଇଁ ୱାହାବ ରିଆଜ୍ ବୋଲିଂ କରୁଥିଲା ବେଳେ ଅନାବଶ୍ୟକ ଭାବେ ମିଡ୍ ୱିକେଟ୍‌ରେ କ୍ଷେତ୍ରରକ୍ଷକ ରଖିଥିଲେ। ସେହିଭଳି ଯେତେବେଳେ ସ୍ପିନର ସଦାବ ଖାନ୍ ବୋଲିଂ କରୁଥିଲେ, ସେତେବେଳେ ତାଙ୍କ ପାଇଁ ସ୍ଲିପ୍ ରଖିଥିଲେ। ମାଞ୍ଚେଷ୍ଟର ପରିବେଶରେ ଲେଗ୍ ସ୍ପିନରଙ୍କ ପାଇଁ ବଲ୍‌କୁ ଭଲ ଭାବରେ ଧରିବା କଷ୍ଟକର ହୋଇଥାଏ। ଲାଇନ୍ ଲେନ୍ଥ ଠିକ୍ ନରଖିଲେ ମାମଲା ଆହୁରି କଷ୍ଟକର ହୋଇଯାଇଥାଏ। ଏକ ବଡ଼ ମ୍ୟାଚ୍‌କୁ ଏଭଳି ଭାବେ ଖେଳାଯାଏନି। ସେମାନଙ୍କ ପାଖରେ କୌଣସି ‌ଯୋଜନା ନଥିଲା। ପାକିସ୍ତାନ ବୋଲର ମଧ୍ୟ ପାଗ ଏବଂ ପରିବେଶର ଲାଭ ଉଠାଇ ପାରି ନଥିଲେ। ବଲ୍ ଘୂରୁ ନଥିଲେ ମଧ୍ୟ ସେମାନେ ଓଭର ଦି ୱିକେଟ୍ ବୋଲିଂ ଜାରି ରଖିଥିଲେ। କିଛି ସମୟ ପରେ ରିଆଜ ରାଉଣ୍ଡ ଦି ୱିକେଟ୍ ବୋଲିଂ କରିଥିଲେ। ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ହାସନ ଅଲ୍ଲୀଙ୍କ ବଲ୍ କିଛି ମାତ୍ରାରେ ସୁଇଂ ହେଉଥିଲା। ତାଙ୍କୁ କିନ୍ତୁ କୋଣ ବଦଳାଇ ବୋଲିଂ କରିବାର ଥିଲା। ଭାରତ ତାଙ୍କ ବିପକ୍ଷରେ କେବେବି ୱିକେଟ୍ ହରାଇଲା ଭଳି ଲାଗୁ ନଥିଲା।

ସମ୍ବନ୍ଧିତ ଖବର