ପ୍ରଥମ ଦୁଇ ଦିନିକିଆ ପାଇଁ ଦଳ ଘୋଷିତ, କାର୍ତିକଙ୍କ ବଦଳରେ ପନ୍ତ୍‌

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ପାଇଁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଗୁରୁବାର ଦଳ ଘୋଷଣା କରିଛି। ଗତ ଏସିଆ କପ୍‌ରୁ ବିଶ୍ରାମ ପାଇଥିବା ବିରାଟ କୋହଲି ଅଧିନାୟକ ପଦକୁ ଫେରିଥିଲା ବେଳେ ମହେନ୍ଦ୍ର ସିଂହ ଧୋନି ସ୍ଥାନ ବଜାୟ ରଖିଛନ୍ତି। ତେବେ ଅନ୍ୟତମ ୱିକେଟ୍‌ରକ୍ଷକ ଦୀନେଶ କାର୍ତିକଙ୍କ ବଦଳରେ ଯୁବ ତାରକା ଋଷଭ ପନ୍ତ୍‌ ଦଳରେ ସାମିଲ ହୋଇଛନ୍ତି। ସେହିପରି ଏସିଆ କପ୍‌ରେ ଭଲ ପ୍ରଦଶର୍ନ କରିଥିବା ଦ୍ରୁତ ବୋଲର ଖଲିଲ ଅହମ୍ମଦ ମଧ୍ୟ ୧୪ ଜଣିଆ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ପ୍ରାୟ ଗୋଟିଏ ବର୍ଷ ଧରି ଦିନିକିଆ କ୍ରିକେଟ୍‌ ଖେଳିନଥିବା ଦ୍ରୁତ ବୋଲର ମହମ୍ମଦ ସା‌ମି ଦଳକୁ ଫେରିଛନ୍ତି। କାର୍ତିକ ବାଦ୍‌ ପଡ଼ିଥିଲା ବେଳେ ଦୁଇ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଓ ଜସ୍‌ପ୍ରୀତ୍‌ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଛି। ଆହତରୁ ମୁକୁଳିନଥିବା ଦୁଇ ଅଲ୍‌ରାଉଣ୍ଡର କେଦାର ଯାଦବ ଓ ହାର୍ଦିକ୍‌ ପାଣ୍ଡ୍ୟା ଦଳ ବାହାରେ ରହିଛନ୍ତି। ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଆସନ୍ତା ୨୧ ତାରିଖରେ ଗୌହାଟୀରେ ପ୍ରଥମ ଦିନିକିଆ ଖେଳିବା ପରେ ୨୪ରେ ବିଶାଖାପାଟଣାରେ ଦ୍ବିତୀୟ ମ୍ୟାଚ୍‌ ଖେଳିବେ।

ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ୍‌, ଅମ୍ବାଟି ରାୟୁଡୁ, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂହ ଧୋନି (ୱିକେଟ୍‌ରକ୍ଷକ), ଋଷଭ ପନ୍ତ୍‌, ରବୀନ୍ଦ୍ର ଜାଦେଜା, ୟୁଜ୍‌ବେନ୍ଦ୍ର ଚହଲ୍‌, କୁଲ୍‌ଦୀପ ଯାଦବ, ମହମ୍ମଦ ସାମି, ଖଲିଲ ଅହମ୍ମଦଳ, ସାର୍ଦୁଲ ଠାକୁର ଓ ଲୋକେଶ ରାହୁଲ୍‌।

ସମ୍ବନ୍ଧିତ ଖବର