ସବୁ ସରିଗଲା ଭାବି ସଚିନଙ୍କ ଆଖିରେ ଲୁହ ଆସିଥିଲା

ମୁମ୍ବାଇ: ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକର ୧୯୮୯ରେ ପାକିସ୍ତାନ‌ ବିପକ୍ଷରେ ନିଜର ପଦାର୍ପଣ ଟେଷ୍ଟ୍‌ ମ୍ୟାଚ୍‌ ଖେଳିଥିଲେ। ପାକିସ୍ତାନ ଦଳରେ ଇମ୍ରାନ୍‌ ଖାନ୍‌, ୱାସିମ ଆକ୍ରମ ଓ ୱାକର ୟୁନିସଙ୍କ ଭଳି ଦ୍ରୁତ ବୋଲର ଥିଲେ। ଏହି ଦୁର୍ଦ୍ଦଶ ବୋଲରଙ୍କ ଗତି ଓ ବାଉନ୍‌ସକୁ ବୁଝି ନପାରି ସଚିନ ମାତ୍ର ୧୫ ରନ୍‌ରେ ପ୍ୟାଭିଲିୟନ ଫେରିଥିଲେ। ଏହି ପୁରୁଣା ସ୍ମୃତିକୁ ମନେପକାଇ ସଚିନ କହିଛନ୍ତି ଯେ ୱାସିମ ଓ ୱାକର ଦ୍ରୁତ ଗତିରେ ସଟ୍‌ବଲ୍‌ ପକାଉଥିଲେ। ଆଗରୁ ଏଭଳି ବଲ୍‌ ଖେଳିବାର ମୋ ପାଖରେ ଅଭିଜ୍ଞତା ନଥିଲା। ସେମାନଙ୍କ ଗତି ଓ ବାଉଁସ୍‌ରେ ମୁଁ ବିଟ୍‌ ହେଉଥିଲି ଏବଂ ମାତ୍ର ୧୫ ରନ୍‌ରେ ଆଉଟ୍‌ ହୋଇଯାଇଥିଲି। ଡ୍ରେସିଂ ରୁମ୍‌କୁ ଫେରି ସିଧା ବାଥ୍‌ରୁମ୍‌କୁ ଯାଇଥିଲି। ସେତେବେଳକୁ ମୋ ଆଖିରେ ଲୁହ ଭରି ଯାଇଥିଲା ବୋଲି ବହୁ ବ୍ୟାଟିଂ କୀର୍ତ୍ତିମାନର ଅଧିକାରୀ ସଚିନ ପ୍ରକାଶ କରିଛନ୍ତି। ସେ ସମୟରେ ମୁଁ ନିଜେ ପଚାରିଥିଲି ଅନ୍ତର୍ଜାତୀୟସ୍ତରରେ ଏଭଳି ବ୍ୟାଟିଂ ଗ୍ରହଣୀୟ କି? ଏହି ସ୍ତରରେ ଖେଳିବା ଲାଗି ସକ୍ଷମ ନୁହେଁ ବୋଲି ଭାବି ଦୁଃଖ ଅନୁଭବ କରିଥିଲି। ଏହା ପରେ ମୁଁ ଏବର ଭାରତୀୟ ଦଳର ପ୍ରଶିକ୍ଷକ ଥିବା ରବି ଶାସ୍ତ୍ରୀଙ୍କ ସହ ଆଲୋଚନା କରିଥିଲି। ମୋର ଆଜି ବି ସେହି ଆଲୋଚନାର କଥା ମନେ ଅଛି। ସେ ମୋତେ କହିଥିଲେ, ତୁମେ ସ୍କୁଲ୍‌ ମ୍ୟାଚ୍‌ ଭଳି ଖେଳୁଛ। ତୁମ ବିପକ୍ଷରେ ଏବେ ଶ୍ରେଷ୍ଠ ବୋଲର ଅଛନ୍ତି। ସେମାନଙ୍କ ଦକ୍ଷତା ଓ କୌଶଳକୁ ସମ୍ମାନ ଦେବା ଦରକାର। ଏହା ଶୁଣିବା ପରେ ଶାସ୍ତ୍ରୀଙ୍କୁ ପଚାରିଲି ମୁଁ ‌ସେମାନଙ୍କ ଗତି ଯୋଗୁଁ ବିଟ୍‌ ହେଉଛି। ଏହା ପରେ ସେ କହିଲେ, ଏପରି ହୁଏ, ତୁମେ ଏହାକୁ ନେଇ ଚିନ୍ତା କରନି। ବ୍ୟାଟିଂ କଲା ବେଳେ ପ୍ରଥମେ ପିଚ୍‌ରେ ଅଧଘଣ୍ଟାଏ ବିତାଇଲେ ସେମାନଙ୍କ ଗତିକୁ ବୁଝିପାରିବ। ତାପରେ ସବୁ ଠିକ୍‌ ହୋଇଯିବ ବୋଲି ପୁରୁଣା ସ୍ମୃତିକୁ ମନେପକାଇ କହିଛନ୍ତି ସଚିନ।

ଏହାପରେ ମୁଁ ଫୈସଲାବାଦରେ ଦ୍ବିତୀୟ ଟେଷ୍ଟ୍‌ ଖେଳିଥିଲି, ମୋ ମନରେ ଗୋଟିଏ କଥା ଥିଲା ସ୍କୋର୍‌ବୋର୍ଡ ଦେଖିବିନି। କେବଳ ଘଣ୍ଟାକୁ ଦେଖୁଥିଲି, ରନ୍‌ ପାଇଁ ଚିନ୍ତା କରୁନଥିଲି। ଅଧଘଣ୍ଟା ବ୍ୟାଟିଂ କରିବା ପରେ ଆରାମ ଲାଗିଥିଲା ଏବଂ ସେହି ମ୍ୟାଚ୍‌ରେ ୫୯ ରନ୍‌ କରିଥିଲି। ଏହା ମୋ ଜୀବନକୁ ବଦଳାଇ ଦେଇଥିଲା ବୋଲି ସଚିନ କହିଛନ୍ତି। ଶେଷରେ ସଚିନ ନିଜର ପସନ୍ଦର ଅଲ୍‌ରାଉଣ୍ଡର ଭାବେ କପିଳ ଦେବ, ଇମ୍ରାନ ଖାନ୍‌, ରିଚାର୍ଡ ହାର୍ଡଲି, ମାଲକମ୍‌ ମାର୍ସାଲ ଓ ଇଆନ୍‌ ବୋଥାମଙ୍କୁ ବାଛିଛନ୍ତି।

ସମ୍ବନ୍ଧିତ ଖବର