ନୂଆଦିଲ୍ଲୀ: ଭାରତୀୟ ଆଥ୍ଲେଟ୍ ତେଜସ୍ବୀନ୍ ଶଙ୍କର ଆମେରିକାରେ ତାଙ୍କ ତେଜ ଦେଖାଇଛନ୍ତି। ସେ ଟେକ୍ସାସ୍ରେ ଚାଲିଥିବା ବିଗ୍୧୨ କଲେଜିଏଟ୍ ଆଥ୍ଲେଟିକ୍ ମିଟ୍ର ପୁରୁଷ ଉଚ୍ଚ ଡିଆଁରେ ସ୍ବର୍ଣ୍ଣ ପଦକ ଜିତି ନିଜର ଚମକ ଛାଡ଼ଛନ୍ତି। ସେ ୨.୨୮ ମିଟର ଉଚ୍ଚକୁ ଲମ୍ଫ ମାରିଥିଲେ। ଯାହାକି ଗତବର୍ଷ ପାତିଆଲାରେ ଆୟୋଜିତ ୨୨ତମ ଫେଡେରେସନ୍ କପ୍ରେ ତାଙ୍କର ଜାତୀୟ କୀର୍ତିମାନର ସମକକ୍ଷ ହୋଇଛି। ତେବେ କାନ୍ସାସ୍ ରାଜ୍ୟ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ତେଜସ୍ବୀନ୍ଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୨.୨୯ ମିଟର ରହିଛି। ଯାହାକୁ କି ସେ ଗତବର୍ଷ ଏପ୍ରିଲରେ ଟେକ୍ସାସ୍ରେ ମଧ୍ୟ ପାଇଥିଲେ। ଏବେ ତେଜସ୍ବୀନ୍ ସେହି ବିଶ୍ବବିଦ୍ୟାଳୟର ଷଷ୍ଠ ବିଗ୍୧୨ ଉଚ୍ଚ ଡିଆଁ ବିଜେତା ହୋଇଥିଲା ବେଳେ କଲେଜିଏଟ୍ ମିଟ୍ ଇତିହାସରେ ଅଷ୍ଟମ ବିଜେତା ହୋଇଛନ୍ତି। ୨୦ ବର୍ଷ ବୟସ୍କ ତେଜସ୍ବୀନ୍ ଏହା ପୂର୍ବରୁ ୨୦୧୫ ରାଜ୍ୟଗୋଷ୍ଠୀ ୟୁଥ୍ କ୍ରୀଡ଼ାରେ ସ୍ବର୍ଣ୍ଣ ଏବଂ ୨୦୧୬ ଦକ୍ଷିଣ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ।