ତେଜିନ୍ଦରଙ୍କ କୀର୍ତ୍ତିିମାନ

ଜାକର୍ତା/ପାଲେମବାଙ୍ଗ : ଅଷ୍ଟାଦଶ ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଭାରତୀୟ ସଟ୍‌ପୁଟ୍‌ ତାରକା ତେନ୍ଦିନ୍ଦରପାଲ ସିଂହ ତୁର୍‌ ନୂଆ କୀର୍ତ୍ତିମାନ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଶନିବାର ଫାଇନାଲର ପ୍ରଥମ ପ୍ରୟାସରେ ହିଁ ତେଜିନ୍ଦର ତାଙ୍କ ତେଜ ଦେଖାଇଥିଲେ। ୧୯.୯୬ ମିଟର ଦୂରତାକୁ ସଟ୍‌ପୁଟ୍‌ ଫିଙ୍ଗି ଚତୁର୍ଥ ପ୍ରୟାସ ପର୍ଯ୍ୟନ୍ତ ଏକ ନମ୍ବର ସ୍ଥାନରେ ରହିଥିଲେ। ତେବେ ପଞ୍ଚମ ପ୍ରୟାସରେ ହାସଲ କରିଥିବା ୨୦.୭୫ ମିଟର ସଫଳତା ତାଙ୍କୁ ଏସୀୟ କୀତ୍ତିମାନର ଅଧିକାରୀ କରିଥିଲା। ତେନ୍ଦିନ୍ଦର ଆଜି ନିଜ ଦ୍ୱିତୀୟ ପ୍ରୟାସରେ ୧୯.୧୫ ଦୂରତାକୁ ସଟପୁଟ୍‌ ଫିଙ୍ଗିବା ପରେ ତୃତୀୟ ପ୍ରୟାସରେ ଅପ୍ରତ୍ୟାଶିତ ଭାବେ ଅଯୋଗ୍ୟ ଘୋଷିତ ହୋଇଥିଲେ। ହେଲେ ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠରେ ନିଜ ଅସଲ ଶକ୍ତିର ପରିଚୟ ଦେଇଥିଲେ। ଏହି ତିନି ପ୍ରୟାସରେ ସେ ୧୯.୯୬, ୨୦.୭୫ ଓ ୨୦ ମିଟର ଦୂରତାକୁ ସଟପୁଟ୍‌ ଫିଙ୍ଗିଥିଲେ। ଯାହା ନୂଆ କୀର୍ତ୍ତିମାନ ସହ ସ୍ୱର୍ଣ୍ଣ ଜିତିବା ପାଇଁ ଯଥେଷ୍ଟ ହୋଇଥିଲା। ଏହି ଇଭେଣ୍ଟରେ ଚୀନର ଲିୟୁ ୟାଙ୍ଗ (୧୯.୫୨) ରୌପ୍ୟ ଏବଂ କାଜାଖସ୍ତାନର ଇଭାନୋଭ ଇଭାନ (୧୯.୪୦) କାଂସ୍ୟ ପଦକ ପାଇଥିଲେ।

୨୩ ବର୍ଷୀୟ ତେଜିନ୍ଦର ଭୁବନେଶ୍ୱରରେ ଗତବର୍ଷ ଆୟୋଜିତ ଏସିଆନ୍‌ ଚାମ୍ପିଅନସିପ୍‌ରେ ରୌପ୍ୟ ପଦକ ଜିତିଥିଲେ। ନିଜ ପିତାଙ୍କ ପରାମର୍ଶରେ କ୍ରିକେଟ୍‌ ଛାଡ଼ି ସଟପୁଟ୍‌ ଖେଳିବା ଆରମ୍ଭ କରିଥିବା ତେନ୍ଦିନ୍ଦର କଳିଙ୍ଗ ଷ୍ଟାଡିୟମରେ ୧୯.୭୭ ମିଟର ଦୂରତାକୁ ସଟ୍‌ପୁଟ୍‌ ପକାଇଥିଲେ। ଫଳରେ ମାତ୍ର ୦.୦୩ ମିଟର ପାଇଁ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଥିଲେ। ସେହି ଦୁଃଖକୁ ସେ ଜାକର୍ତାରେ ଦୂର କରିଛନ୍ତି। ସଟପୁଟ୍‌ରୁ ରୌପ୍ୟ ସହ ଆଜି ସ୍କ୍ଵାସରୁ ଭାରତକୁ ତିନିଟି କାଂସ୍ୟ ମିଳିିଛି। ଫଳରେ ମୋଟ ପଦକ ସଂଖ୍ୟା ୨୯ରେ ପହଞ୍ଚିଛି। ସେଥିମଧ୍ୟରେ ରହିଛି ୭ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୧୭ କାଂସ୍ୟ।

ସମ୍ବନ୍ଧିତ ଖବର