କୋହଲିଙ୍କ ଟେଷ୍ଟ୍‌ ସଫଳତା ପଛରେ ସଚିନ ଓ ଶାସ୍ତ୍ରୀଙ୍କ ହାତ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଟେଷ୍ଟ୍‌ ସଫଳତା ପଛରେ କିଂବଦନ୍ତି ସଚିନ ତେନ୍ଦୁଲକର ଏବଂ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ହାତ ଥିବା ଜଣାପଡ଼ିଛି। ଉଭୟଙ୍କ ପରାମର୍ଶକ୍ରମେ କୋହଲି ଟେଷ୍ଟ୍‌ରେ ଜଣେ ସଫଳ ବ୍ୟାଟ୍ସମ୍ୟାନ୍‌ ହୋଇପାରିଛନ୍ତି। ବିଶେଷକରି ଦ୍ରୁତ ବୋଲରଙ୍କ ବିପକ୍ଷରେ ଆଗକୁ ଆସି କେମିତି ଖେଳିବ ସେନେଇ ସଚିନ୍‌ ପରାମର୍ଶ ଦେଇଥିଲା ବେଳେ କ୍ରିଜ୍‌ ବାହାରେ ଠିଆ ହୋଇ ଖେଳିବାକୁ ଶାସ୍ତ୍ରୀ ହିଁ କୋହଲିଙ୍କୁ ଟିପ୍ସ ଦେଇଥିଲେ। ଯାହାକି ମୋତେ ଜଣେ ସଫଳ ଟେଷ୍ଟ୍‌ କ୍ରିକେଟର୍‌ ଭାବେ ଗଢ଼ିତୋଳିବାରେ ସହାୟକ ହୋଇଛି ବୋଲି କୋହଲି କହିଛନ୍ତି। ୨୦୧୪ ଇଂଲଣ୍ଡ ଗସ୍ତରେ କୋହଲି ୧୦ଟି ପାଳିରେ ଖରାପ ପ୍ରଦର୍ଶନ କରିଥିଲେ। ସେଠାରୁ ଫେରିବା ପରେ ସେ ଦ୍ରୁତ ବୋଲରଙ୍କୁ ‌କିପରି ଖେଳିବାକୁ ହେବ ସଚିନଙ୍କଠୁ ଏବଂ କ୍ରିଜ୍‌ ବାହାରେ ଠିଆ ହୋଇ ଖେଳିବାର ପରାମର୍ଶ ଶାସ୍ତ୍ରୀଙ୍କଠୁ ନେଇଥିଲେ। ଏହା ପରେ ସେ ‌ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍‌ ଟେଷ୍ଟ୍‌ରେ ୨ ଶତକ ସହ ୪ ମ୍ୟାଚ୍‌ରୁ ୪ ଶତକ ହାସଲ କରିଥିଲେ। ମୟଙ୍କ ଅଗ୍ରୱାଲଙ୍କ ସୋ’ ‘ଓପନ୍‌ ନେଟ୍ସ ୱିଥ୍‌ ମୟଙ୍କ’ରେ କୋହଲି ଏହି ବିଷୟରେ ବଖାଣିଛନ୍ତି।

୨୦୧୪ ମୋ କ୍ରିକେଟ୍‌ ଜୀବନର ଏକ ମାଇଲଖୁଣ୍ଟ ଥିଲା। ଅନେକ ଲୋକ ସଫଳ ଗସ୍ତକୁ ମାଇଲଖୁଣ୍ଟ ଭାବେ ମାନିଥା’ନ୍ତି, କିନ୍ତୁ ମୋ ପାଇଁ ୨୦୧୪ ବିଫଳତାର ଅଲୋଡ଼ା ମାଇଲଖୁଣ୍ଟ ଥିଲା। ଇଂଲଣ୍ଡରୁ ଫେରିବା ପରେ ସଚିନ ପାଜିଙ୍କ ସହ ଆଲୋଚନା କରିଥିଲି ଏବଂ ମୁମ୍ବାଇରେ କିଛି ଅଧିବେସନ ତାଙ୍କ ସହ କଟାଇଥିଲି। ତାଙ୍କୁ କହିଥିଲି, ମୁଁ ହିପ୍‌ ‌ପୋଜିସନ୍‌ରେ ଖେଳିବାକୁ ଚାହୁଁଛି। ସେ‌ ମୋତେ ଦ୍ରୁତ ବୋଲରଙ୍କୁ ଖେଳିବାର କିଛି ପରାମର୍ଶ ଦେଇଥିଲେ ଏବଂ ଇଂଲଣ୍ଡରେ କ’ଣ ଭୁଲ୍‌ କରିଥିଲି ‌ତାହା କହିଥିଲେ। ତାଙ୍କ ପରାମର୍ଶ ଅନୁଯାୟୀ ହିପ୍‌କୁ ସଠିକ୍‌ ଢଙ୍ଗରେ ବ୍ୟବହାର କରି ଖେଳିବା ଆରମ୍ଭ କଲି ଏବଂ ଅଷ୍ଟ୍ରେଲିଆ ଗସ୍ତରେ ସଫଳ ହେଲି ବୋଲି କୋହଲି ପ୍ରକାଶ କରିଛନ୍ତି। ଇଂଲଣ୍ଡ ଗସ୍ତ ବେଳେ ମୋ ହିପ୍‌ ପୋଜିସନ୍‌ରେ ବଡ଼ ସମସ୍ୟା ଥିଲା। ମୁଁ ଯାହା ଚାହୁଁଥିଲି ତାହା କରିପାରୁନଥିଲି। ଏହା ଯନ୍ତ୍ରଣାଦାୟକ ଥିଲା। ଉଭୟ ଦିଗକୁ ମାରିବାକୁ ହେଲେ ବାମ ଓ ଡାହାଣ ହିପ୍‌ର ସନ୍ତୁଳନ ଗୁରୁତ୍ବପୂର୍ଣ୍ଣ। ଏହା ମୋର ଠିକ୍‌ରେ ନହେବାରୁ ମୁଁ ଚିନ୍ତିତ ଥିଲି। ସଚିନଙ୍କ ପରାମର୍ଶ ପରେ ସୁଧିରିଯାଇଥିଲା ବୋଲି କୋହଲି କହିଛନ୍ତି।

ସେହିପରି ଶାସ୍ତ୍ରୀ ଭାଇ ମୋତେ ଗୋଟିଏ କଥା କହିଥିଲେ, କ୍ରିଜ୍‌ ବାହାରେ ଠିଆ ହୁଅ। ‌ଏହା ପଛରେ ଥିବା ମାନସିକତା ବିଷୟରେ ମଧ୍ୟ ବୁଝାଇଥିଲେ। ଏହା କଲେ ତୁମେ ବ୍ୟାଟିଂ ବେଳେ ରୁମ୍‌ ପାଇଯିବ। ଫଳରେ ବୋଲର ତୁମକୁ ଆଉଟ୍‌ କରିବାର ସୁଯୋଗ ପାଇବେନି। ‌ତେଣୁ ସେହି ବର୍ଷ ଏହା ଉପରେ କଠୋର ଅଭ୍ୟାସ କଲି ଏବଂ ଅବିଶ୍ବସନୀୟ ଫଳ ପାଇଥିଲି ବୋଲି କୋହଲି କହିଛନ୍ତି। ମୟଙ୍କଙ୍କ ସହ ‌କଥା ହେଲା ବେଳେ ବ୍ୟାଟିଂର ଉନ୍ନତି ଲାଗି ପୂର୍ବତନ ପ୍ରଶିକ୍ଷକ ଡନ୍‌କାନ ଫ୍ଲେଚରଙ୍କୁ ମଧ୍ୟ ଶ୍ରେୟ ଦେଇଥିଲେ କୋହଲି। ଆଉ ଏକ ମଜାଦାର କଥା ମଧ୍ୟ କହିଥିଲେ। ରବି ଭାଇ ମୋତେ ଦି‌‌ନେ ପଚାରିଲେ, ‘ତୁମେ ସଟ୍‌ ବଲ୍‌କୁ ଡରୁଛ।’ ମୁଁ ହସିଲି ଏବଂ ଡରୁନି ବୋଲି କହିଲି। କିନ୍ତୁ ଆଘାତ ହେବାର ସମ୍ଭାବନା ଓ ଆଉଟ୍‌ ନ ହେବା ପାଇଁ ଏଭଳି ଖେଳୁଛି ବୋଲି ଭାରତୀୟ ଅଧିନାୟକ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର