ଖେଳ ଜୀବନର ପ୍ରଥମ ୧୨ ବର୍ଷ ଶାନ୍ତିରେ ଶୋଇପାରିନଥିଲେ ସଚିନ

ଅଖତରଙ୍କ ମଜା ବେଳେ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ସଚିନ

ନୂଆଦିଲ୍ଲୀ: ଖୁବ୍ କ୍ବଚିତ୍ କ୍ରିକେଟର୍ ଅଛନ୍ତି ଯେଉଁମାନେ ସଚିନ ତେନ୍ଦୁଲକରଙ୍କ ସମକକ୍ଷ କିମ୍ବା ତା’ଠାରୁ ଅଧିକ ନାମ କମାଇଛନ୍ତି। ଏହି ବ୍ୟାଟିଂ କିଂବଦନ୍ତି ଉଭୟ ଦିନିକିଆ ଓ ଟେଷ୍ଟ୍‌ର ଅଗ୍ରଣୀ ରନ୍‌ ସ୍କୋରର୍‌ ଭାବେ ଅବସର ନେଇଥିଲେ ମଧ୍ୟ ୮ ବର୍ଷ ପରେ ବି କୀର୍ତ୍ତିମାନକୁ ଅତୁଟ ରଖିଛନ୍ତି। ଏକମାତ୍ର ଖେଳାଳି ଭାବେ ୧୦୦ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ତାଙ୍କୁ ମଧ୍ୟ ସର୍ବକାଳୀନ ଶ୍ରେଷ୍ଠ ବିବେଚିତ କରାଯାଇଥାଏ। ତେବେ ଖେଳ ଜୀବନରେ ସଚିନ ମଧ୍ୟ ଚାପରେ ରହୁଥିଲେ ବୋଲି ସ୍ବୀକାର କରିଛନ୍ତି। ମ୍ୟାଚ୍‌ ପାଇଁ ପ୍ରସ୍ତୁତ ହେବାକୁ ସଚିନ ଅନେକ ରାତି ଅନିଦ୍ରା ରହିଥିଲେ ବୋଲି ପ୍ରକାଶ କରିଛନ୍ତି। ‘ଆପଣ ଯଦି କୌଣସିଟିକୁ ଯତ୍ନରେ ରଖିବାକୁ ଚାହିଁବେ ତେବେ ନିଶ୍ଚିତ ଭାବେ ବିଶ୍ରାମବିହୀନ ସମୟ କାଟିବେ। ମୁଁ ମୋ କ୍ରିକେଟ୍ ପ୍ରତି ଏତେ ଯତ୍ନଶୀଳ ଥିଲି ଯେ ପ୍ରତିଟି ଥର ପଡିଆକୁ ଓହ୍ଲାଇବା ବେଳେ ଭଲ କରିବାକୁ ଚାହିଁଥାଏ।’ ବୋଲି ସଚିନ ପ୍ରକାଶ କରିଛନ୍ତି। ‘ମୁଁ ଏମିତି ବି କହିବି, ମୋ ଖେଳ ଜୀବନର ପ୍ରଥମ ୧୨ ବର୍ଷ ମ୍ୟାଚ୍ ପୂର୍ବ ରାତିରେ ଶାନ୍ତିରେ ଶୋଇ ପାରୁନଥିଲି।

ବୋଲରଙ୍କୁ କିଭଳି ମୁକାବିଲା କରିବି ସେହି କଥା ଚିନ୍ତା କରୁଥିଲି। ମୋ ପାଖରେ କି ବିକଳ୍ପ ଅଛି, ଏହି ସବୁ କଥା ଭାବି ଭାବି ନିଜ ସହ ଲଢ଼େଇ କରୁଥିଲି’ ବୋଲି ମଧ୍ୟ ସଚିନ କହିଥିଲେ। ଦିନେ ଦିନେ ଏମିତି ବିତିଥାଏ ଯେ ମୁଁ ମ୍ୟାଚ୍‌ ପୂର୍ବ ରାତି ୧୨.୩୦ କିମ୍ବା ୧.୦୦ଟାରେ ଉଠି ଟିଭି ଦେଖେ, ସଂଗୀତ ଶୁଣେ। ଏଭଳି କରିବାରେ ମୋ ପାଇଁ କିଛି ଫରକ ପକାଇନଥାଏ, କିନ୍ତୁ ମୁଁ ଏଭଳି ଭାବେ ହିଁ ନିଜକୁ ପ୍ରସ୍ତୁତ କରିଥାଏ। କେବଳ ୧୨ ବର୍ଷ ନୁହେଁ ଖେଳ ଜୀବନସାରା ମୁଁ ମଧ୍ୟ ଏଭଳି କିଛି ମାତ୍ରାରେ ଅନିଦ୍ରା ଚାପରେ ରହିଥିଲି। ପ୍ରତିଟି ଆଉଟ୍ ପରେ ଭାଇ ସହ ଆଲୋଚନା କରୁଥିଲି ଏବଂ ଶେଷ ଟେଷ୍ଟ୍ ପର୍ଯ୍ୟନ୍ତ ମଧ୍ୟ ଏହି ଅଭ୍ୟାସ ଜାରି ରଖିଥିଲି ବୋଲି ୨୦୦ ଟେଷ୍ଟ୍‌ ଖେଳିଥିବା ସଚିନ ପ୍ରକାଶ କରିଥିଲେ।

ନୂଆଦିଲ୍ଲୀ: ପ୍ରତିଟି ଭାରତ ଗସ୍ତକୁ ପାକିସ୍ତାନୀ କ୍ରିକେଟର୍‌ମାନେ ଉପଭୋଗ କରିଥା’ନ୍ତି। ଦ୍ରୁତ ବୋଲର ସୋଏବ୍ ଅଖତର କିଛି ବ୍ୟତିକ୍ରମ ନୁହଁନ୍ତି। ୨୦୦୭ ଗସ୍ତ ବେଳର ଏକ ଘଟଣାକୁ ମନେ ପକାଇ ସୋଏବ ଅଖତର କହିଛନ୍ତି, ‘ଏକ ପୁରସ୍କାର ପ୍ରଦାନ ଉତ୍ସବ ବେଳେ ମୁଁ ସଚିନ ତେନ୍ଦୁଲକରଙ୍କୁ ମଜାରେ ଟେକି ଦେବାକୁ ଚେଷ୍ଟା କରିଥିଲି। ସେ କିନ୍ତୁ ମୋ ହାତରୁ ଖସି ତଳେ ପଡ଼ିଯାଇଥିଲେ। ଏହା ପରେ ମୁଁ ଡରିଯାଇଥିଲି। ସଚିନ ଯଦି ଆହତ ହୋଇଯାଆନ୍ତି ତେବେ ମୋତେ ଆଉ ଭାରତ ଭିସା ମିଳିବ ନାହିଁ। ମୁଁ ନିଜକୁ ଭାବିଥିଲି ‘ମରିଗଲି’। ଭାରତୀୟମାନେ ଆଉ ମୋ‌ତେ ଭାରତ ଆସିବାକୁ ‌ଦେବେନାହିଁ, ଜିଅଁନ୍ତା ଜାଳିଦେବେ। କିନ୍ତୁ ସୌଭାଗ୍ୟବଶତଃ ସଚିନଙ୍କର କିଛି ହୋଇନଥିଲା’ ବୋଲି ଅଖତର ପ୍ରକାଶ କରିଥିଲେ। ସଚିନ ପଡିଯିବା ବେଳେ ମୁଁ ଭାବିଥିଲି ଜୀବନର ବଡ଼ ଭୁଲ ହୋଇଗଲା। ଯୁବରାଜ ସିଂହ ଏବଂ ହରଭଜନ ସିଂହ ମୋତେ କହିଥିଲେ କ’ଣ କରୁଛ। ମୁଁ କିଛି ବୁଝି ପାରିନଥିଲି। ସଚିନଙ୍କ ପାଖକୁ ଯାଇ କୁଣ୍ଢାଇ ପକାଇଥିଲି। ସେ ଭଲ ଥିବା ଜାଣି ଖୁସି ହୋଇଥିଲି। ଏକ ବଡ଼ ଅସୁବିଧାରୁ ବର୍ତ୍ତିଯାଇଥିଲି।

ସମ୍ବନ୍ଧିତ ଖବର