କୋଭିଡ୍‌ ଯୁଗ ପର ଟେଷ୍ଟ୍‌ ପାଇଁ ସଚିନ୍ ଓ ବ୍ରେଟ୍‌ ଲି’ଙ୍କ ପ୍ରସ୍ତାବ

ମହମ ବ୍ୟବହାର; ୫୦ ଓଭର ପରେ ଦ୍ବିତୀୟ ନୂଆ ବଲ୍‌ ବ୍ୟବସ୍ଥା ରହୁ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀରୁ ବର୍ତିବା ପାଇଁ କ୍ରିକେଟ୍‌ ବଲ୍‌ରେ ଲାଳ ଲଗାଇବା ଉପରେ କଟକଣା ଜାରି କରିଛି ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ)। ବଲ୍‌କୁ ଚିକ୍କଣ ରଖିବାରେ ବୋଲରମାନେ ଲାଳର ପ୍ରୟୋଗ ଉପରେ ଗୁରୁତ୍ବ ଦେଉଥିଲା ବେଳେ କୋଭିଡ୍‌ ଯୁଗ ପ‌ରବର୍ତୀ ସମୟ ପାଇଁ ଆଇସିସି ପ୍ରାକ୍‌ ସତର୍କତାମୂଳକ ଏଭଳି ପଦକ୍ଷେପ ‌ନେଇଛି। ହେଲେ କୋଭିଡ୍‌ ଯୁଗ ପରେ କ୍ରିକେଟ୍‌ କିପରି ଅଧିକ ସନ୍ତୁଳିତ ହୋଇପାରିବ ଯଥା ବ୍ୟାଟ୍‌ ଓ ବଲ୍‌ ମଧ୍ୟରେ କିପରି ସମନ୍ବୟ ରହିପାରିବ ସେ ଦିଗରେ ଆଲୋଚନା କରାଯାଉଛି। ଏପରିସ୍ଥଳେ ଭାରତୀୟ କିଂବଦନ୍ତି ସଚିନ୍‌ ତେନ୍ଦୁଲକର ଏବଂ ଅଷ୍ଟ୍ରେଲୀୟ ଦ୍ରୁତ ବୋଲିଂ କିଂବଦନ୍ତି ବ୍ରେଟ୍‌ ଲି ଆଇସିସି ନିକଟରେ କିଛି ପ୍ରସ୍ତାବ ଛାଡ଼ିଛନ୍ତି। କୋଭିଡ୍‌ ଯୁଗ ପରବର୍ତୀ ଟେଷ୍ଟ୍‌ ପାଇଁ ମହମର ବ୍ୟବହାର କରାଯାଉ ଏବଂ ୫୦ ଓଭର ପରେ ଦ୍ବିତୀୟ ନୂଆ ବଲ୍‌ ନିଆଯାଉ ବୋଲି ଦୁହେଁ ପ୍ରସ୍ତାବ ଦେଇଛନ୍ତି।

ବଲ୍‌ରେ ଲାଳ ଓ ଝାଳ ଲଗାଇବାର ଅଭ୍ୟାସ ଆମେ ପୂରା କ୍ରିକେଟ୍‌ ଜୀବନକାଳରେ କରିଆସିଛୁ। ଏହା ଉପରେ କଟକଣା ଲଗାଇବା ଦ୍ବାରା ନିଶ୍ଚିତ କଷ୍ଟକର ହେବ। ପ୍ରାୟ ୮/୯ ବର୍ଷ ବୟସରୁ ବଲ୍‌କୁ ଚିକ୍କଣ କରିବା ପାଇଁ ଆମେ ଲାଳର ପ୍ରୟୋଗ କରିଥାଉ। ତେଣୁ ହଠାତ୍‌ ଏଥିରେ ପରିବର୍ତନ ଭିନ୍ନ ହେବ। ମୁଁ ଭାବୁଛି, ଏହାକୁ ବନ୍ଦ କରିବା ସହଜ ହେବନି ଏବଂ ବଲ୍‌କୁ ଚିକ୍କଣ କରିବାର ବିକଳ୍ପ ମଧ୍ୟ କଷ୍ଟକର ବୋଲି ୧୦୦ଏମ୍‌ବି ଦ୍ବାରା ପୋଷ୍ଟ କରାଯାଇଥିବା‌ ଏକ ଭିଡିଓରେ ତେନ୍ଦୁଲକରଙ୍କ ସହ ବାର୍ତାଳାପ ବେଳେ କହିଛନ୍ତି ଲି’। କେତେକ ପୂର୍ବତନ କ୍ରିକେଟର୍‌ ବଲ୍‌ର ଚିକ୍କଣ ପାଇଁ ଝାଳ ପ୍ରୟୋଗ କରିପାରିବାର ପ୍ରସ୍ତାବ ଦେଇଥିଲା ବେଳେ ଥଣ୍ଡା ପରିବେଶ, କମ୍‌ ଆର୍ଦତାରେ ବଲ୍‌କୁ ଚିକ୍କଣ କରିବାରେ ଖେଳାଳିମାନେ ସମସ୍ୟାର ସମ୍ମୁଖୀନ ହେବେ ବୋଲି କହିଛନ୍ତି ଉଭୟ ତେନ୍ଦୁଲକର ଏବଂ ବ୍ରେଟ୍‌ ଲି। ଯଦି ତୁମର ଝାଳ ନବାହାରେ ତାହାଲେ ଲାଳ ବିନା କିପରି ବଲ୍‌କୁ ଚିକ୍କଣ କରିପାରିବ। ତେଣୁ ଏହା ଯେ ବୋଲରଙ୍କ ପାଇଁ ଗ୍ରହଣୀୟ ହେବ ତାହା ମୁଁ ଭାବିପାରୁନି। ବରଂ ଏଭଳି ନିୟମ ବୋଲରଙ୍କ ପାଇଁ ବିପଦ ସୃଷ୍ଟି କରିବ ବୋଲି ଲି’ କହିଛନ୍ତି। ତେଣୁ ଆଇସିସି ଏଦିଗରେ ଚିନ୍ତା କରିବା ଉଚିତ। ବୋଲରମାନେ କିପରି ବଲ୍‌କୁ ଚିକ୍କଣ କରିପାରିବେ ସେ ଦିଗରେ ଆଇସିସି ସେମାନଙ୍କୁ ସହାୟତା କରିବା ଦରକାର। ଆଉ ଯେଉଁଥିରେ କି ସମସ୍ତଙ୍କ ସହମତି ରହିବ ତାହା କରିବା ଭଲ ବୋଲି ଲି’ କହିଛନ୍ତି। ପୁଣି ମ୍ୟାଚ୍‌ର ଦୁଇ ଘଣ୍ଟା ପୂର୍ବରୁ ଖେଳାଳିମାନଙ୍କ ପରୀକ୍ଷା କରାଯାଉ ଏବଂ ପରେ ଆବଶ୍ୟକୀୟ ଜିନିଷ ଯୋଗାଇ ଦିଆଯାଉ। ସଂକ୍ରମଣର କୌଣସି ସମ୍ଭାବନା ନଥିବା ଜୈବ ପରିବେଶରେ ଯଦି ଖେଳାଳିମାନଙ୍କୁ ରଖାଯାଏ, ତାହାଲେ ନୂଆ ନିୟମ ପରିବର୍ତେ ସାଧାରଣ ନିୟମରେ କାହିଁକି ଯିବାନାହିଁ ବୋଲି ବ୍ରେଟ୍‌ ଲ’ ପ୍ରଶ୍ନ କରିଛନ୍ତି।

ସେହି ଭିଡିଓରେ ସଚିନ୍‌ ଟେଷ୍ଟ୍‌ କ୍ରିକେଟ୍‌ରେ ୫୦ ଓଭର ପରେ ନୂଆ ବଲ୍‌ ପାଇଁ ଆଇସିସି ଅନୁମତି ଦେବାକୁ ପ୍ରସ୍ତାବ ରଖିଛନ୍ତି। ପୂର୍ବରୁ ଏହା ୮୦ ଓଭର ପରେ ରହୁଥିଲା। ହେଲେ ଲାଳ ଉପରେ କଟକଣା ଲଗାଯିବା ପରେ ଏହାକୁ ୫୦ ଓଭରକୁ ହ୍ରାସ କରାଯିବା ଉପରେ ସଚିନ୍‌ ଗୁରୁତ୍ବ ଦେଇଛନ୍ତି। ସଚିନ୍‌ ମଧ୍ୟ ବଲ୍‌କୁ ଚିକ୍କଣ କରିବା ପାଇଁ ବୋଲରଙ୍କ ଦ୍ବାରା ମହମ ବ୍ୟବହାର ପାଇଁ ପ୍ରସ୍ତାବ ଦେଇଥିଲେ। ପ୍ରତି ପାଳିରେ ବ୍ୟବହାର ପାଇଁ ଏକ ନିର୍ଦିଷ୍ଟ ପରିମାଣର ମହମ ଯୋଗାଇଦେବାକୁ ସଚିନ୍‌ ପ୍ରସ୍ତାବ ବାଢ଼ିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଜୁଲାଇ ୮ ତାରିଖରୁ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍‌ ଶୃଙ୍ଖଳା ଜରିଆରେ ଆନ୍ତର୍ଜାତିକ କ୍ରିକେଟ୍‌ର ପୁନଃଆରମ୍ଭ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର