କେବେ ବି କୌଣସି ତମାଖୁ ଓ ମଦ ବିଜ୍ଞାପନରେ ସାମିଲ ହୋଇନାହାନ୍ତି ତେନ୍ଦୁଲକର

ନୂଆଦିଲ୍ଲୀ: କିଂବଦନ୍ତି ଖେଳାଳି ସଚିନ ତେନ୍ଦୁଲକରଙ୍କ କ୍ରିକେଟ୍‌ କୃତିତ୍ବକୁ ନେଇ ଢେର ଚର୍ଚା ହୋଇଥାଏ। ପଡିଆ ବା‌ହାରେ ସଚିନଙ୍କ ମାନବୀୟ ଗୁଣ ଓ ସଙ୍କଳ୍ପବଦ୍ଧତା ବି କିଛି କମ୍‌ ନୁହେଁ। ପ୍ରାୟ ତିନି ଦଶନ୍ଧି ହେବ ସଚିନ ବିଶ୍ବର ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ଥିବା ସମସ୍ତଙ୍କୁ ଜଣା।‌ ଖେଳକୁ ଆସିବା ସହିତ ନିଶାଠାରୁ ଦୂରେଇ ରହିବା ଦିଗରେ ବି ସେ ସମସ୍ତଙ୍କ ପାଇଁ ଉଦାହରଣ ରଖିଛନ୍ତି। ଜୀବନରେ କେବେ ବି କୌଣସି ତମାଖୁ ଓ ମଦ ବିଜ୍ଞାପନରେ ସାମିଲ ହୋଇନାହାନ୍ତି।

୧୯୯୬ ମସିହାରେ ତାଙ୍କ ବ୍ୟାଟ୍‌କୁ ଏକ ତମାଖୁ କମ୍ପାନି ପ୍ରା‌ୟୋଜିତ କରିବାର ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ତୁରନ୍ତ ପ୍ରତ୍ୟାଖାନ କରି ଦେଇଥିଲେ। ସେବେଠାରୁ ଏହି ୪୭ ବର୍ଷୀୟ କ୍ରିକେଟର୍‌ କେବେ ବି କୌଣସି ତମାଖୁ, ମଦ, ପାନ ମସାଲା, ‌ଏପରିକି ସୋଡା ବିଜ୍ଞାପନକୁ ପ୍ରାୟୋଜିତ କରିନାହାନ୍ତି। ପ୍ରତି ଥର ଅନୁରୋଧ ଆସିବା ମାତ୍ରେ ସଚିନ ଏହାକୁ ନା କହି ଦିଅନ୍ତି। ୨୦୧୩ ମସିହାରେ ଅବସର‌ ନେବା ମାତ୍ରେ ମଧ୍ୟ ଏକ ୨୦ କୋଟିର ପ୍ରସ୍ତାବକୁ ସେ ତୁରନ୍ତ ପ୍ରତ୍ୟାଖାନ କରି ଦେଇଥିଲେ। ରବିବାର ‘ନୋ ଟବାକୋ ଡେ’ ପାଳିତ ହେବା ପୂର୍ବରୁ ଭାରତରତ୍ନ ସଚିନଙ୍କ ଏହି ନିଷ୍ପତ୍ତିକୁ ‌ସଚେତନତା ସୃଷ୍ଟି ଦିଗରେ ବ୍ୟବହାର କରାଯାଉଛି।

ସମ୍ବନ୍ଧିତ ଖବର