ସଚିନ ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବ‌ାଇ: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକର ଶୁକ୍ରବାର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର କୋଭିଡ ରିପୋର୍ଟ ପଜିଟିଭ୍‌ ଆସିବାର ୬ ଦିନ ପରେ ସତର୍କତାମୂଳକ ପଦକ୍ଷପ ଲାଗି ‌ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ‘‘ମୋର ଶୁଭକାଂକ୍ଷୀମାନଙ୍କୁ ଧନ୍ୟବାଦ। ସତର୍କତାମୂଳକ ପଦକ୍ଷପ ଲାଗି ମୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ମୋର ବିଶ୍ବାସ, କିଛି ଦିନ ମଧ୍ୟରେ ଘରକୁ ଫେରିବି। ସମସ୍ତଙ୍କୁ ଅନୁରୋଧ ନିଜର ଯତ୍ନ ନିଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ’’ ବୋଲି ୪୭ ବର୍ଷୀୟ ତେନ୍ଦୁଲକର ଶୁକ୍ରବାର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୭ ତାରିଖରେ ସଚିନଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା ଏବଂ ସେ ନିଜ ବାସଗୃହରେ ସଂଗରୋଧରେ ରହିଥିଲେ। ଡାକ୍ତରଖାନାରୁ ଏହି ବ୍ୟାଟିଂ ଶ୍ରେଷ୍ଠ ୨୦୧୧ ବିଶ୍ବକପ୍‌ ବିଜେତା ଦଳର ନିଜ ସାଥୀମାନଙ୍କୁ ଟ୍ବିଟର୍‌ ମାଧ୍ୟମରେ ଶୁଭେଚ୍ଛା ‌ଜଣାଇଛନ୍ତି।

‘‘ସମସ୍ତ ଭାରତୀୟ ଏବଂ ମୋଟ ଦଳୀୟ ସାଥୀମାନଙ୍କୁ ଆମର ବିଶ୍ବକପ୍‌ ବିଜୟର ଦଶମ ବାର୍ଷିକୀର ଅନେକ ଶୁଭେଚ୍ଛା’’ ବୋଲି ସଚିନ ଟ୍ବିଟର୍‌ ପୃ‌ଷ୍ଠାରେ ପ୍ରକାଶ କରିଛନ୍ତି। ତେନ୍ଦୁଲକରଙ୍କ ବା‌ଦ୍‌ ‘ସଡ଼କ ସୁରକ୍ଷା ବିଶ୍ବ ସିରିଜ୍‌’ରେ ଅଂଶ ଗ୍ରହଣ କରିଥିବା ୟୁସୁଫ ପଠାନ ଓ ଏସ୍‌ ବଦ୍ରିନାଥଙ୍କ ରିପୋର୍ଟ ମଧ୍ୟ କରୋନା ‌ପଜିଟିଭ୍‌ ଆସିଥିଲା। ଏହି ପ୍ରତିଯୋଗିତାରେ ‌ତେନ୍ଦୁଲକରଙ୍କ ନେତୃତ୍ବାଧୀନ ଭାରତୀୟ ଭେଟେରାନ ଦଳ ବିଜେତା ହୋଇଥିଲା।

ସମ୍ବନ୍ଧିତ ଖବର