ସଚିନ ଏକବିଂଶ ଶତାବ୍ଦୀର ‘ସର୍ବଶ୍ରେଷ୍ଠ ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍’

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା, ରିକି ପଣ୍ଟିଂ, ରାହୁଲ ଦ୍ରାବିଡ଼, ବ୍ରାଏନ ଲାରା ଓ ଆଲେଷ୍ଟର କୁକ୍‌ଙ୍କ ଭଳି ମହାନ ଖେଳାଳିଙ୍କୁ ପଛରେ ପକାଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ପୁରୁଷ ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ନିର୍ବାଚିତ ହୋଇଛନ୍ତି। ପ୍ରଶଂସକ ଏବଂ ଭାଷ୍ୟକାର ଗୋଷ୍ଠୀ ମିଳିତ ଭାବେ ସର୍ବାଧିକ ଭୋଟ ଦେଇ ତାଙ୍କୁ ଏହି ସମ୍ମାନଜନକ ପଦବି ଲାଗି ବାଛିଛନ୍ତି। ନିର୍ବାଚନରେ ଅଂଶଗ୍ରହଣ କରିଥିବା ଭାଷ୍ୟକାର ପ୍ୟାନେଲରେ ଭିଭିଏସ୍ ଲକ୍ଷ୍ମଣ, ଇର୍ଫାନ ପଠାନ, ଆକାଶ ଚୋପ୍ରାଙ୍କ ଭଳି ପୂର୍ବତନ କ୍ରିକେଟର ଥିଲେ। ଭାରତୀୟ କ୍ରିକେଟ୍ ପ୍ରତି ସଚିନ ଦେଇଥିବା ଅତୁଳନୀୟ ଅବଦାନ ଲାଗି ସେମାନେ ସଚିନଙ୍କୁ ଭୋଟ ଦେଇଥିଲେ।

ବହୁ ବିଦେଶୀ ଖେଳାଳି ମଧ୍ୟ ସଚିନଙ୍କୁ ବାଛିଥିଲେ। ଅନ୍ୟ କିଂବଦନ୍ତି କ୍ରିକେଟରଙ୍କ ମଧ୍ୟରେ ସାଙ୍ଗାକାରା ହିଁ ସଚିନଙ୍କୁ ଟକ୍କର ଦେଇଥିଲେ। ଏହି ବିଷୟ ସୂଚନା ଦେବାକୁ ଯାଇ ମହାନ କ୍ରିକେଟର ତଥା ପ୍ରତିଷ୍ଠିତ ଭାଷ୍ୟକାର ସୁନିଲ ଗାଭାସ୍କର ଟ୍ବିଟ୍ କରିଥିଲେ ଯେ ମୁକାବିଲା ଜୋରଦାର ଥିଲା। ଉଭୟ କୁମାର ସାଙ୍ଗାକାରା ଓ ସଚିନ ତେନ୍ଦୁଲକର ନିଶ୍ଚିତ ଭାବେ କ୍ରିକେଟ୍ ଖେଳର ଦୁଇ ମହାନ ତାରକା। ହେଲେ ଏକବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍‌ ନିର୍ବାଚନରେ ବିଜୟୀ ହେଉଛନ୍ତି ମୋ ସାଥୀ ମୁମ୍ବାଇକର ସଚିନ ରମେଶ ତେନ୍ଦୁଲକର।

୨୦୧୩ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିବା ସଚିନ ଏହି ସମ୍ମାନଜନକ ଉପାଧି ପାଇଁ ନିର୍ବାଚିତ ହେବା ତାଙ୍କ ପ୍ରଶଂସକଙ୍କୁ ଉଲ୍ଲସିତ କରିଛି। ସଚିନ (୫୧ ଶତକ, ୧୫୯୨୧ ରନ୍) ଏବେ ବି ଟେଷ୍ଟ୍ କ୍ରିକେଟ୍‌ର ସଫଳତମ ଖେଳାଳି ହୋଇ ରହିଛନ୍ତି। ସର୍ବାଧିକ ଟେଷ୍ଟ୍ ରନ୍‌ର ଦ୍ବିତୀୟ ସ୍ଥାନରେ ଥିବା ଜ୍ୟାକ୍ କାଲିସ୍ ତାଙ୍କଠାରୁ ୬ଟି ଶତକ ପଛରେ ଅଛନ୍ତି। ୩୮ ଶତକ ସହ ସାଙ୍ଗାକାରା ସର୍ବାଧିକ ଟେଷ୍ଟ୍ ସଂଗ୍ରହକାରୀଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର