ଦିଲସାନ୍‌ଙ୍କ ଦିନିକିଆ ଏକାଦଶରେ ସଚିନ ଏକମାତ୍ର ଭାରତୀୟ

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ୍ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ତିଲକରତ୍ନେ ଦିଲସାନ୍ ‌ସେ ଖେଳିଥିବା ଖେଳାଳି (ସହିତ ଓ ବିପକ୍ଷ)ଙ୍କୁ ନେଇ ଶ୍ରେଷ୍ଠ ଦିନିକିଆ ଏକାଦଶ ବାଛିଛନ୍ତି। ଏଥିରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି। ଦିଲସାନ୍ ନିଜ ଦଳରେ ସଚିନଙ୍କ ସହ ପୁରୁଣା ସାଥୀ ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସନଥ ଜୟସୂରିୟାଙ୍କୁ ପ୍ରାରମ୍ଭିକ ଯୋଡ଼ି ଭାବେ ‌ରଖିଛନ୍ତି। ୱେଷ୍ଟଇଣ୍ଡିଜ୍‌ର କିବଂଦନ୍ତି କ୍ରିକେଟର ବ୍ରାଏନ ଲାରାଙ୍କୁ ସେ ତିନି ନମ୍ବର ସ୍ଥାନ ପାଇଁ ବାଛିଥିଲା ବେଳେ ଚତୁର୍ଥ ସ୍ଥାନ ଲାଗି ଶ୍ରୀଲଙ୍କାର ଆଉ ଜଣେ ମହାନ ବ୍ୟାଟ୍ସମ୍ୟାନ୍ ମାହେଲା ଜୟବର୍ଦ୍ଧନେଙ୍କୁ ନେଇଛନ୍ତି। ପଞ୍ଚମ ସ୍ଥାନ ଲାଗି ଦିଲସାନ୍ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କୁ ଶ୍ରେଷ୍ଠ ବୋଲି ଭାବିଛନ୍ତି।

ପଣ୍ଟିଂଙ୍କୁ ଦିଲସାନ୍‌ ମଧ୍ୟ ଦଳର ଅଧିନାୟକ ମନୋନୀତ କରିଛନ୍ତି। ପଣ୍ଟିଂଙ୍କ ପରବର୍ତ୍ତୀ ଦୁଇ ସ୍ଥାନରେ ଦକ୍ଷିଣ ଆଫ୍ରିକା ଯୋଡ଼ି ଜ୍ୟାକ୍ କାଲିସ୍ ଓ ଏବି ଡି’ଭିଲିୟର୍ସଙ୍କୁ ରଖିଛନ୍ତି। ୱିକେଟ୍ ରକ୍ଷକ ପଦ ଡି’ଭିଲିୟର୍ସଙ୍କୁ ଦେଇ ସେ କିନ୍ତୁ ସମସ୍ତଙ୍କୁ ଚିକତ କରି ଦେଇଛନ୍ତି। ଦିଲସାନ୍‌ଙ୍କ ଦଳରେ କାଲିସ୍ ଏକମାତ୍ର ଅଲରାଉଣ୍ଡର ଥିଲା ବେଳେ ଦୁଇ ଜଣ ସ୍ପିନର ଓ ଦୁଇ ଜଣ ଦ୍ରୁତ ବୋଲର ସ୍ଥାନ ପାଇଛନ୍ତି। ଦ୍ରୁତ ବୋଲିଂ ବାହିନୀର ନେତୃତ୍ବଭାର ପାକିସ୍ତାନର ୱାସିମ ଆକ୍ରମଙ୍କୁ ଦିଆଯାଇଥିଲା ବେଳେ ୱେଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଧର୍ଷ ବୋଲର କର୍ଟନି ୱାଲସ ତାଙ୍କ ବୋଲିଂ ଯୋଡ଼ିଦାର ହୋଇଛନ୍ତି। ସ୍ପିନ୍ ବାହିନୀରେ ବିଶ୍ବର ଦୁଇ ମହାନ ସ୍ପିନର ମୁଥିୟା ମୁରଲୀଧରନ ଓ ସେନ୍ ୱାର୍ନ ରହିଛନ୍ତି। ଅଷ୍ଟ୍ରେଲିଆର ମହାନ ବୋଲର ଗ୍ଲେନ୍ ମ୍ୟାଗ୍ରାଙ୍କୁ ଦିଲସାନ ନିଜ ଦଳର ଦ୍ବାଦଶ ଖେଳାଳି କରିଛନ୍ତି। ଦଳ: ସଚିନ ତେନ୍ଦୁଲକର, ସନଥ ଜୟସୂରିୟା, ବ୍ରାଏନ ଲାରା, ମାହେଲା ଜୟବର୍ଦ୍ଧନେ, ରିକି ପଣ୍ଟିଂ (ଅଧିନାୟକ), ଜ୍ୟାକ୍ କାଲିସ୍, ଏବି ଡି’ଭିଲିୟର୍ସ, ୱାସିମ ଆକ୍ରମ, କର୍ଟନି ୱାଲ୍ସ, ମୁଥିୟା ମୁରଲୀଧରନ୍, ସେନ୍ ୱାର୍ନ। ଗ୍ଲେନ୍ ମ୍ୟାଗ୍ରା (ଦ୍ବାଦଶ ଖେଳାଳି)।

ସମ୍ବନ୍ଧିତ ଖବର