ନୂଆଦିଲ୍ଲୀ : ୧୯୮୯ ମସିହା ଏହି ତାରିଖ (ନଭେମ୍ବର ୧୫)ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ଆନ୍ତର୍ଜାତିକ କ୍ରିକେଟ୍ରେ ପଦାର୍ପଣ କରିଥିଲେ। ୩୧ ବର୍ଷ ତଳେ କରାଚିରେ ପାକିସ୍ତାନ ବିପକ୍ଷ ଏକ ଟେଷ୍ଟ୍ ମ୍ୟାଚ୍ ଖେଳି କିଂବଦନ୍ତି ତାରକା ସଚିନ ହିଁ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ସଂଯୋଗବଶତଃ ସେହି ଟେଷ୍ଟ୍ ଜରିଆରେ ପାକିସ୍ତାନ ଦ୍ରୁତ ବୋଲର ୱାକର ୟୁନିସ୍ ମଧ୍ୟ ତାଙ୍କର ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ଉଭୟ ସଚିନ ଓ ୱାକର୍ଙ୍କ ପଦାର୍ପଣ ଟେଷ୍ଟ୍ ଅମୀମାଂସିତ ରହିଥିଲା। ପୁଣି ସେହି ଟେଷ୍ଟ୍ରେ ହିଁ ସଚିନ୍ ପ୍ରଥମ ପାଳିରେ ମାତ୍ର ୧୫ ରନ୍ କରି ୱାକର୍ଙ୍କ ଶିକାର ହୋଇଥିଲେ। ଏହାପରେ କିନ୍ତୁ ସଚିନ୍ ଆନ୍ତର୍ଜାତିକ କ୍ରିକେଟ୍ ଇତିହାସରେ ସର୍ବକାଳୀନ ମହାନ୍ ବ୍ୟାଟ୍ସମ୍ୟାନ୍ ଭାବେ ପରିଗଣିତ ହୋଇଥିଲେ। ଏପରିକି ମାଷ୍ଟର ବ୍ଲାଷ୍ଟର ନାମରେ ସେ ସର୍ବତ୍ର ପରିଚିତ ହୋଇଥିଲେ। ମାତ୍ର ୧୬ ବର୍ଷ ବୟସରେ ଭାରତ ପାଇଁ ପଦାର୍ପଣ କରିଥିବା ସଚିନଙ୍କୁ ଏବେ ୪୬ ବର୍ଷ ଏବଂ ସେ ପଦାର୍ପଣ ପରଠାରୁ ଦେଶର ସର୍ବାଧିକ ପସନ୍ଦର କ୍ରିକେଟର୍ ବନି ଯାଇଥିଲେ।
୨୦୧୩ରେ ଆନ୍ତର୍ଜାତିକ କ୍ରିକେଟ୍କୁ ଅଲ୍ବିଦା ଜଣାଇଥିବା ସଚିନ ଏବେ ବି ଉଭୟ ଟେଷ୍ଟ୍ ଓ ଦିନିକିଆରେ ସର୍ବାଧିକ ସ୍କୋରର୍ ରହିଛନ୍ତି। ତାଙ୍କ ନାମରେ ମଧ୍ୟ ସର୍ବାଧିକ ଆନ୍ତର୍ଜାତିକ ଶତକର କୀର୍ତ୍ତିମାନ ଅତୁଟ ରହିଛି। ସମସ୍ତ ଫର୍ମାଟ୍ରେ ସଚିନ ମୋଟ ୩୪, ୩୫୭ ରନ୍ କରିଛନ୍ତି। ଯାହାକି ଦ୍ବିତୀୟ ସ୍ଥାନରେ ଥିବା ପୂର୍ବତନ ସିଂହଳୀ କ୍ରିକେଟର୍ କୁମାର ସାଙ୍ଗାକାରାଙ୍କଠାରୁ ୬୦୦୦ ରନ୍ରୁ ଅଧିକ। ଗତବର୍ଷ ଷଷ୍ଠ ଭାରତୀୟ ଭାବେ ସଚିନ ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ ହୋଇଥିଲେ। ଏହି ମାଷ୍ଟର ବ୍ଲାଷ୍ଟର ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସର ମାର୍ଗଦର୍ଶକ ଭାବେ ଦାୟିତ୍ବ ତୁଲାଇଛନ୍ତି।