ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଦ୍ବିତୀୟ ସନ୍ତାନର ବାପା ଓ ମା’ ହୋଇଛନ୍ତି। ଅନୁଷ୍କା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସେ ଏହି ସୂଚନା ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

Advertisment

୧୫ ଫେବୃଆରିରେ ସେ ତାଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିଥିବା କହିଛନ୍ତି। ଏଥିସହ ଅନୁଷ୍କା ତାଙ୍କ ପୁଅର ନାମ ମଧ୍ୟ ପ୍ରକାଶ କରିଛନ୍ତି। ଅନୁଷ୍କା ଶର୍ମା ପୋଷ୍ଟରେ ଲେଖିଛନ୍ତି- ‘ଆମେ ସମସ୍ତଙ୍କୁ ଜଣାଇ ଖୁସି ଯେ ଫେବୃଆରୀ ୧୫ରେ, ଆମେ ଭାମିକାଙ୍କ ସାନ ଭାଇ ତଥା ଶିଶୁପୁତ୍ର ଆକାୟଙ୍କୁ ଏହି ଦୁନିଆରେ ସ୍ୱାଗତ କରିଥିଲୁ!

ହଠାତ ବିରାଟ ଓ ଅନୁଷ୍କା ଦେଇଥିବା ଏହି ଖୁସିଖବର ପାଇବା ପରେ ବିରୁଷ୍କାଙ୍କ ଫ୍ୟାନ୍ସମାନେ ଖୁସି ଯେତିକି ଆଶ୍ଚର୍ଯ୍ୟ ବି ସେତିକି ହୋଇଯାଇଥିଲେ। କ‌ାରଣ ପୂର୍ବରୁ ବିରାଟ ଓ ଅନୁଷ୍କା ଦ୍ବିତୀୟ ସନ୍ତାନ ଆସିବାକୁ ଯାଉଥିବା ନେଇ କୌଣସି ପ୍ରକାର ସୂଚନା ଦେଇ ନଥିଲେ।

ନିକଟରେ ବିରାଟ କୋହଲିଙ୍କ ପୂର୍ବତନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସାଥୀ ଏବି ଡି ଭିଲିୟର୍ସ ବିରୁଷ୍କା ଦ୍ବିତୀୟ ସନ୍ତାନର ବାପା ଓ ମା’ ହେବାକୁ ଯାଉଥିବା କହିଥିଲେ। କିନ୍ତୁ ପରେ ସେ ନିଜ କଥାକୁ ଫେରାଇ ନେଇଥିଲେ। ତେବେ ଏପରି ସେ କାହିଁକି କରିଥି‌ଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ବିରାଟ ଓ ଅନୁଷ୍କା ଦ୍ବିତୀୟଥର ବାପା ଓ ମା’ ହେବାପ‌ରେ ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ମିଳୁଛି। ଏହି କ୍ରମରେ କ୍ରିକେଟର ସଚିନ ତେନ୍ଦୁଲକର ବିରୁଷ୍କାଙ୍କୁ ସ୍ବତନ୍ତ୍ରଶୈଳୀରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

ସଚିନ ଏକ୍ସ(ଟୁଇଟର)ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଆପଣଙ୍କ ପରିବାରରେ ଏକ ଅମୂଲ୍ୟ ସଦସ୍ୟ ଆକାୟଙ୍କ ଆଗମନ ପାଇଁ ବିରାଟ ଓ ଅନୁଷ୍କାଙ୍କୁ ଶୁଭେଚ୍ଛା। ଯେମିତି ତାଙ୍କ ନାମ ଖୁସିରେ ଭରିଛି ‌ସେମିତି ତାଙ୍କ ଜୀବନରେ ଖୁସି ଭରି ଯାଉ। ଦୁନିଆରେ ତୁମର ସ୍ବାଗତ ଛୋଟ ଚ୍ୟାମ୍ପ।’