ଜନ୍ମ ବାର୍ଷିକୀରେ ବ୍ରାଡମ୍ୟାନଙ୍କୁ ସଚିନଙ୍କ ଶ୍ରଦ୍ଧାଞ୍ଜଳି, ରେଟିଂ ପଏଣ୍ଟ୍‌କୁ କେହି ଛୁଇଁପାରି ନାହାନ୍ତି

ମୁମ୍ବାଇ: ଗୁରୁବାର ଥିଲା ମହାନ ଅଷ୍ଟ୍ରେଲୀୟ କ୍ରିକେଟର ସାର୍ ଡନ୍ ବ୍ରାଡମ୍ୟାନ୍‌ଙ୍କ ୧୧୨ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କୁ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବିଶ୍ବ କ୍ରିକେଟ୍‌ର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ ବ୍ରାଡମ୍ୟାନଙ୍କ ସହ ୧୯୯୮ ମସିହାରେ ଉଠାଇଥିବା ଫଟୋକୁ ପ୍ରକାଣ କରି ସଚିନ ଏହି କିଂବଦନ୍ତି କ୍ରିକେଟରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ସଚିନ ଲେଖିଥିଲେ ଯେ ଆଜି ବି ବ୍ରାଡମ୍ୟାନ୍‌ଙ୍କ ଖେଳ ଜୀବନ ଆମ ପାଇଁ ପ୍ରେରଣାର ଉତ୍ସ ହୋଇରହିଛି। ଆଜିକାର ସଙ୍କଟ ଜନକ ସ୍ଥିତିରେ ତାଙ୍କ ଖେଳ ଜୀବନର ଅସାଧାରଣ ପରିସଂଖ୍ୟାନ ଏବେକାର ପିଢ଼ି ପାଇଁ ଆଦର୍ଶର ପାହାଡ଼। ଜନ୍ମ ଦିନର ଅଶେଷ ଅଶେଷ ଶୁଭେଚ୍ଛା ସାର୍ ଡନ୍। ସୂଚନାଯୋଗ୍ୟ ଯେ ୧୯୯୮ ମସିହାର ଅଷ୍ଟ୍ରେଲିଆ ଗସ୍ତ ବେଳେ ବ୍ରାଡମ୍ୟାନ୍‌ଙ୍କ ୯୦ତମ ଜନ୍ମଦିନ ଅବସରରେ କଙ୍ଗାରୁ ସ୍ପିନର ସେନ୍ ୱର୍ନଙ୍କ ସହ ସଚିନ ତାଙ୍କୁ ତାଙ୍କ ବାସଭବନରେ ଭେଟ କରିଥିଲେ। ସେହି ଅନନ୍ୟ ଅଭିଜ୍ଞତାକୁ ସଚିନ ଅନେକ ସମୟରେ ନିଜ ଜୀବନର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ ଭାବେ ବର୍ଣ୍ଣନା କରି ଆସିଛନ୍ତି।

ସୂଚନାଯୋଗ୍ୟ ଯେ ୧୯୦୮ ମସିହା ଅଗଷ୍ଟ ୨୭ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ରାଡମ୍ୟାନ୍ ୧୯୨୮ରୁ ୧୯୪୮ ମସିହା ମଧ୍ୟରେ ଅଷ୍ଟ୍ରେଲିଆ ପାଇଁ ୫୨ ଟେଷ୍ଟ୍ ଖେଳିଥିଲେ। ତାଙ୍କ ବ୍ୟାଟିଂ ହାର ହେଉଛି ୯୯.୯୪। ଯାହାକୁ ଛୁଇଁବା କ୍ରିକେଟରଙ୍କ ପାଇଁ ଆଜି ବି ସ୍ବପ୍ନ ହୋଇରହିଛି। ଏହି ଯଶସ୍ବୀ କ୍ରିକେଟର ୯୨ ବର୍ଷ ବୟସରେ ୨୦୦୧ ମସିହା ଫେବ୍ରୁଆରି ୨୫ ତାରିଖରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ବିଶ୍ବଯୁଦ୍ଧ ଯୋଗୁଁ ନିଜ ଖେଳ ଜୀବନର ସ୍ବର୍ଣ୍ଣିମ ସମୟ ହରାଇଥିବା ବ୍ରାଡମ୍ୟାନ ୧୯୪୮ରେ ନିଜ ଶେଷ ଟେଷ୍ଟ୍ ଖେଳିଥିଲେ। ଏହାର ୭୨ ବର୍ଷ ପରେ ମଧ୍ୟ କେହି ତାଙ୍କ କୀର୍ତ୍ତିମାନକୁ ଛୁଇଁ ପାରିନାହାନ୍ତି। କେବଳ ସଚିନ ହିଁ ତାଙ୍କ ନିକଟତର ହୋଇ ପାରିଥିଲେ।

ସମ୍ବନ୍ଧିତ ଖବର