ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ସଫଳତମ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ବି ନିଜ ଖେଳ ଜୀବନର ଅଧିକାଂଶ ଭାଗ ଚାପଗ୍ରସ୍ତ, ଭାରାକ୍ରାନ୍ତ ଓ ଚିନ୍ତିତ ଅବସ୍ଥାରେ ଖେଳିଥିଲେ। ଏକଥାକୁ ସଚିନ ସୋମବାର ନିଜେ ସ୍ବୀକାର କରିଛନ୍ତି। ଖେଳ ଜୀବନର ୨୪ ବର୍ଷ ମଧ୍ୟରୁ ମୁଁ ୧୦-୧୨ ବର୍ଷ ଚିନ୍ତାଗସ୍ତ ଅବସ୍ଥାରେ ଖେଳିଥିଲି। ମ୍ୟାଚ୍ ପାଇଁ ସର୍ବଦା ପ୍ରାକ୍ ପ୍ରସ୍ତୁତି ଗୁରୁତ୍ବପୂର୍ଣ୍ଣ ବୋଲି ସଚିନ କହିଛନ୍ତି। କୋଭିଡ୍ ସମୟରେ ମାନସିକ ସ୍ବାସ୍ଥ୍ୟ ପ୍ରମୁଖ ଭୂମିକା ତୁଲାଉଥିବା ବେଳେ ସଚିନ କହିଛନ୍ତି ଗ୍ରହଣୀୟତା ଚାବିକାଠି। ‘ବିଗତ ବର୍ଷଗୁଡ଼ିକରୁ ମୁଁ ଅନୁଭବ କରିଛି ମ୍ୟାଚ୍ ପାଇଁ ଶାରୀରିକ ପ୍ରସ୍ତୁତି ସହିତ ମାନସିକ ପ୍ରସ୍ତୁତି ବି ଅତ୍ୟନ୍ତ ଆବଶ୍ୟକ। ପଡ଼ିଆ ଭିତରକୁ ପ୍ରବେଶ କରିବାର ବହୁ ପୂର୍ବରୁ ମୁଁ ମାନସିକ ପ୍ରସ୍ତୁତି କରିସାରିଥାଏ।
ଉତ୍କଣ୍ଠାର ସ୍ତର ବି ବହୁ ଉଚ୍ଚ ଥାଏ’ ବୋଲି ସଚିନ ପ୍ରକାଶ କରିଛନ୍ତି। ଖେଳ ଜୀବନ ଭିତରୁ ମୁଁ ୧୦୧୨ ବର୍ଷ ଏଭଳି ଅନୁଭବ କରିଛି ଏବଂ ମ୍ୟାଚ୍ ପୂର୍ବ ରାତିରେ ଶୋଇ ପାରିନଥିଲି। ପରେ ମୁଁ ଗ୍ରହଣ କରି ନେଇଥିଲି ଯେ ଏହା ମଧ୍ୟ ପ୍ରସ୍ତୁତିରେ ଏକ ଅଂଶବିଶେଷ। ଫଳରେ ଶୋଇ ପାରୁନଥିବା ରାତିରେ କିଛି ଭିନ୍ନ କରି ମାନସିକ ଶାନ୍ତି ଆଣିବାକୁ ଚେଷ୍ଟା କରିଥାଏ। ଏହା ମଧ୍ୟରେ ଛାୟା ବ୍ୟାଟିଂ, ଟିଭି ଦେଖିବା, ଭିଡିଓ ଗେମ୍ ଖେଳିବା ଆଦି ସାମିଲ ରହିଥାଏ। ଏପରିକି ମ୍ୟାଚ୍ ସକାଳେ ଚା’ କରିବା, ନିଜ ପୋଷାକ ଆଇରନ୍ କରିବା, ମ୍ୟାଚ୍ ପୂର୍ବଦିନ ମୁଁ ମୋ ବ୍ୟାଗ୍ ମଧ୍ୟ ପ୍ୟାକ୍ କରି ସାରିଥାଏ। ଏସବୁ ମୋତେ ମୋ ଭାଇ ଶିଖାଇଥିଲେ। ଭାରତ ପାଇଁ ଶେଷ ମ୍ୟାଚ୍ ଖେଳିବା ପର୍ଯ୍ୟନ୍ତ ମୁଁ ଏହି ଅଭ୍ୟାସ ଜାରି ରଖିଥିଲି ବୋଲି ସଚିନ କହିଛନ୍ତି। ୪୮ ବର୍ଷୀୟ ସଚିନ ୨୦୧୩ ମସିହାରେ ମୁମ୍ବାଇରେ ନିଜ ୨୦୦ତମ ଟେଷ୍ଟ୍ ମ୍ୟାଚ୍ ସହିତ ଅବସର ନେଇଥିଲେ। ନିକଟରେ କୋଭିଡ୍ରୁ ମୁକ୍ତି ପାଇଥିବା ସଚିନ ମଧ୍ୟ ସୋମବାର ନିଜ ସାକ୍ଷାତକାର ଅବସରରେ ଅକ୍ଲାନ୍ତ ପରିଶ୍ରମ କରୁଥିବା କରୋନା ଯୋଦ୍ଧା ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।