ୱେଷ୍ଟଇଣ୍ଡିଜ୍ ଅଡ଼ୁଆକୁ ମନେ ପକାଇଲେ ସଚିନ୍: ‘ଆମ୍ବ୍ରୋଜଙ୍କ ବଲ୍‌ରେ ଆଉଟ୍ ନଥିଲି, ଅମ୍ପାୟାରଙ୍କ ତ୍ରୁଟି ପାଇଁ ପଡ଼ିଆ ଛାଡ଼ିଥିଲି’

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ ଜାଜ୍ଜୁଲ୍ୟମାନ ଖେଳ ଜୀବନ ଭିତରେ ଅନେକଥର ଅମ୍ପାୟାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ଶିକାର ହୋଇଥିଲେ। ଡିଆରଏସ୍ ନଥିବାରୁ ସଚିନ ଏହାର ଆଇନସମ୍ମତ ବିରୋଧ ବି କରି ପାରି ନଥିଲେ। ହେଲେ ଜଣେ ସଚ୍ଚା ଭଦ୍ରଲୋକ ଭଳି ସବୁଥର ସେ ବିନା ବିରୋଧରେ ପଡ଼ିଆ ଛାଡ଼ି ଦେଉଥିଲେ। ଦୀର୍ଘ ବର୍ଷ ପରେ ସଚିନ ସମ୍ମୁଖୀନ ହୋଇଥିବା ଏଭଳି ଏକ ଅମ୍ପାୟାରିଂ ତ୍ରୁଟି ବିଷୟରେ ମୁହଁ ଖୋଲିଛନ୍ତି। ଏହି ଘଟଣା ଭାରତୀୟ ଦଳର ୧୯୯୭ ମସିହା ୱେଷ୍ଟଇଣ୍ଡିଜ୍ ଗସ୍ତ ବେଳେ ଘଟିଥିଲା। ସେହି ଗସ୍ତରେ ତ୍ରିନିଦାଦଠାରେ ଖେଳିଥିବା ଏକଦିବସୀୟ ମୁକାବିଲାରେ ଭଲ ବ୍ୟାଟିଂ କରୁଥିଲା ବେଳେ ଅମ୍ପାୟାର କିଭଳି ଭୁଲ ବଶତଃ ତାଙ୍କୁ କଟ୍ ବିହାଉଣ୍ଡ୍ ଆଉଟ୍ ‌ଦେଇଥିଲେ, ସେହି ଘଟଣା ଉପରୁ ସଚିନ ପରଦା ଉଠାଇଛନ୍ତି। ସଚିନ ସେହି ମ୍ୟାଚ୍‌ରେ ଶତକ କିମ୍ବା ଅର୍ଧଶତକ ଅର୍ଜନ କରି ନଥିଲେ। ହେଲେ କୋର୍ଟନି ୱାଲ୍ସ, କର୍ଟଲି ଆମ୍ବ୍ରୋଜ୍, ଇଆନ ବିଶପ ଓ ଫ୍ରାଙ୍କଲିନ ରୋଜ୍‌ଙ୍କ ଭଳି ମାରାତ୍ମକ ବୋଲରଙ୍କୁ ସାହସର ସହ ମୁକାବିଲା କରି ୪୩ ବଲ୍‌ରୁ ୧୦ ଚୌକା ସହାୟତାରେ ୪୪ ରନ୍‌ର ପାଳି ଖେଳିଥିଲେ। ଏହି ପାଳିକୁ ନିଜ ଜୀବନର ଅନ୍ୟତମ ସ୍ମରଣୀୟ ପାଳି ଭାବେ ବର୍ଣ୍ଣନା କରିଛନ୍ତି ସଚିନ।

‘‘୧୯୯୭ ମସିହାରେ ତ୍ରିନିଦାଦଠାରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆରେ କରିଥିବା ୪୪ ରନ୍‌ ମୋର ଅନ୍ୟତମ ପସନ୍ଦର ପାଳି। ଏହି ମ୍ୟାଚ୍‌ରେ ଆମେ ପ୍ରଥମେ ବ୍ୟାଟିଂ କରିଥିଲୁ। ମେଘୁଆ ପାଗ ଥିଲା ଏବଂ ସକାଳୁଆ ୱିକେଟ୍‌ରେ ଜଳୀୟବାଷ୍ପ ଭରି ରହିଥିଲା। କେବଳ ୱିକେଟ୍ ଆହ୍ବାନଭରା ନଥିଲା। ସେମାନଙ୍କ ବୋଲିଂ ମଧ୍ୟ ବେଶ୍ ଉଚ୍ଚକୋଟୀର ଥିଲା। ଇଣ୍ଡିଜ୍ ପେସ୍ ବାହିନୀରେ ୱାଲ୍ସ, ଆମ୍ବ୍ରୋଜ୍, ବିଶପ ଓ ରୋଜ୍‌ଙ୍କ ଭଳି ବୋଲର ଥିଲେ। ତଥାପି ମୁଁ ସେମାନଙ୍କୁ ପ୍ରତି ଆକ୍ରମଣ କରି ଦ୍ରୁତ ୪୪ ରନ୍ କରିଥିଲି। ହେଲେ ଶେଷରେ ଆମ୍ବ୍ରୋଜ୍‌ଙ୍କ ବଲ୍‌ରେ କଟ୍ ବିହାଇଣ୍ଡ ହୋଇଥିଲି ଏବଂ ଏହା ଏକ ମସ୍ତବଡ଼ ଅମ୍ପାୟାରିଂ ତ୍ରୁଟି ଥିଲା। ଏହି ବର୍ଷା ପ୍ରଭାବିତ ମ୍ୟାଚ୍‌କୁ ଆମେ ଦୁର୍ଭାଗ୍ୟଜନକ ଭାବେ ହାରି ଯାଇଥିଲୁ। ‌ବ୍ୟାଟିଂ ପାଇଁ ଅତ୍ୟନ୍ତ କଠିନ ପରିସ୍ଥିତି ଓ ପରିବେଶ ଥିବାରୁ ଏଠାରେ ଖେଳିଥିବା ପାଳି ମୋର ଅନ୍ୟତମ ପସନ୍ଦର ପାଳି’’ ବୋଲି ସଚିନ କହିଛନ୍ତି। ସୂଚନାଯୋଗ୍ୟ ଯେ ସଚିନଙ୍କ ଅଧିନାୟକତ୍ବରେ ଏହି ମ୍ୟାଚ୍ ଖେଳିଥିବା ଭାରତ ପ୍ରଥମେ ବ୍ୟାଟିଂ କରି ୧୭୯ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଆମ୍ବ୍ରୋଜ୍‌ଙ୍କୁ ୪ ୱିକେଟ୍ ମିଳିଥିଲା। ବର୍ଷା ପାଇଁ ପୁନଃ ନିର୍ଦ୍ଧାରିତ ୧୪୬ ରନ୍‌ର ଲକ୍ଷ୍ୟକୁ ଘରୋଇ ୱେଷ୍ଟଇଣ୍ଡିଜ୍ ମାତ୍ର ୨୭.୩ ଓଭରରେ ହାସଲ କରି ନେଇଥିଲା। ସଚିନ ମଧ୍ୟ ଏହି ଅବସରରେ ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ପାଳିକୁ ମନେ ପକାଇଥିଲେ। ଗୋଟିଏ ହେଲା ୨୦୦୦ ମସିହାର ଆଇସିସି ନକଆଉଟ୍ ଟ୍ରଫି ଏବଂ ଅନ୍ୟଟି ହେଲା ୨୦୦୧ ମସିହାର ଦ୍ବିପାକ୍ଷିକ ଶୃଙ୍ଖଳାରେ ଖେଳିଥିବା ପାଳି। ସେହି ଦ୍ବିପାକ୍ଷିକ ଶୃଙ୍ଖଳାର ଏକ ମ୍ୟାଚ୍‌ରେ ସଚିନ ଅଷ୍ଟ୍ରେଲିଆର ମହାନ ଦ୍ରୁତ ବୋଲର ଗ୍ଲେନ୍ ମ୍ୟାଗ୍ରାଙ୍କୁ ପ୍ରତି ଆକ୍ରମଣ କରି ତିନିଟି ଚୌକା ଓ ଗୋଟିଏ ଦର୍ଶନୀୟ ଛକା ମାରିଥିଲେ। ଯୋଜନା ଥିଲା, ମ୍ୟାଗ୍ରାଙ୍କ ଲାଇନ୍ ଓ ଲେନ୍ଥକୁ ବିଗାଡ଼ି ଦେବା। ହେଲେ ଦୁର୍ଭାଗ୍ୟଜନକ ଭାବେ ସଚିନ ୩୫ ରନ୍‌ରେ ରନ୍‌ଆଉଟ୍ ହୋଇ ଯାଇଥିଲେ। ଭାରତ ମ୍ୟାଚ୍ ହାରି ଯାଇଥିଲା। ୨୦୦୦ ମସିହାର ନାଇରୋବିଠାରେ ଖେଳା ଯାଇଥିବା ଆଇସିସି ଚାମ୍ପିଅନ୍ସ ନକଆଉଟ୍ ଟ୍ରଫି ମୁକାବିଲା କଥା ମନେ ପକାଇ ସେ କହିଛନ୍ତି ଯେ ନାଇରୋବିରେ ମ୍ୟାଗ୍ରାଙ୍କୁ ରଗାଇ ଦେଇଥିଲି। ଏଣୁ ଆଶା ମୁତାବକ ସେ ମୋ ଶରୀରକୁ ବୋଲିଂ କରିଥିଲି। ମୁଁ ତାଙ୍କୁ ସଫଳତାର ସହ ମୁକାବିଲା କରିଥିଲି। ଦ୍ରୁତ ୩୮ ରନ୍ କରିବା ପରେ ଅବଶ୍ୟ ଆଉଟ୍ ହୋଇ ଯାଇଥିଲି। ହେଲେ ଭାରତ ଜିତିଥିବାରୁ ବହୁତ ଖୁସି ଥିଲି।

ସମ୍ବନ୍ଧିତ ଖବର