ନୂଆଦିଲ୍ଲୀ: ସାରଜାଠାରେ ୧୯୯୮ ମସିହାରେ ଖେଳା ଯାଇଥିବା କୋକାକୋଲା କପ୍ କ୍ରିକେଟ୍ ପ୍ରତିଯୋଗିତା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଖେଳ ଜୀବନର ଏକ ବହୁ ଚର୍ଚିତ ଅଧ୍ୟାୟ। ଅଷ୍ଟ୍ରେଲୀୟ ସ୍ପିନର ସେନ୍ ୱାର୍ନଙ୍କୁ ନିର୍ଧୂମ ପ୍ରହାର କରି ତାଙ୍କ ନିଦ ହଜାଇ ଦେବାଠାରୁ ଆରମ୍ଭ କରି ଫାଇନାଲରେ ଶତକ ମାରି ଭାରତକୁ ବିଜୟୀ କରାଇବା ପର୍ଯ୍ୟନ୍ତ, ଏହି ପ୍ରତିଯୋଗିତା କେବଳ ସଚିନ ନୁହନ୍ତି, ତାଙ୍କ ପ୍ରଶଂସକଙ୍କ ପାଇଁ ମଧ୍ୟ ସବୁବେଳେ ସ୍ମରଣୀୟ ହୋଇ ରହିଛି। ସେହି ଶୃଙ୍ଖଳାରେ ସଚିନ ଏମିତି ରନ୍ ଝଡ଼ କରିଥିଲେ ଯେ ମ୍ୟାଚ୍ ବେଳେ ଆସିଥିବା ମରୁଝଡ଼ ମଧ୍ୟ ଏହା ସମ୍ମୁଖରେ ସଂପୂର୍ଣ୍ଣ ଫିକା ପଡ଼ି ଯାଇଥିଲା। ତେବେ ମରୁଝଡ଼ ବେଳେ ଘଟିଥିବା ଆଉ ଏକ ଅନାଲୋଚିତ ଘଟଣା ଉପରୁ ସଚିନ ମଙ୍ଗଳବାର ପରଦା ଉଠାଇଛନ୍ତି। ସଚିନ ଏହି ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ଦିନ ଭିତରେ ଦୁଇଟି ଶତକ ଅର୍ଜନ କରିଥିଲେ। ୧୯୯୮ ଏପ୍ରିଲ ୨୨ ତାରିଖରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ସଚିନଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡକୁ ଭାରତ ରନ୍ ରେଟ୍ରେ ପଛରେ ପକାଇ ଫାଇନାଲକୁ ଯାଇଥିଲା। ତେବେ ମରୁଝଡ଼ ପାଇଁ ଭାରତକୁ ମିଳିଥିବା ପୁନଃନିର୍ଧାରିତ ଲକ୍ଷ୍ୟ ତାଙ୍କୁ ଅତ୍ୟନ୍ତ କ୍ଷୁବ୍ଧ କରିଥିଲା। ସଚିନ ମଧ୍ୟ ପ୍ରଥମ ଥର ମରୂଝଡ଼ ଦେଖି ଅତ୍ୟନ୍ତ ଭୟଭୀତ ହୋଇ ଯାଇଥିଲେ। ଏହି ଘଟଣାକୁ ମନେ ପକାଇ ସଚିନ କହିଛନ୍ତି ଯେ ମରୁଝଡ଼ ପାଇଁ ଡ୍ରେସିଂ ରୁମ୍କୁ ଫେରି ଆମେ ପୁନଃ ନିର୍ଧାରିତ ଲକ୍ଷ୍ୟ ନେଇ ଆଲୋଚନା କରିଥିଲୁ। ପୁଣି ଥରେ ଖେଳ ଅରମ୍ଭ ହେବା ପରେ ଆମକୁ ୪୬ ଓଭର ମିଳିଥିଲା ଏବଂ ନିର୍ଧାରିତ ଲକ୍ଷ୍ୟ ମାତ୍ର ୮ରୁ ୯ ରନ୍ କମିଥିଲା। ଏଥିନେଇ ମୁଁ ବହୁତ ରାଗି ଯାଇଥିଲି। ପଶ୍ଚାତଧାବନ ଲାଗି ଆମେ ଯେତେବେଳେ ଯୋଜନା କରୁ, ପୂରା ୫୦ ଓଭରକୁ ନେଇ ହିସାବ କରୁ, ହେଲେ ଏଠି ହାତରୁ ୪ ଓଭର ଚାଲି ଯାଇଥିଲା ଏବଂ ଲକ୍ଷ୍ୟ ମାତ୍ର ୮-୯ ରନ୍ କମିଥିଲା। ସେଥିପାଇଁ ସବୁ ହିସାବ ଗଡ଼ବଡ଼ ହୋଇ ଯାଇଥିଲା।
ସୂଚନାଯୋଗ୍ୟ ଯେ ସଚିନ ସେହି ମ୍ୟାଚ୍ରେ ଶତକ ଅର୍ଜନ କରିଥିଲେ ମଧ୍ୟ ଭାରତ ପରାଜିତ ହୋଇଥିଲା। ତେବେ ରନ୍ ରେଟ୍ରେ ନ୍ୟୁଜିଲାଣ୍ଡକୁ କାଟି ଭାରତ ଫାଇନାଲ୍ ଖେଳିଥିଲା। ଦୁଇ ଦିନ ପରେ ଖେଳା ଯାଇଥିବା ଫାଇନାଲରେ ସଚିନଙ୍କ ଦ୍ବିତୀୟ ଶତକ ବଳରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ବିଜେତା ହୋଇଥିଲା। ତେବେ ଏପ୍ରିଲ ୨୨ର ସେହି ମରୁଝଡ଼ ବେଳେ ପଡ଼ିଆ ଭିତରେ ଥିବା ସଚିନ କିଭଳି ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ ସେ କଥା 'କ୍ରିକେଟ୍ କନେକ୍ଟ' କାର୍ଯ୍ୟକ୍ରମ ବେଳେ ବର୍ଣ୍ଣନା କରିଥିଲେ। '' ଜୀବନରେ ପ୍ରଥମ ଥର ପାଇଁ ମୁଁ ମରୁଝଡ଼ର ଅଭିଜ୍ଞତା ପାଇଥିଲି। ଏହାର କରାଳ ରୂପ ଦେଖିଥିଲି। ପୂର୍ବରୁ ମୁଁ କେବେ ବି ଏଭଳି ସ୍ଥିତିର ସାମ୍ନା କରି ନଥିଲି। ସେଥିପାଇଁ ସ୍ବାଭାବିକ ଭାବେ ମନରେ ପ୍ରଥମ ଭାବନା ଆସିଥିଲା ଯେ ଏହି ଝଡ଼ ମୋତେ ଉଡ଼ାଇ ନେବ। କହିବାକୁ ଗଲେ ଝଡ଼ ଅତ୍ୟନ୍ତ ଶକ୍ତିଶାଳୀ ଓ ଭୟଙ୍କର ଥିଲା। ସେଥିପାଇଁ ମୁଁ ସାହାରା ଖୋଜିଥିଲି। ପଛକୁ ଚାହିଁଲା ବେଳକୁ ମୋ ପଛରେ ଆଦାମ ଗିଲକ୍ରିଷ୍ଟ ଛିଡ଼ା ହୋଇଥିବା ଦେଖିବାକୁ ପାଇଲି। ଏଣୁ ସବୁ ସାମାଜିକ ଦୂରତା ଭୁଲି ମୁଁ ତାଙ୍କୁ ଜୋରରେ କୁଣ୍ଢାଇ ଧରି ପକାଇଲି। ଝଡ଼ରେ ଉଡ଼ିଯିବାର ଭୟ ଥିବାରୁ ଗିଲକ୍ରିଷ୍ଟଙ୍କ ରୂପରେ ମୋ ସହ ଆଉ ୮୦-୯୦ କିଲୋଗ୍ରାମ ଓଜନ ଅଛି ବୋଲି ଭାବିଥିଲି। କ୍ଷଣକୁ କ୍ଷଣ ମୋ ମନର ଭୟ ବଢ଼ାଇ ଚାଲିଥିଲା ବେଳେ ଅମ୍ପାୟାର ଆମକୁ ପଡ଼ିଆ ଛାଡ଼ିବାର ସଙ୍କେତ ଦେଇଥିଲେ।''