ମେଲ୍ବର୍ନ: ଅଷ୍ଟ୍ରେଲିଆ ତା’ର ନିଜସ୍ବ ଢଙ୍ଗରେ କ୍ରିକେଟ୍ ଖେଳିଥାଏ। ଏହି ଦଳ ପ୍ରତିଦ୍ବନ୍ଦ୍ବୀଙ୍କୁ କେତେବେଳେ ଚିଡ଼ାଇ ବିରକ୍ତ କରିବା (ସ୍ଲେଜିଂ)କୁ ଆପଣେଇ ଥାଏ ତ ଅନ୍ୟ କେତେବେଳେ ବଲ୍ର ରୂପ କଦର୍ଥ କରିବାକୁ ପଛଘୁଞ୍ଚା ଦେଇନଥାଏ। ଯାହାର ପରିଣତି ୨୦୧୮ ଦକ୍ଷିଣ ଆଫ୍ରିକା ଗସ୍ତରେ ଦେଖିବାକୁ ମିଳିଥିଲା। ସେହି ଗସ୍ତରେ ବାଲି କାଗଜରେ ବଲ୍ ବିକୃତ କରିବା ଅଭିଯୋଗରେ ଷ୍ଟିଭେନ୍ ସ୍ମିଥ୍, ଡେଭିଡ୍ ୱର୍ନର ଓ କାମେରନ୍ ବାନ୍କ୍ରଫ୍ଟ ଆନ୍ତର୍ଜାତିକ ବାସନ୍ଦ ଦଣ୍ଡ ଭୋଗିଥିଲେ। ଏହାସତ୍ତ୍ବେ ଅଷ୍ଟ୍ରେଲୀୟ କ୍ରିକେଟର୍ମାନେ ପ୍ରତିଦ୍ବନ୍ଦ୍ବୀଙ୍କୁ ଲୟ ବିଗାଡ଼ିବାରେ ସିଦ୍ଧହସ୍ତ ବୋଲି ପ୍ରମାଣିତ କରିଛନ୍ତି। ମାର୍ଭ ହ୍ୟୁଗ୍ସଙ୍କଠୁ ଗ୍ଲେନ୍ ମ୍ୟାକ୍ଗ୍ରା, ବ୍ରେଟ୍ ଲି'ଙ୍କଠୁ ସେନ୍ ୱର୍ନଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର କଟୁ ମନ୍ତବ୍ୟ ଓ ଆଚରଣ ଜରିଆରେ ବ୍ୟାଟ୍ସମ୍ୟାନ୍ଙ୍କୁ ଚିଡ଼ାଇବାକୁ ଅସ୍ତ୍ର କରିଥାନ୍ତି। ଏପରିକି ଅଣଖେଳୁଆଡ ବଲ୍ ମଧ୍ୟ ବୋଲିଂ କରିବାକୁ ପଛାନ୍ତି ନାହିଁ। ଏଭଳି କରିବାକୁ ଯେପରି ଅଷ୍ଟ୍ରେଲୀୟ ବୋଲରମାନେ ଆଇନସିଦ୍ଧ ବୋଲି ଭାବିଥାନ୍ତି। ହେଲେ ସେପରି ଜଣେ ବ୍ୟାଟ୍ସମ୍ୟାନ୍ ଅଛନ୍ତି ଯିଏକି ଅଷ୍ଟ୍ରେଲୀୟ ବୋଲରଙ୍କ ଅଣଖେଳୁଆଡ କୌଶଳକୁ ସହଜରେ ପ୍ରତିହତ କରିପାରନ୍ତି। ସେମାନଙ୍କ ସ୍ଲେଜିଂରେ ଆଦୌ ପ୍ରଭାବିତ ହୁଅନ୍ତିନି। ସେ ଆଉ କେହି ନୁହେଁ, ସେ ହେଲେ ଭାରତୀୟ ତାରକା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର। ଆଉ ଖାସ୍ ସେଥିପାଇଁ ହିଁ ସଚିନ୍ଙ୍କୁ କଦାପି ସ୍ଲେଜିଂ ନକରିବା ପାଇଁ ଅଷ୍ଟ୍ରେଲୀୟ ବୋଲର ଚିନ୍ତା କରନ୍ତି। ଏନେଇ ମ୍ୟାକ୍ଗ୍ରାଙ୍କ ପରାମର୍ଶକୁ ମନେ ପକାଇଛନ୍ତି ବ୍ରେଟ୍ ଲି। ସଚିନ୍ଙ୍କୁ କିପରି ସ୍ଲେଜିଂ ନରିବାକୁ ମ୍ୟାକ୍ଗ୍ରା ପରାମର୍ଶ ଦେଇଥିଲେ ତାହା ବର୍ଣ୍ଣନା କରିଛନ୍ତି ଲି। ସଚିନ୍ଙ୍କୁ ଆଦୌ ବିରକ୍ତ କରନାହିଁ, ତାଙ୍କ ସହ ବାକ୍ବିତଣ୍ଡା କରନି। କାରଣ ଏହା କଲେ ହିଁ ତୁମକୁ ଯନ୍ତ୍ରଣା ଭୋଗିବାକୁ ପଡ଼ିବ ବୋଲି ପ୍ରଥମ ଥର ଜାତୀୟ ଦଳକୁ ଆସିଥିଲା ବେଳେ ବ୍ରେଟ୍ ଲି'ଙ୍କୁ ମ୍ୟାକ୍ଗ୍ରା ପରାମର୍ଶ ଦେଇଥିଲେ। ମୁଁ ଯେତେବେଳେ ଉନ୍ନତି କରିବାରେ ଲାଗିଥିଲି ସେତେବେଳେ ଜଣେ ବୋଲିଂ ଅଧିନାୟକ ଥିଲେ। ସେ ହେଲେ ମ୍ୟାକ୍ଗ୍ରା। ସେ ସବୁବେଳେ ଯୁବ ବୋଲରଙ୍କୁ ଉଚିତ ପରାମର୍ଶ ଦେଉଥିଲେ। ସେ ମିଚେଲ ଜନ୍ସନ୍ ହୁଅନ୍ତୁ ବା ଅନ୍ୟ କେହି। ସଚିନ୍ଙ୍କୁ ଆଦୌ ବିରକ୍ତ କରନାହିଁ, ଯଦି ତୁମେ ଏହା କର ତାହାଲେ ସାରା ଦିନ କଷ୍ଟ ଓ ଯନ୍ତ୍ରଣା ଭୋଗିବ ବୋଲି ମ୍ୟାକ୍ଗ୍ରା ସବୁ ବୋଲରଙ୍କୁ କହୁଥିଲେ। ତେଣୁ ସଚିନ୍ଙ୍କ ପାଇଁ ଏହା ଭିନ୍ନ କ’ଣ କୌଶଳ ଅବଲମ୍ବନ କରାଯାଇପାରିବ ସେ ନେଇ ଆମ ବୋଲିଂ ବୈଠକରେ ଆଲୋଚନା କରାଯାଏ ବୋଲି ଷ୍ଟାର୍ ସ୍ପୋର୍ଟସ ସୋ ‘କ୍ରିକେଟ୍ କନେକ୍ଟେଡ୍’ରେ ଲି କହିଛନ୍ତି।
ସେହି ସଚିନ୍ ହିଁ ଏକମାତ୍ର କ୍ରିକେଟର୍ ଯିଏକି ନିଜ ନାମରେ ୧୦୦ ଆନ୍ତର୍ଜାତିକ ଶତକ ରଖିଛନ୍ତି। ସେ ମଧ୍ୟ ମ୍ୟାକ୍ଗ୍ରା, ବ୍ରେଟ୍ ଲି ଓ ସେନ୍ ୱର୍ନଙ୍କ ଭଳି ବୋଲରଙ୍କ ସହ ଅନେକ ସ୍ମୃତି ସାଉଁଟିଛନ୍ତି ଏବଂ ତାଙ୍କ ବିପକ୍ଷ ବ୍ୟକ୍ତିଗତ ଲଢ଼େଇରେ ବିଜେତା ବାହାରିଛନ୍ତି। ଫଳରେ ଅଷ୍ଟ୍ରେଲିଆ ବିପକ୍ଷରେ ହିଁ ସଚିନ୍ଙ୍କ କୀର୍ତ୍ତି ଭରପୁର ରହିଛି। ସଚିନ୍ ଅଷ୍ଟ୍ରେଲିଆ ବିପକ୍ଷରେ ୩୯ ଟେଷ୍ଟ ଖେଳି ୫୫ ହାରାହାରିରେ ୩୬୩୦ ରନ୍ କରିଥିଲା ବେଳେ ସେଥିରେ ୧୧ ଶତକ ଓ ଗୋଟିଏ ଦ୍ବିତଶତକ ସାମିଲ ରହିଛି। ସେହି କଙ୍ଗାରୁ ଦଳ ବିପକ୍ଷରେ ଦିନିକିଆ ଆନ୍ତର୍ଜାତିକରେ ୭୧ ମ୍ୟାଚ୍ ଖେଳି ୩୦୭୭ ରନ୍ କରିଛନ୍ତି। ସେଥିରେ ୯ ଶତକ ସାମିଲ ଅଛି। ସଚିନଙ୍କ ସମୟର ଅନ୍ୟ ଜଣେ ମହାନ୍ ବୋଲର ଥିଲେ ପାକିସ୍ତାନ ସ୍ପିନର ସାକ୍ଲେନ୍ ମୁସ୍ତାକ। ସେ ମଧ୍ୟ ସଚିନ୍ଙ୍କ ଉପରେ ସମାନ କାହାଣୀ କହିଛନ୍ତି। ତାଙ୍କୁ ବିରକ୍ତ କରିବା ବା ସ୍ଲେଜିଂ କରିବାର ପରିଣତି ନିଜ ପାଇଁ ଭୟଙ୍କର ହୋଇଥାଏ। ମୁଁ ଯେତେବେଳେ ନୂଆ ଭାବେ ଜାତୀୟ ଦଳରେ ସାମିଲ ହୋଇଥିଲି ସେତେବେଳେ ପ୍ରଥମ ଥର ପାଇଁ ସଚିନ୍ଙ୍କୁ ସ୍ଲେଜିଂ କରିଥିଲି। ମୋର ଠିକ୍ ମନେ ଥିଲେ ଏହା ହିଁ ୧୯୯୭ ମସିହା କଥା। ସଚିନ୍ ଅତ୍ୟନ୍ତ ନମ୍ରତାର ସହ ମୋ ପାଖକୁ ଆସିଲେ ଏବଂ ମୁଁ ତୁମ ପ୍ରତି ଆଦୌ ଦୁର୍ବ୍ୟବହାର କରିନି, ହେଲେ ତୁମେ କାହିଁକି ମୋତେ ଖରାପ ଆଚରଣ ଦେଖାଉଚ ବୋଲି ପ୍ରଶ୍ନ କରିିଥିଲେ। ମୁଁ ଲଜ୍ଜିତ ହୋଇଥିଲି। ସେଭଳି ବ୍ୟକ୍ତିଙ୍କୁ କ’ଣ ବା ଉତ୍ତର ଦେବି ବୋଲି କିଛି ଜାଣିପାରିନଥିଲି। ଆଉ କେବେ ଜୀବନସାରା ତାଙ୍କୁ ସ୍ଲେଜିଂ କରିନଥିଲି ବୋଲି ସାକ୍ଲେନ୍ କହିଛନ୍ତି।