ସଚିନଙ୍କ ୧୦୦ ଶତକ କୀର୍ତ୍ତିମାନ ଭାଙ୍ଗିପାରିବେ ବିରାଟ: ହଗ୍‌

ନୂଆଦିଲ୍ଲୀ: ପୂର୍ବତନ ଅଷ୍ଟ୍ରେଲିଆ ସ୍ପିନର ବ୍ରାଡ୍‌ ହଗ୍‌ ବିଶ୍ବାସ ରଖିଛନ୍ତି‌ ଯେ ଏବର ଭାରତୀୟ ଅଧନାୟକ ବିରାଟ କୋହଲି ହିଁ କ୍ରିକେଟ୍‌ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ୧୦୦ ଅନ୍ତର୍ଜାତୀୟ ଶତକ କୀର୍ତ୍ତିମାନକୁ ଭାଙ୍ଗିପାରିବେ। ସଚିନ ଟେଷ୍ଟ୍‌ରେ ୫୧ ଓ ଦିନିକିଆରେ ୪୯ ଶତକ ହାସଲ କରିଥିଲା ବେଳେ ବିରାଟ ଏ ପର୍ଯ୍ୟନ୍ତ ୭୦ (୨୭ ଟେଷ୍ଟ୍‌, ୪୩ ଦିନିକିଆ) ଶତକ ହାସଲ କରିସାରିଲେଣି। ସର୍ବାଧିକ ଶତକ କରିବାରେ ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୭୧) ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ଏବେ ବିରାଟଙ୍କ ଫିଟ୍‌ନେସ୍‌ ସ୍ତର ଯେପରି ରହିଛି ସଚିନଙ୍କ କ୍ରିକେଟ୍‌ ଆରମ୍ଭ ବେଳଠୁ ବହୁତ ଭଲ। ଏଥିସହ ଏମାନଙ୍କ ନିକଟରେ ଏବେ ‌ଉନ୍ନତମାନର ଫିଟ୍‌ନେସ୍‌ ପ୍ରଶିକ୍ଷକ ରହିଛନ୍ତି। ବୋର୍ଡ ବି ‌ଖେଳାଳିଙ୍କ ପାଇଁ ଏକାଧିକ ଫିଜିଓ ଓ ଡାକ୍ତରଙ୍କୁ ନିଯୁକ୍ତ କରିଛି। ଫଳରେ ଆହତ‌ ହେଉହେଉ ଚିକିତ୍ସା ଆରମ୍ଭ ହୋଇଯାଉଛି ଏବଂ ଶୀଘ୍ର ସୁସ୍ଥ ମଧ୍ୟ ହେଉଛନ୍ତି। ଏଥିପାଇଁ ଖେଳାଳିମାନେ କମ୍‌ ମ୍ୟାଚ୍‌ ହରାଉଥିଲା ବେଳେ ଅଧିକ ମ୍ୟାଚ୍‌ ଖେଳିପାରୁଛନ୍ତି। ଏସବୁ ଦେଖିଲେ ସଚିନଙ୍କ କୀର୍ତ୍ତିମାନ କୋହଲି ଭାଙ୍ଗିବାର ଆଶା ରହିଛି ବୋଲି ହଗ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ କହିଛନ୍ତି। ଅନ୍ୟପକ୍ଷରେ ହଗ୍‌ ଭାରତୀୟ ବୋଲିଂ ବାହିନୀକୁ ମଧ୍ୟ ପ୍ରଶଂସା କରିଛନ୍ତି। ୨୦୧୮ ନଭେମ୍ବରରେ ଅଷ୍ଟ୍ରେଲିଆ ଦଳ ସହ ଭାରତ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ଖେଳିବା ଲାଗି ସେଠାକୁ ଗସ୍ତ କରିଥିଲି। ସେହି ସମୟରେ ଭାରତୀୟ ବୋଲିଂ ଆକ୍ରମଣ ବିଶ୍ବ କ୍ରିକେଟ୍‌ରେ ପ୍ରଭାବ ବିସ୍ତାର କରିଥିଲା। ଭାରତୀୟ ଦ୍ରୁତ ବୋଲରଙ୍କ ସହଳ ୱିକେଟ୍‌ ଦଖଲ କରିବା କଳା ଅନ୍ୟ ଦଳଗୁଡ଼ିକଠୁ ଉନ୍ନତ ଥିଲା। ‌‌ସେମାନେ ଭଲ ଦଳ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ସହ ବାଂଲାଦେଶ ଏବଂ ଅନ୍ୟ କିଛି ଭଲ ଦଳ ବିପକ୍ଷରେ ଖେଳି ବୋଲିଂ ବାହିନୀକୁ ଅଧିକ ଶାଣିତ କରି ପାରିଛନ୍ତି ବୋଲି ହଗ୍‌ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର