ସଚିନଙ୍କ ବିଳମ୍ବ ଆଗମନ ଦ୍ବନ୍ଦ୍ବ ଦୂର କଲେ ହାର୍ପର

ନୂ୍ଆଦିଲ୍ଲୀ: ୨୦୦୭ ମସିହାର କେପ୍‌ଟାଉନ୍‌ ଟେଷ୍ଟ୍‌ କ୍ରିକେଟ୍‌ ଇତିହାସରେ ଅନ୍ୟତମ ଅପ୍ରୀତିକର ପରିସ୍ଥିତିକୁ ନଜରକୁ ଆଣିଥିଲା। ଚତୁର୍ଥ ଦିବସରେ ଭାରତ ଦ୍ବିତୀୟ ପାଳି ଖେଳିବାକୁ ଆସିବା ମାତ୍ରେ ସଅଳ ସଅଳ ଏହାର ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ ଏବଂ ୱାସିମ୍ ଜାଫରଙ୍କୁ ହରାଇଥିଲା। ସଚିନ ତେନ୍ଦୁଲକର ପ୍ୟାଡ୍‌ ପରିଧାନ କରିଥିବାରୁ ବ୍ୟାଟିଂ କରିବାକୁ ଆସିବା କଥା। କିନ୍ତୁ ଅସ୍ବାଭାବିକ ବିଳମ୍ବ କାରଣରୁ ଦକ୍ଷିଣ ଆଫ୍ରିକା ଅଭିଯୋଗ କରିଥିଲା। କାରଣ ବିଳମ୍ବ ୩ ମିନିଟ୍ ଅତିକ୍ରମ କରିଯିବାରୁ କ୍ରିକେଟ୍‌ ନିୟମ ଆନୁସାରେ ସଚିନ ଟାଇମ୍ ଆଉଟ୍‌ ହେବା କଥା। ଅମ୍ପାୟାର୍‌ ଡାରିଲ ହାର୍ପର କିନ୍ତୁ ଦକ୍ଷିଣ ଆଫ୍ରିକା ଅଧିନାୟକ ଗ୍ରେମ୍ ସ୍ମିଥଙ୍କୁ ଆବେଦନ ନ କରିବାକୁ ପରାମର୍ଶ ଦେଇଥିଲେ। କାରଣ ଏହି ବିଳମ୍ବ ଉଦ୍ଦେଶ୍ୟମୂଳକ ନଥିଲା, କିଛି ଅଦୃଶ୍ୟ ବୈଷୟିକ ତ୍ରୁଟିରୁ ହୋଇଥିଲା। ପୂର୍ବଦିନ ଦକ୍ଷିଣ ଆଫ୍ରିକା ପାଳି ବେଳେ ଆହତ‌ ହୋଇ ପଡ଼ିଆ ବାହାରକୁ ଯାଇଥିବାରୁ ସଚିନ ଭାରତ ପାଳିର ସେତିକି ସମୟ ପରେ ଆସିପାରିବାର ନିୟମ ରହିଥିଲା। ଭାରତୀୟ ଦଳ ମଧ୍ୟ ସେତିକି ସମୟ ମଧ୍ୟରେ ଏହାର ପ୍ରାରମ୍ଭିକ ଯୋଡ଼ିଙ୍କୁ ହରାଇବାର ଆଶଙ୍କାରେ ନଥିଲା। ଜାଫରଙ୍କ ୱିକେଟ୍‌ ପତନ ବେଳକୁ ସଚିନ କିନ୍ତୁ ଏକମାତ୍ର ଖେଳାଳିଭାବେ ପ୍ୟାଡ୍ ପରିଧାନ କରିଥିଲେ। ଚତୁର୍ଥ ଅମ୍ପାୟାର୍‌ ଖବର‌ ଦେଇଥିଲେ ସଚିନ ଏବେ ବ୍ୟାଟିଂ କରିବାକୁ ଯାଇପାରିବେ ନାହିଁ। ଏଥି ପାଇଁ ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ଼ଙ୍କୁ ବି ତୁରନ୍ତ ପ୍ୟାଡ୍ ପରିଧାନ କରିବାକୁ ପଡ଼ିଥିଲା। ଦ୍ରାବିଡ଼ଙ୍କ ପରେ ଗାଙ୍ଗୁଲି ବ୍ୟାଟିଂ ପାଇଁ ଯାଇଥିଲେ। ସଚିନ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିବାର ସ‌ୁଯୋଗ ପାଇଥିଲେ।

ସେଦିନର ଖେଳ ଶେଷରେ ପଡିଆ ଅମ୍ପାୟାର୍‌ ଡାରିଲ ହାର୍ପରଙ୍କ ସାମ୍ବାଦିକ ସମ୍ମିଳନୀରେ ଅସମ୍ଭବ ଭିଡ‌ ଦେଖି ସେ କିଭଳି ଆଶ୍ଚର୍ଯ୍ୟ ‌ହୋଇଯାଇଥିଲେ ଶନିବାର ପ୍ରକାଶ କରିଛନ୍ତି। ‘ମୁଁ ସାମ୍ବାଦିକ ସମ୍ମିଳନୀରେ ସମ୍ଭାବ୍ୟ ୧୦ ଜଣଙ୍କୁ ଆଶା କରିଥିଲି। କିନ୍ତୁ ମୁଁ ସିଟ୍‌ରେ ବସିବାବେଳକୁ ପ୍ରାୟ ୫୦ ଜଣ ଗଣମାଧ୍ୟମ ପ୍ରତିନିଧି‌‌ ମୋ ଉତ୍ତରକୁ ଅପେକ୍ଷା କରିଥିଲେ। ଏହା ମୋତେ ମନେ ପକାଇ ଦେଇଥିଲା ପ୍ରତିଟି ଭାରତ ଗସ୍ତକୁ କିଭଳି ବଡ଼ ଗଣମାଧ୍ୟମ ଦଳ ଅନୁସରଣ କରିଥାଏ’ ବୋଲି ହାର୍ପର ପ୍ରକାଶ କରିଥିଲେ। ଭାରତୀୟ ଦଳ ଖେଳୁଥିବା ମ୍ୟାଚ୍‌ ଅମ୍ପାୟାରିଂ କରିବା କଷ୍ଟକର କି‌ ବୋଲି ପ୍ରଶ୍ନ ହେବାରୁ ହାର୍ପର କହିଥିଲେ ‘ନିଶ୍ଚିତ ଭାବେ ହଁ’। ବିଶ୍ବସାରା ଭାରତୀୟ ପ୍ରଶଂସକମାନେ ସେମାନଙ୍କ କ୍ରିକେଟ୍ ଦଳକୁ ପିଛା କରିଥାନ୍ତି। ମୁଁ ଯେଉଁଠିକି ଯାଇଛି ସେଠାରେ ଭାରତୀୟ ପ୍ରଶଂସକଙ୍କୁ ଦେଖିଛି। ୨୦୧୧ ମସିହାରେ ମୁଁ ଦିନେ ଜାମାଇକା ଟେଷ୍ଟ୍ ସାାରି ମନହାଟ୍ଟନ (ନ୍ୟୁୟର୍କ) ଦେଇ ଘରକୁ ଫେରୁଥାଏ। ସାଧା ପୋଷାକରେ ଥିଲି, ଏକ ଗଳିରେ କିଛି ଅଜଣା‌ ଲୋକ ମୋତେ ଚିହ୍ନି ପକାଇ ୩ ଥର ଅଟକାଇଥିଲେ। ଏକାଧିକ କ୍ରିକେଟ୍ ପ୍ରଶ୍ନ ପଚାରିଥିଲେ। ସମସ୍ତେ ଭାରତୀୟ ଥିଲେ ଏବଂ ଅତି ଭଦ୍ର ଓ ସମ୍ମାନର ସହ ପ୍ରଶ୍ନ କରିଥିଲେ’ ବୋଲି ହାର୍ପର ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର