ସଚିନଙ୍କ ନୂଆ ଅବତାର, ପୂଜାରାଙ୍କ ଚୁଟି କାଟିଲେ ପୂଜା

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମଙ୍ଗଳବାର ଏକ ନୂଆ ଅବତାରରେ ଦେଖିବାକୁ ମିଳିଛି। ହାତରେ କଇଁଚି ଓ ପାନିଆ ଧରି କ୍ରିକେଟ୍‌ର ଭଗବାନ ପୁଅ ଅର୍ଜୁନଙ୍କ ଚୁଟି କାଟୁଥିବାର ଭିଡିଓ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିବା ପରେ ଏହା ଭାଇରାଲ ହୋଇଛି। କରୋନା ମହାମରୀ ପାଇଁ କ୍ରିକେଟ୍ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ବହୁ ପୂର୍ବତନ କ୍ରିକେଟର ଘରେ ରହି ନୂଆ ନୂଆ କାମରେ ହାତ ଦେଉଛନ୍ତି। ସଚିନ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଚୁଟି କାଟିବା ପ୍ରକ୍ରିୟାରେ ସାହାଯ୍ୟ କରିଥିବାରୁ ସଚିନ ମଧ୍ୟ ଏହି ଭିଡିଓରେ ଝିଅ ସାରାଙ୍କୁ ଧନ୍ୟବାଦ ଦେଇଛନ୍ତି। ଭିଡିଓ ତଳେ ସଚିନ ଲେଖିଛନ୍ତି ଯେ ଜଣେ ପିତା‌ ଭାବେ ପିଲାଙ୍କ ପାଇଁ ଆପଣଙ୍କୁ ସବୁକିଛି କରିବାକୁ ହେବ। ଖେଳିବାଠାରୁ ଆରମ୍ଭ କରି ବ୍ୟାୟାମ ଓ ଚୁଟି ମଧ୍ୟ କାଟିବାକୁ ପଡ଼ିବ। ତେବେ ଚୁଟି ଯେମିତି ବି କାଟାଯାଉ ନା କାହିଁକି, ତୁମେ ସବୁବେଳେ ସୁନ୍ଦର ରହିବ। ସାରା ତେନ୍ଦୁଲକର ସାହାଯ୍ୟ ପାଇଁ ତୁମକୁ ବହୁତ ବହୁତ ଧନ୍ୟବାଦ। ଏହା ପୂର୍ବରୁ ସଚିନ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବାର ଭିଡିଓ ପ୍ରକାଶ କରି ଚର୍ଚିତ ହୋଇଥିଲା।

ଭଦୋଦରା: ଭାରତୀୟ କ୍ରିକେଟ୍ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରା ମଙ୍ଗଳବାର ଏକ ମଜାଦାର ଫଟୋ ପ୍ରକାଶ କରିଛନ୍ତି। ଏଥିରେ ପତ୍ନୀ ପୂଜା ପବାରୀ ତାଙ୍କ ଚୁଟି କାଟି ନୂଆ ଷ୍ଟାଇଲ୍ ଦେଉଥିବା ଦେଖିବାକୁ ମିଳୁଛି। ଚୁଟି କାଟି ସାରିବା ପରେ ପୂଜାରା ମଧ୍ୟ ନିଜ ନୁଆ ଲୁକ୍‌ର ଏକ ଫଟୋ ପ୍ରଶଂସକଙ୍କ ପାଇଁ ଇନଷ୍ଟାଗ୍ରାମ୍ କରିଥିଲେ। ୯୯ ରନ୍‌ରେ ଥାଇ ସିଙ୍ଗଲ ରନ୍ ନେବା ଲାଗି ସାଥୀ ଖେଳାଳିଙ୍କ ଉପରେ ଭରସା ନା ପତ୍ନୀଙ୍କୁ ଚୁଟି କାଟିବାକୁ ଦେବା, କେଉଁଟି ଅଧିକ ସାହସିକ କାମ? ବୋଲି ସେ ନିଜ ଫଟୋ ତଳେ ଲେଖିଥିଲେ। କରୋନା ଆତଙ୍କ ପାଇଁ କ୍ରିକେଟରମାନେ ମାର୍ଚ ୨୪ ତାରିଖରୁ ଘରେ ତାଲାବନ୍ଦ ଥିଲା ବେଳେ ପୂଜାରା ମଧ୍ୟ ବାହାରକୁ ଯାଇ ପାରୁନାହାନ୍ତି। ସେଥିପାଇଁ ପତ୍ନୀ ଓ ଝିଅ ସହ ଅଧିକ ସମୟ କଟାଉଛନ୍ତି।

ସମ୍ବନ୍ଧିତ ଖବର