ନୂଆଦିଲ୍ଲୀ: କାସ୍ରୁ ଭିନେଶଙ୍କ ଅଯୋଗ୍ୟ ଘୋଷିତ କରାଯାଇଥିବା ମାମଲାର ରାୟ ଆସି ନଥିବା ବେଳେ ଏଭଳି ସମୟରେ ତାଙ୍କ ସମର୍ଥନରେ ବାହାରିଛନ୍ତି କ୍ରିକେଟ୍ର ଭଗବାନ ତଥା ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର। ସଚିନ୍ ତାଙ୍କ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ମତାମତ ରଖିଛନ୍ତି। ତାଙ୍କ ମତରେ, ‘‘ପ୍ରତ୍ୟେକ ଖେଳରେ ନିୟମ ଥାଏ ଓ ସେହି ନିୟମଗୁଡ଼ିକର ପ୍ରାସଙ୍ଗିକତାକୁ ଦେଖାଯିବା ଆବଶ୍ୟକ। ଆବଶ୍ୟକସ୍ଥଳେ ସେଗୁଡ଼ିକରେ ସଂଶୋଧନ କରାଯାଏ। ଭିନେଶ ଫୋଗଟ ଫାଇନାଲ୍ ପାଇଁ ଯୋଗ୍ୟତା ପାଇବା ସ୍ବଚ୍ଛତାର ସହ ଯୋଗ୍ୟତା ପାଇଥିଲେ। କିନ୍ତୁ ଫାଇନାଲ୍ ପୂର୍ବରୁ ଓଜନକୁ ଦେଖାଇ ତାଙ୍କୁ ଅଯୋଗ୍ୟ କରିଦିଆଯିବା ଦ୍ବାରା ତାଙ୍କଠୁ ନିଶ୍ଚିତ ରୌପ୍ୟ ପଦକକୁ ଛଡ଼ାଇ ନିଆଯାଇଛି, ଯାହାକି ଯୁକ୍ତିଯୁକ୍ତ ନୁହେଁ ଓ ଖେଳୁଆଡ଼ ମନୋଭାବକୁ ଦର୍ଶାଉନାହିଁ। ଯଦି କୌଣସି ଖେଳାଳି ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ନିଷିଦ୍ଧ ଔଷଧ ସେବନ କରିଥାନ୍ତି, ସେ କ୍ଷେତ୍ରରେ ଅଯୋଗ୍ୟ ଘୋଷିତ କରାଯାଇଥାଏ। ସେ କ୍ଷେତ୍ରରେ ଖେଳାଳିଙ୍କୁ ପଦକ ଦିଆ ନଯିବା ଓ ଶେଷ ସ୍ଥାନକୁ ଖସାଇ ଦିଆଯିବା ଯୁକ୍ତିସଂଗତ। କିନ୍ତୁ ଭିନେଶ ତାଙ୍କ ପ୍ରତିପକ୍ଷଙ୍କୁ ଯଥାର୍ଥତାର ସହ ପରାଜିତ କରି ଶୀର୍ଷ ଦୁଇ ସ୍ଥାନକୁ ଉଠିଥିଲେ। ତେଣୁ ସେ ନିଶ୍ଚିତଭାବେ ପଦକର ହକ୍ଦାର। ଯେତେବେଳେ ଆମେ କାସ୍ର ରାୟକୁ ଅପେକ୍ଷା କରିଛୁ, ଏହି ସମୟରେ ଭିନେଶ ତାଙ୍କ ହକ୍ ଯେପରି ଫେରିପାଆନ୍ତୁ ସେଥିପାଇଁ ଆଶା ରଖିବା ସହ ପ୍ରାର୍ଥନା କରନ୍ତୁ।’’
କାସ୍ରେ ଭିନେଶଙ୍କ ଆବେଦନ ଉପରେ ଆନ୍ତର୍ଜାତିକ ଅଲିମ୍ପିକ୍ ସମିତି (ଆଇଓସି)ର ମୁଖ୍ୟ ଥୋମାସ୍ ବାକ୍ ନକରାତ୍ମକ ଟିପ୍ପଣୀ ଦେଇଛନ୍ତି। ୫୦ କେଜି ମହିଳା କୁସ୍ତିରେ ଦୁଇଟି ରୌପ୍ୟ ପଦକ ଦିଆଯିବା ସମ୍ଭାବନା ନାହିଁ ବୋଲି ବାକ୍ କହିଛନ୍ତି। ତଥାପି ଭିନେଶଙ୍କ ପରିସ୍ଥିତିକୁ ସେ ବୁଝୁଥିବା ବେଳେ କାସ୍ଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ଯଦି ଦୁଇଟି ରୌପ୍ୟ ପଦକ ଦିଆଯାଏ ତାହେଲେ ଏକ ଖରାପ ପରମ୍ପରା ଆରମ୍ଭ ହେବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ଭିନେଶଙ୍କୁ ଫାଇନାଲ୍ ପୂର୍ବରୁ ମାତ୍ର ୧୦୦ ଗ୍ରାମ୍ ଓଜନ ବୃଦ୍ଧି ହୋଇଥିବାରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଏପରିକି ତାଙ୍କୁ କୌଣସି ରୢାଙ୍କ୍ ମଧ୍ୟ ଦିଆଯାଇ ନଥିଲା। ଏଥିରେ ହତୋତ୍ସାହିତ ହୋଇ ଭିନେଶ କୁସ୍ତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ପରେ ଏହା ଉପରେ ପୁନର୍ବିଚାର କରି ଯୁଗ୍ମ ଭାବେ ରୌପ୍ୟ ପଦକ ଦିଆଯିବାକୁ ଭିନେସ୍ କାସ୍ଙ୍କ ଦ୍ବାରସ୍ଥ ହୋଇଛନ୍ତି। ତେବେ ଏହା ଉପରେ ବାକ୍ କହିଛନ୍ତି, ଆନ୍ତର୍ଜାତିକ ମହାସଂଘ ପକ୍ଷରୁ ଧାର୍ଯ୍ୟ ହୋଇଥିବା ନିୟମ ଅନୁସାରେ ଖେଳ ପରିଚାଳିତ ହେଉଛି। ତେଣୁ ଏହାକୁ ପାଳନ କରିବା ସମସ୍ତଙ୍କ କର୍ତ୍ତବ୍ୟ। ଭିନେଶଙ୍କ କ୍ଷେତ୍ରରେ ମାନବିକତା ଦେଖାଇଲେ ମଧ୍ୟ ମହାସଂଘର ନିୟମକୁ ମଧ୍ୟ ମାନିବାକୁ ହେବ। ଯଦି ୧୦୦ ଗ୍ରାମ୍ ପାଇଁ ଆମେ ଅନୁମତି ଦେବୁ, ତାହେଲେ ୧୦୨ ଗ୍ରାମ୍କୁ କାହିଁକି ଦେବୁନାହିଁ? ଯେତେବେଳେ ଜଣେ ଏକ ସେକେଣ୍ଡର ହଜାର ଭାଗ ଫରକରେ ହାରିଯାଏ, ସେତେବେଳେ କ’ଣ ତାହାକୁ ବିଚାରକୁ ନିଆଯିବ କି? ବୋଲି ସେ ପ୍ରଶ୍ନ କରିଛନ୍ତି। ଏବେ ମାମଲା କାସ୍ରେ ଥିବାରୁ ଚୂଡ଼ାନ୍ତ ରାୟକୁ ଅପେକ୍ଷା କରାଯାଇଛି। ଅନ୍ୟପକ୍ଷରେ ଆନ୍ତର୍ଜାତିକ ମହାସଂଘରେ ଏହି ନିୟମରେ କିପରି ସଂଶୋଧନ ଅଣାଯିବ ତାହା ସେମାନଙ୍କ ଦାୟିତ୍ବ ବୋଲି ବାକ୍ କହିଛନ୍ତି।
ଭିନେଶଙ୍କୁ ୫୦ କେଜି ମହିଳା କୁସ୍ତିରେ ଯୁଗ୍ମ ରୌପ୍ୟ ପଦକ ଦିଆଯିବା ଆବେଦନ ଉପରେ କାସ୍ରେ ଶୁଣାଣି ଶେଷ ହୋଇଛି। କିନ୍ତୁ ଏହି ମାମଲାର ରାୟ ପ୍ରକାଶ ପାଇନାହିଁ। ତେବେ ଅଲିମ୍ପିକ୍ସର ଉଦ୍ଯାପନୀ ପୂର୍ବରୁ ରାୟ ପ୍ରକାଶ ପାଇବା ନେଇ ଆଶା କରାଯାଉଛି। ଫାଇନାଲ୍ରୁ ବଞ୍ଚିତ ହେବା ସହ ଅଯୋଗ୍ୟ ଘୋଷିତ ହେବା ପରେ ଭିନେଶ ୭ ତାରିଖରେ କାସ୍ରେ ଆବେଦନ କରିଥିଲେ। ଫାଇନାଲ୍ରେ ତାଙ୍କୁ ଖେଳିବାକୁ ସୁଯୋଗ ଦିଆଯିବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ କାସ୍ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ତେବେ ଯୁଗ୍ମ ରୌପ୍ୟ ପଦକ ଦିଆଯିବା ଉପରେ ହୋଇଥିବା ଅନ୍ୟତମ ପ୍ରାର୍ଥନାକୁ କାସ୍ ଗ୍ରହଣ କରିଥିଲେ। କାସ୍ର ଏକକ ଖଣ୍ଡପୀଠ ଡକ୍ଟର ଆନାବେଲେ ବେନେଟ୍ଙ୍କ କୋର୍ଟରେ ମାମଲାର ଶୁଣାଣି ଶୁକ୍ରବାର ହୋଇଛି। ଭିନେଶଙ୍କ ତରଫରୁ ସୁପ୍ରିମକୋର୍ଟର ବରିଷ୍ଠ ଆଇନ୍ଜୀବୀ ହରିଷ ସାଲ୍ଭେ ଓ କ୍ରୀଡ଼ା କ୍ଷେତ୍ରରେ ଓକିଲାତି କରିଥିବା ଆଇନ୍ଜୀବୀ ବିଦୁସ୍ପାଟ୍ ସିଙ୍ଘାନିଆ ମାମଲା ପରିଚାଳନା କରୁଛନ୍ତି। ଶୁଣାଣି ବେଳେ ଭିନେଶଙ୍କ ପକ୍ଷରୁ କରାଯାଇଥିବା ଯୁକ୍ତିରେ କୁହାଯାଇଥିଲା ଯେ, ସେ କୌଣସି ଜାଲିଆତି କରିନାହାନ୍ତି। ତାଙ୍କର ଶରୀରର ପ୍ରାକୃତିକ ପ୍ରକ୍ରିୟା ସ୍ବରୂପ ତାଙ୍କର ଓଜନ ବୃଦ୍ଧି ହୋଇଥିଲା। ନିଜ ଶରୀରର ଯତ୍ନ ନେବା ଜଣେ କ୍ରୀଡ଼ାବିତ୍ଙ୍କର ଅଧିକାର ଅଛି। ପ୍ରତିଯୋଗିତାର ପ୍ରଥମ ଦିନରେ ତାଙ୍କ ଶରୀରର ଓଜନ୍ ଧାର୍ଯ୍ୟ ମାନଦଣ୍ଡ ଭିତରେ ଥିଲା। ରିକଭରି ପ୍ରକ୍ରିୟା ଭିତରେ ତାଙ୍କ ଓଜନ ବୃଦ୍ଧି ହୋଇଥିବାରୁ ଏହା ଆଦୌ ଜାଲିଆତି ନୁହେଁ ଏବଂ ଖେଳିବା ପରେ ଶରୀରକୁ ରିକଭରି ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ଗ୍ରହଣ କରିବାକୁ ତାଙ୍କର ପୂର୍ଣ୍ଣ କରିବାର ଅଧିକାର ଅଛି ବୋଲି ଯୁକ୍ତିରେ ଦର୍ଶାଯାଇଥିଲା।