‘ଟେନିସ୍ କ୍ରିକେଟ୍’କୁ ନେଇ ଟଣା ଓଟରା, ଟେନିସ୍ କ୍ରିକେଟ୍ ଆସୋସିଏସନ୍‌ ଅଫ୍ ଓଡ଼ିଶାକୁ ସ୍ବୀକୃତି

ନିର୍ବାଚନ ପରେ ସବୁକିଛି ସ୍ପଷ୍ଟ ହୋଇଯିବ: ମିତ୍ର

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଦୃଶ୍ୟପଟ୍ଟରେ କୌଣସି ଖେଳ ସଂଘର ପରିଚାଳନାଗତ ଅଧିକାର ନେଇ ବିବାଦ ସୃଷ୍ଟି ହେବା ନୂଆ କଥା ନୁହେଁ। ରାଜ୍ୟରେ ତାଏକୋଣ୍ଡେ‌ୋ, ହ୍ୟାଣ୍ଡବଲ୍, କରାଟେ, ସୁନ୍ଦରସ୍ବାସ୍ଥ୍ୟ, ମୁଷ୍ଟିଯୁଦ୍ଧ, କ୍ୟାରମ୍‌ ଓ ଗେଟବଲ୍ ଭଳି ପାଖାପାଖି ଅଧଡଜନେରୁ ଅଧିକ ଛୋଟ, ‌ବଡ଼ ଖେଳକୁ ନିଜ ନିୟନ୍ତ୍ରଣରେ ରଖିବା ଲାଗି ଦୁଇ ଗୋଷ୍ଠୀ ମଧ୍ୟରେ ଟଣା ଓଟରା ଲାଗି ରହିଛି। କିଛି ମାମଲା ମଧ୍ୟ ଅଦାଲତରେ ଲମ୍ବି ରହିଛି। ବିଶେଷ କରି ଛୋଟ ଓ କମ୍ ଲୋକପ୍ରିୟ ଖେଳରେ ଏଭଳି ବାଦ ବିବାଦର ମାତ୍ରା ଅଧିକ ରହିଛି। ଏବେ ଏହି ଆଲୋଡ଼ା ତାଲିକାରେ ‘ଟେନିସ୍ କ୍ରିକେଟ୍’ ସାମିଲ ହୋଇଛି। ‘ଓଡ଼ିଶା ଷ୍ଟେଟ୍ ଟେନିସ୍ କ୍ରିକେଟ୍ ଆସୋସିଏସନ୍’ ରାଜ୍ୟରେ ଟେନିସ୍ କ୍ରିକେଟ୍ ପରିଚାଳନାର ଏକମାତ୍ର ସ୍ବୀକୃତିପ୍ରାପ୍ତ ସଂଘ ବୋଲି ଏହାର ସଂପାଦକ ଦାବି କରୁଛନ୍ତି। ଯାହାର ସଂପାଦକ ଶୈବାଳ ମିତ୍ର ଥିଲା ବେଳେ ସଭାପତି ଅଭିନାଶ ସାହୁ ରହିଛନ୍ତି। ହେଲେ ‘ଟେନିସ୍ କ୍ରିକେଟ୍ ଆସୋସିଏସନ୍ ଅଫ୍ ଓଡ଼ିଶା’ ନାମକ ଆଉ ଏକ ସଂଘକୁ ଗତ ୧୬ ତାରିଖରେ ଟେନିସ୍ କ୍ରିକେଟ୍‌ର ଜାତୀୟ ସଂଘ ଟେନିସ୍‌ କ୍ରିକେଟ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ପ୍ରୋଭିଜିନାଲ୍‌ ସ୍ବୀକୃତି ପ୍ରଦାନ କରିଛି। ଏପରିକି ଏହି ସଂଘ ରାଜ୍ୟରେ ଟେନିସ୍ କ୍ରିକେଟ୍‌ର ମୂଳ ଓ ପଞ୍ଜିକୃତ ସଂଘ ବୋଲି ଏହାର କର୍ମକର୍ତା ଦାବି କରୁଛନ୍ତି। ଗୋଟିଏ ଖେଳ ଲାଗି ଦୁଇଟି ସଂଘକୁ ସ୍ବୀକୃତି ମିଳିବା ମଧ୍ୟ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛି। ତେବେ କେବଳ ଛୋଟ ଛୋଟ ଖେଳରେ ଏପରି ବଡ଼ ରାଜନୀତି କାହିଁକି ‌ହେଉଛି? ଏଥିରେ କି ଲାଭ ଅଛି? ସେ ପ୍ରଶ୍ନ କ୍ରୀଡ଼ାପ୍ରେମୀଙ୍କୁ ଆନ୍ଦୋଳିତ କରୁଛି। ଖେଳାଳିମାନେ ମଧ୍ୟ ଭୟ, ଆଶଙ୍କା ଓ ସଂଶୟ ଦେଇ ଗତି କରୁଛନ୍ତି।

ଟେନିସ୍ କ୍ରିକେଟ୍ ଆସୋସିଏସନ୍‌ ଅଫ୍ ଓଡ଼ିଶାକୁ ସ୍ବୀକୃତି
‘ସମ୍ବାଦ’ର ହସ୍ତଗତ ହୋଇଥିବା ସ୍ବୀକୃତିପତ୍ର ଅନୁସାରେ ‘ଟେନିସ୍ କ୍ରିକେଟ୍ ଆସୋସିଏସନ୍ ଅଫ୍ ଓଡ଼ିଶା’କୁ ଏହି ଖେଳର ସର୍ବଭାରତୀୟ ସଂଘ ‘ଟେନିସ୍ କ୍ରିକେଟ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ’ ଗତ ୧୬ ତାରିଖରେ ପ୍ରୋଭିଜିନାଲ ସ୍ବୀକୃତି ପ୍ରଦାନ କରିଛି। ଏଥିରେ ସଭାପତି ଭାବେ ଗୌରବ ମୁନିଶର ଦୟାଲ ଦୀକ୍ଷିତ ଏବଂ ସାଧାରଣ ସଂପାଦକ ଭାବେ ବିଶାଲ ସିଂହଙ୍କ ସ୍ବାକ୍ଷର ରହିଛି। ସେହିଭଳି ଓଡ଼ିଶା ସଂଘର ସଂପାଦକ ଭାବେ କିଶୋର ଚନ୍ଦ୍ର ନାୟକ ଥିଲା ବେଳେ ବିଜୟ କେତନ ମିଶ୍ର ସଭାପତି ଅଛନ୍ତି। ସ୍ବୀକୃତିର ଅବଧି ମାର୍ଚ ୩୧ ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମଧ୍ୟ ଏଥିରେ କୁହାଯାଇଛି। ସ୍ବୀକୃତିପତ୍ର ଆଧାରରେ ‘ଟେନିସ୍ କ୍ରିକେଟ୍ ଆସୋସିଏସନ୍ ଅଫ୍ ଓଡ଼ିଶା’ ହିଁ ଟେନିସ୍‌ କ୍ରିକେଟ୍‌ରେ ରାଜ୍ୟର ଏକମାତ୍ର ପଞ୍ଜିକୃତ ସଂଘ ବୋଲି କିଶୋର ଦାବି କରିଛନ୍ତି। ସେ କହିଛନ୍ତି ଯେ ୨୦୧୬ ମସିହାରେ ମୁଁ ଏବଂ ଉପେନ୍ଦ୍ର ମହାନ୍ତି ଟେନିସ୍ କ୍ରିକେଟ୍ ଖେଳକୁ ଓଡ଼ିଶା ଆଣିଥିଲୁ। ଏବେ ବି ଆମ ସହ ୧୭ ଜିଲ୍ଲା ସଂଘ କାର୍ଯ୍ୟ କରୁଛନ୍ତି। ଗତ ଦୁଇ ବର୍ଷ ହେଲା କିନ୍ତୁ ସର୍ବଭାରତୀୟ ସଂଘର ପୂର୍ବତନ ସଂପାଦକ କହ୍ନୈୟା ଗୁଜର ଅନ୍ୟ ଏକ ସଂଘକୁ ବିଭିନ୍ନ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବାକୁ ଅନୁମତି ଦେଇଥିଲେ। ସର୍ବଭାରତୀୟ ସଂଘର କର୍ମକର୍ତା ବଦଳିବା ପରେ ସବୁ ନଥିପତ୍ର ଠିକ୍ ଥିବାରୁ ଆମ ସଂଘକୁ ସ୍ବୀକୃତି ଦେଇଛନ୍ତି। ଆଗାମୀ ସମୟରେ ଆମେ ରାଜ୍ୟ ଦଳ ବାଛିବା ସହ ଟେନିସ୍ କ୍ରିକେଟ୍ ଯେଭଳି ଭାବେ ଆହୁରି ଲୋକପ୍ରିୟ ହୋଇ ପାରିବ, ସେ ଦିଗରେ କାର୍ଯ୍ୟ କରିବୁ।

ନିର୍ବାଚନ ପରେ ସବୁକିଛି ସ୍ପଷ୍ଟ ହୋଇଯିବ: ମିତ୍ର
ସର୍ବଭାରତୀୟ ସଂଘର ସଭାପତି ଏବଂ ସଂପାଦକଙ୍କ ମଧ୍ୟରେ ମତାନ୍ତର ଘଟିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତାମାସ ୧୫ ତାରିଖରେ ସଂଘର ନିର୍ବାଚନ ମଥୁରାରେ ହେବାର ଅଛି। ଏହା ପରେ ସବୁକିଛି ସ୍ପଷ୍ଟ ହୋଇଯିବ। ଗତ ଚାରି ବର୍ଷ ହେବ ବ୍ୟକ୍ତିଗତ ଭାବେ ମୁଁ ଟେନିସ୍ କ୍ରିକେଟ୍ ପରିଚାଳନା ସହ ଜଡ଼ିତ ଅଛି। ଆମେ ଓଡ଼ିଶାରେ ପୂର୍ବାଞ୍ଚଳ ଟେନିସ୍ ପ୍ରତିଯୋଗିତା ଆୟୋଜନ କରିସାରିଛୁ। କୁଚିଣ୍ଡାରେ ଫେଡେରେସନ୍ କପ୍ କରିବାର ଯୋଜନା ଥିଲା। ହେଲେ କରୋନା ପାଇଁ ଏହାକୁ ସ୍ଥଗିତ ରଖିଛୁ। ଏଣୁ ହଠାତ୍ କୌଣସି ସଂଘ ଟେନିସ୍ କ୍ରିକେଟ୍‌ର ମୂଳ ସଂଘ ବୋଲି ଦାବି କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଓଡ଼ିଶା ଷ୍ଟେଟ୍ ଟେନିସ୍ କ୍ରିକେଟ୍ ଆସୋସିଏନର ସଂପାଦକ ଶୈବାଳ ମିତ୍ର ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି। ୨୦୧୮ରେ ଆମେ ଟେନିସ୍ କ୍ରିକେଟ୍‌କୁ ଆସିଥିବା କହିବାରେ କୌଣସି ସତ୍ୟତା ନାହିଁ। ଇର୍ଷା ପରାୟଣ ହୋଇ କିଛି ଲୋକ ଏଭଳି ମନ୍ତବ୍ୟ ଦେଉଛନ୍ତି। ଏବେ ବି କହ୍ନୈୟା ଗୁଜର ସର୍ବଭାରତୀୟ ସଂଘର ସଂପାଦକ ଅଛନ୍ତି। ଏଣୁ ଅନ୍ୟ କେହି ସ୍ବୀକୃତି ପ୍ରଦାନ କରିବା ମଧ୍ୟ ଆଇନ ସମ୍ମତ ନୁହେଁ ବୋଲି ଶ୍ରୀ ମିତ୍ର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର