ଟେନିସ୍ କ୍ରିକେଟ୍‌ରେ ବିଶ୍ବ ‌କୀର୍ତ୍ତିମାନ

ଭୁବନେଶ୍ବର: ଦେଶରେ ଉତ୍‌ଥାନ ପଥରେ ରହିଥିବା ଟେନିସ୍ କ୍ରିକେଟ୍‌ ରବିବାର ଏକାଧିକ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛି। ଏହି ଖେଳକୁ ଲୋକପ୍ରିୟ କରାଇବା ଏବଂ ପ୍ରତିଭା ଅନ୍ବେଷଣ ଲକ୍ଷ୍ୟରେ ଏହି ଭିନ୍ନ ପ୍ରୟାସ କରିଥିଲା ଟେନିସ୍ କ୍ରିକେଟ୍ ଆସୋସିଏସନ୍ ଅଫ୍‌ ଇଣ୍ଡିଆ (ଟିସିଏଆଇ)। ଗୋଟିଏ ଦିନରେ ଦେଶର ୮୫ ପଡ଼ିଆରେ ୨୫,୦୦୦ ପିଲା ଟେନିସ୍ କ୍ରିକେଟ୍‌ ଖେଳିବା ଫଳରେ ଏହା ତିନିଟି କୀର୍ତ୍ତିମାନର ଅଧିକାରୀ ହୋଇଛି। ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡ୍ସ, ଏସିଆ ବୁକ୍‌ ଅଫ୍‌ ରେକର୍ଡ୍ସ ଏବଂ ୱାର୍ଲଡ ବୁକ୍‌ ଅଫ୍‌ ରେକର୍ଡ୍ସରେ ସ୍ଥାନ ପାଇଛି ଏହି ଇଭେଣ୍ଟ। ଇଣ୍ଡିଆ ଏବଂ ଏସିଆ ରେକର୍ଡ ପ୍ରମାଣପତ୍ର ମିଳି ସାରିଥିବା ବେଳେ ବିଶ୍ବ ରେକର୍ଡ କୀର୍ତ୍ତିମାନ ପ୍ରମାଣପତ୍ର ଅପେକ୍ଷାରେ ରହିଛୁ ବୋଲି ପ୍ରକାଶ କରିଛନ୍ତି ଟିସିଏଆଇର ନବନିର୍ବାଚିତ ସମ୍ପାଦକ ଶୈବାଳ କୁମାର ମିତ୍ର (ରିଣ୍ଟୁ)। ପ୍ରତିଭା ଅନ୍ବେଷଣ ଲକ୍ଷ୍ୟରେ ଏଭଳି ପ୍ରୟାସ କରାଯାଇଥିଲା। ଏହା ଫଳରେ ତୃଣମୂଳସ୍ତରରୁ ଖେଳାଳି ଚିହ୍ନଟ କରି ସେମାନଙ୍କୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ଆମ ଲକ୍ଷ୍ୟ ରଖିଛୁ‌ ବୋଲି ଶ୍ରୀ ମିତ୍ର ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଥିଲେ।

ଏହି ଦେଶବ୍ୟାପୀ ପ୍ରତିଯୋଗିତା ଅବସରରେ ଓଡ଼ିଶାର ୧୨ଟି ଜିଲ୍ଲାରେ ୬୦୦ ପିଲା ଅଂଶଗ୍ରହଣ କରିଥିଲେ। ଭୁବନେଶ୍ବର ଉପକଣ୍ଠ ନହରକଣ୍ଟାସ୍ଥିତ ଶ୍ରୀ ଜୟଦେବ ବୈଷୟିକ କଲେଜ ପରିସରରେ ଓଡ଼ିଶା ରାଜ୍ୟ ଟେନିସ୍ କ୍ରିକେଟ୍ ସଂଘ ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ୧୨୫ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଶେଷକୁ ଅନୁଷ୍ଠିତ ଏକ ଫାଇନାଲ୍ ମ୍ୟାଚ୍‌ରେ ଏମ୍‌ବିଏସ୍ ଏକାଦଶ ପ୍ରତିପକ୍ଷ ଟ୍ୟାଲେଣ୍ଟ୍ ହଣ୍ଟ୍‌ ଦଳକୁ ପରାସ୍ତ କରି ବିଜେତା ହୋଇଥିଲା। ରାଜ୍ୟ ସଂଘ ସଭାପତି ଅବିନାଶ ସାହୁଙ୍କ ସହିତ ଭ‌ିକେ ବର୍ମା, ଚଣ୍ଡୀପ୍ରସନ୍ନ ମହାପାତ୍ର, ବାବୁ ଜେନା, ବାସୁଦେବ ଓଝା, ବଦ୍ରିନାରାୟଣ ପାତ୍ର, ସୁଧାକର ମୁଦୁଲି, ସେକ୍‌ କୁତୁବୁଦ୍ଦି, ଦୀପକ ମଲ୍ଲିକ, ଊମାକାନ୍ତ ବେହେରା, ପ୍ରଶାନ୍ତ ସାହୁ, ସୁଧାଂଶୁ ଜେନା, ମୃତ୍ୟୁଞ୍ଜୟ ପାତ୍ର, ସମୀର ବାରିକ, ସନ୍ତୋଷ ପ୍ରଧାନ ଏବଂ ଲ୍ୟାଣ୍ଡସ୍କେପ୍ ଭେଞ୍ଚର କର୍ମଚାରୀମାନେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର