ଟେନିସ୍ କ୍ରିକେଟ୍‌ ଚାମ୍ପିଅନ୍ସ ଟ୍ରଫି ଜିତିଲା ଓଡ଼ିଶା

ଭୁବନେଶ୍ବର: ଚାମ୍ପିଅନ୍ସ ଟ୍ରଫି ସର୍ବଭାରତୀୟ ଟେନିସ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ଥର ବିଜେତା ହୋଇଛି। ମଞ୍ଚେଶ୍ବରସ୍ଥିତ ପୂର୍ବତଟ ରେଳବାଇ ଷ୍ଟାଡିୟମ୍‌ରେ ଚାଲିଥିବା ଏହି ପ୍ରତିଯୋଗିତାର ଦ୍ବିତୀୟ ସଂସ୍କରଣରେ ଓଡ଼ିଶା ଫାଇନାଲରେ ତାମିଲନାଡୁକୁ ଚମତ୍କାର ଭାବେ ୬ ୱିକେଟ୍‌ରେ ହରାଇ ଦେଇଥିଲା। ଗତଥର ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିବା ଓଡ଼ିଶା ଏଥର ଆୟୋଜକ ରହିବା ସହିତ ବିଜେତା ହୋଇ‌ ଗୌରବ ମଣ୍ଡିତ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ଥର ଫାଇନାଲ୍‌ ଖେଳିଥିବା ତାମିଲନାଡୁ ଉପବିଜେତାରେ ସନ୍ତୁଷ୍ଟ ରହିଛି। ରବିବାର ଅପରାହ୍ନରେ ଖେଳାଯାଇଥିବା ଫାଇନାଲରେ ତାମିଲନାଡୁ ୧୦ ଓଭରରେ ୭ ୱିକେଟ୍ ହରାଇ ୬୩ ରନ୍ କରିଥିଲା। ଆର୍ ଜୟବଲାନ୍‌ ସର୍ବାଧିକ ୨୦ ରନ୍ କରିଥିବା ବେଳେ ଓଡ଼ିଶା ପକ୍ଷରୁ ଦୀପକ ମଲ୍ଲିକ, ଗୌରବ ୨ ଲେଖାଏଁ ଏବଂ ଅନିରୁଦ୍ଧ ବାରିକ, ପ୍ରବୀଣ ଆଚାର୍ଯ୍ୟ ୧ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଓଡ଼ିଶା ମନ୍ଥର ଆରମ୍ଭ କରିଥିଲେ ମଧ୍ୟ ଚମତ୍କାର ପ୍ରତ୍ୟାବର୍ତନ କରି ଗୋଟିଏ ଓଭର ପୂର୍ବରୁ ମ୍ୟାଚ୍ ଜିତି ଯାଇଥିଲା। ଅନିରୁଦ୍ଧ (୧୧) ଏବଂ ଏମ୍ ରାଜା ରାଓ (୧୦) କେବଳ ଦୁଇ ଅଙ୍କ ଛୁଇଁ ପାରିଥିଲେ। ଓଡ଼ିଶା ୯ ଓଭରରେ ୪ ୱିକେଟ୍‌ ହରାଇ ୬୪ ରନ୍ କରି ନେଇଥି‌ଲା। ଆମେ ଏବେ ବହୁତ ଖୁସୀ, ଦଳରେ ଢେର ବ୍ୟାଟ୍‌ସମ୍ୟାନ୍ ଥିବାରୁ ବିଜୟ ନେଇ ନିଶ୍ଚିତ ଥିଲୁ ବୋଲି କହିଥିଲେ ଓଡ଼ିଶା ଅଧିନାୟକ ସୁଧାଂଶୁ କୁମାର ଜେନା। ପୂର୍ବରୁ ଓଡ଼ିଶା କ୍ବାର୍ଟର ଫାଇନାଲରେ ଝାଡ଼ଖଣ୍ଡକୁ ୧୭ ରନ୍‌ରେ ହରାଇଥିବା ବ‌େଳେ ସୁଧୀର ସୁନା ସର୍ବାଧିକ ୨୮ ରନ୍ କରିଥିଲେ। ପ୍ରବୀଣ ଓ ଦୀପକ ମଧ୍ୟ ୨-୨ ୱିକେଟ୍ ନେଇଥିଲେ। ଏହା ପରେ ସେମିଫାଇନାଲରେ ଓଡ଼ିଶା ୫ ୱିକେଟ୍‌ରେ ମୁମ୍ବାଇକୁ ମାତ୍ ଦେଇଥିଲା। ବ୍ୟାଟିଂରେ ସୁଧୀର (୧୮), ସୁଧାଂଶୁ (୧୭) ଏବଂ ବୋଲିଂରେ ଅମିତ୍‌ ଜୁଏଲ, ପ୍ରବୀଣ ଆଚାର୍ଯ୍ୟ, ଗୌରବ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ଭାରତୀୟ‌ ଟେନିସ୍ କ୍ରିକେଟ୍ ସଂଘ ସମ୍ପାଦକ କହ୍ନେୟା ଗୁର୍ଜର, ସର୍ବଭାରତୀୟ ଫୁଟ୍‌ବଲ୍ ସଂଘ ଯୁଗ୍ମ ସମ୍ପାଦକ ଅନିଲ କାମାଥ, ଓଡ଼ିଶା ଟେନିସ୍ କ୍ରିକେଟ୍‌ ସଂଘ ଉପଦେଷ୍ଠା ବାରିଜ ରଂଜନ ମହାନ୍ତି, ସଭାପତି ଅବିନାଶ ସାହୁ, ସମ୍ପାଦକ ଶୈବାଳ କୁମାର ମିତ୍ର, ଉପ ସଭାପତି ମହମ୍ମଦ ଆଜାମ, କୋଷାଧ୍ୟକ୍ଷା ରାଗିଣୀ ମିତ୍ରଙ୍କ ସହିତ ବିଭିନ୍ନ ରାଜ୍ୟର ସମ୍ପାଦକ ଓ ସଭାପତି ଭାଗ ନେଇଥିଲେ। ୪ ଦିନିଆ ଏହି ପ୍ରତିଯୋଗିତାରେ ମୋଟ ୧୫ ଦଳ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର