ଲଣ୍ଡନ: ଦେବାଳିଆ ଘୋଷିତ ହେବା ପରେ ବେଆଇନ ଭାବେ ନିଜ ବ୍ୟାଙ୍କ ଆକାଉଣ୍ଟରୁ ହଜାର ହଜାର ଡଲାର ବାହାରକୁ ପଠାଇ ଦେଇଥିବା ଅଭିଯୋଗରେ ଜର୍ମାନୀର କିଂବଦନ୍ତି ଟେନିସ୍ ତାରକା ବୋରିସ୍ ବେକର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଲଣ୍ଡନର ସାଉଥ୍‌ୱାର୍କ କ୍ରାଉନ୍ କୋର୍ଟ ତାଙ୍କୁ ମଧ୍ୟ ଦେବାଳିଆ ଆଇନର ଅନ୍ୟ ତିନିଟି ଧାରା‌ରେ ଦୋଷୀ ସାବ୍ୟସ୍ତ କରିଛି। ଫଳରେ ଏକଦା ଟେନିସ୍ କୋର୍ଟରେ ରାଜୁତି କରିଥିବା ବେକର ଖୁବଶୀଘ୍ର ଜେଲ୍‌ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ତେବେ ଅନ୍ୟ ୨୦ଟି ଅଭିଯୋଗରୁ ଦୋଷ ମୁକ୍ତ ହୋଇଛନ୍ତି ସେ। ୬ଥର ଗ୍ରାଣ୍ଡସ୍ଲାମ୍ ବିଜେତା ବେକର କିନ୍ତୁ ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଆସୁଥିଲେ। ୫୪ ବର୍ଷୀୟ ବେକର ତାଙ୍କ ଖେଳ ଜୀବନରେ ୫୦ ନିଯୁତ ଡଲାରର ବିପୁଳ ଧନରାଶି ରୋଜଗାର କରିଥିଲେ। ତେବେ ପତ୍ନୀଙ୍କ ସହ ଛାଡ଼ପତ୍ର ହେବା ବେଳେ ଏହାର ଅଧିକାଂଶ ଭାଗ ତାଙ୍କୁ ଭରଣପୋଷଣ ଦେବାରେ ହରାଇଥି‌ଲେ। ନିଜ ବିଳାଶପୂର୍ଣ୍ଣ ଜୀବନ ଶୈଳୀ ପାଇଁ ସବୁ ଧନ ସମ୍ପତ୍ତି ହରାଇବା ପରେ ଦେବାଳିଆ ଘୋଷିତ ହୋଇଥିଲେ। ଏବେ ବେକର ଜାମିନରେ ଅଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୨୯ ତାରିଖରେ ହେବାର ଅଛି।