ପ୍ରତ୍ୟାବର୍ତନରେ ଟ୍ରଫି ଜିତିଲେ ଟେନିସ୍‌ ତାରକା ସାନିଆ

ହୋବାର୍ଟ: ଭାରତୀୟ ମହିଳା ଟେନିସ୍‌ ତାରକା ସାନିଆ ମିର୍ଜା ପ୍ରତ୍ୟାବର୍ତନକୁ ସ୍ମରଣୀୟ କରିଛନ୍ତି। ଶେଷ ଥର ପାଇଁ ୨୦୧୭ ଅକ୍ଟୋବରରେ ଚାଇନା ଓପନ୍‌ ଖେଳିଥିବା ସାନିଆ ଦୁଇ ବର୍ଷରୁ ଅଧିକ ସମୟ ପରେ ଟେନିସ୍‌ କୋର୍ଟକୁ ପ୍ରତ୍ୟାବର୍ତନ କରିଥିଲେ। ୟୁକ୍ରେନର ନାଦିଆ କିଚେନକଙ୍କୁ ସାଥୀ କରି ହୋବାର୍ଟ ଇଣ୍ଟରନ୍ୟାସ୍‌ନାଲ୍‌‌ରେ ମହିଳା ଯୁଗଳ ବର୍ଗ ଖେଳିଥିଲେ ୩୩ ବର୍ଷ ବୟସ୍କା ସାନିଆ। ୨ ବର୍ଷରୁ ଅଧିକ ସମୟ ଟେନିସ୍‌ କୋର୍ଟରୁ ଦୂରେଇ ରହିବା ସତ୍ତ୍ବେ ତାଙ୍କ ଚମକରେ କିଛି ବି ମଳିନ ପଡ଼ିନଥିଲା। ହୋବାର୍ଟରେ ଗୋଟିଏ ପରେ ଗୋଟିଏ ରାଉଣ୍ଡ୍‌ ଜିତି ସାନିଆ ଶେଷରେ ଟ୍ରଫି କରାୟତ କରିନେଲେ। ଏହା ହିଁ ତାଙ୍କର ଲକ୍ଷ୍ୟ ଥିଲା। ଶନିବାର ମହିଳା ଯୁଗଳ ଫାଇନାଲ୍‌ରେ ସୁଆଇ ପେଙ୍ଗ୍‌ ଓ ସୁଆଇ ଝାଙ୍ଗ୍‌ଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ଏହି ଲକ୍ଷ୍ୟକୁ ସାକାର ରୂପ ଦେଇଛନ୍ତି ସାନିଆ। ଏହି ମୁକାବିଲା ଜିତିବାକୁ ଅଣମାନ୍ୟତାପ୍ରାପ୍ତ ସାନିଆ ଓ ତାଙ୍କ ସାଥୀ ନାଦିଆଙ୍କୁ ୧ ଘଣ୍ଟା ୨୧ ମିନିଟ୍‌ ଲଢ଼ିବାକୁ ପଡ଼ିଥିଲା। ଏଠାରେ ବିଜେତା ସ୍ବରୂପ ସାନିଆ ଓ ନାଦିଆ ନିଜ ନିଜ ମଧ୍ୟରେ ୧୩,୫୮୦ ଆମେରିକୀୟ ଡଲାର ପୁରସ୍କାର ରାଶି ବାଣ୍ଟି ନେଇଛନ୍ତି। ଏହା ବ୍ୟତୀତ ପ୍ରତ୍ୟେକ ୨୮୦ ରୢାଙ୍କିଙ୍ଗ୍‌ ପଏଣ୍ଟ୍‌ ମଧ୍ୟ କରାୟତ୍ତ କରିଛନ୍ତି। ୨୦୦୭ ବ୍ରିସ୍‌ବନ୍‌ ଇଣ୍ଟରନ୍ୟାସ୍‌ନାଲ୍‌ରେ ପ୍ରଥମ ଟ୍ରଫି ଜିତିବା ପରଠୁ ସାନିଆଙ୍କ ପାଇଁ ଏହା ବ୍ୟକ୍ତିଗତ ୪୨ତମ ଯୁଗଳ ଟ୍ରଫି। ୨୦୦୭ ବ୍ରିସ୍‌ବନ୍‌ ଇଣ୍ଟରନ୍ୟାସ୍‌ନାଲ୍‌ରେ ତାଙ୍କର ସାଥୀ ଆମେରିକାର ବେଥାନି ମା‌ଟେକ୍‌ ସାଣ୍ଡ୍‌ସ ଥିଲେ। ପାକିସ୍ତାନ କ୍ରିକେଟର୍‌ ସୋଏବ୍‌ ମଲ୍ଲିକଙ୍କୁ ବିବାହ କରିବା ପରେ ପରିବାର ସହ ସମୟ ଦେବାକୁ ସାନିଆ ୨୦୧୮ ଓ ୨୦୧୯ ପୂରା ଋତୁରେ ଆଦୌ ଖେଳିନଥି‌ଲେ। ତେବେ ପ୍ରତ୍ୟାବର୍ତନରେ ଟ୍ରଫି ଜିତିବା ପରେ ଏବେ ଆଗାମୀ ଅଷ୍ଟ୍ରେଲିଆନ୍‌ ଓପନ୍‌ ପାଇଁ ପ୍ରସ୍ତୁତି ଠିକ୍‌ଠାକ୍‌ ଅଛି ବୋଲି କହିଛନ୍ତି ସାନିଆ। ପୁଅ ଇଜ୍‌ହାନ୍‌କୁ ଜନ୍ମ ଦେବା ପରେ ସାନିଆ ମଧ୍ୟ ପ୍ରଥମ ପ୍ରତିଯୋଗିତା ଖେଳି ସଫଳତା ଲାଭ କରିଛନ୍ତି। ଅଲିମ୍ପିକ୍‌ ବର୍ଷରେ ଏଭଳି ସଫଳତା ମନୋବଳ ଦୃଢ଼ କରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର