ଇସଲାମାବାଦ: ପାକିସ୍ତାନରେ ଚାଲିଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି-୨୦୨୫ର ମ୍ୟାଚ୍‌ଗୁଡ଼ିକ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରହିଛି। ଖେଳ ଦେଖିବାକୁ ଆସୁଥିବା ବିଦେଶୀ ଦର୍ଶକଙ୍କୁ ଅପହରଣ କରି ମୋଟା ଅଙ୍କର ଅର୍ଥ ଆଦାୟ କରିବା ପାଇଁ ଆତଙ୍କବାଦୀମାନେ ଯୋଜନା କରିଛନ୍ତି ବୋଲି ପାକିସ୍ତାନର ଗୁଇନ୍ଦା ବିଭାଗ ସତର୍କ କରାଇଛି। 

Advertisment

ପାକିସ୍ତାନ ଗୁଇନ୍ଦା ବିଭାଗ ପକ୍ଷରୁ ଜାରି ସୂଚନାନୁସାରେ, ଆଇଏସ୍‌କେପି(ଇସଲାମିକ୍‌ ଷ୍ଟେଟ୍‌ ‌ଖୋରାସନ୍ ପ୍ରୋଭିନ୍ସ) ପକ୍ଷରୁ ଆତଙ୍କବାଦୀ ଆକ୍ରମଣର ବିପଦ ରହିଛି। ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଯୋଗ ଦେଉଥିବା ବିଦେଶୀ ନାଗରିକ, ବିଶେଷକରି ଚୀନ ଏବଂ ଆରବର ନାଗରିକମାନେ ଆତଙ୍କବାଦୀଙ୍କ ନଜରରେ ରହିଛନ୍ତି। ବନ୍ଦର, ବିମାନବନ୍ଦର, ବିଭିନ୍ନ କାର୍ଯ୍ୟାଳୟ ଏବଂ ବିଦେଶୀମାନେ ଯାତାୟାତ କରୁଥିବା ଅଞ୍ଚଳ ଉପରେ ଆତଙ୍କବ‌ାଦୀମାନେ ନଜର ରଖିଛନ୍ତି। ସହର ବାହାରେ ସେମାନେ ନିରାପଦ ଘରକୁ ଭଡ଼ାରେ ନେବା ଯୋଜନା ରଖିଛନ୍ତି। ବିଶେଷକରି ଯେଉଁ ସ୍ଥାନରେ କ୍ୟାମେରା ନଥିବ ଏବଂ କେବଳ ରିକ୍ସା କିମ୍ବା 
ମୋଟରସାଇକଲ ଯୋଗେ ଯାତାୟାତ ହୋଇ ପାରୁଥିବ, ସେହି ସ୍ଥାନକୁ ସେମାନେ ଚୟନ କରିବେ। ଅପହରଣ କରି ନେବାକୁ ଥିବା ବିଦେଶୀ ନାଗରିକମାନଙ୍କୁ ଆତଙ୍କବାଦୀମାନେ ରାତିରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବେ। ସୁରକ୍ଷ‌ାକର୍ମୀଙ୍କୁ ଚକ୍‌ମା ଦେବାପାଇଁ ସେମାନେ ଏଭଳି ନକ୍ସା ପ୍ରସ୍ତୁତ କରିଛନ୍ତି।

ଏହି ଚେତାବନୀ ପରେ ଷ୍ଟାଡିୟମ୍‌, ହୋଟେଲ୍‌ ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅଧିକ ସଂଖ୍ୟକ ସଶସ୍ତ୍ର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ସୂଚନାଯୋଗ୍ୟ, ୨୦୦୯ରେ ଲାହୋର ଠାରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍‌ ସମୟରେ ଶ୍ରୀଲଙ୍କା ଖେଳାଳିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ୨୦୨୪ରେ ଶଙ୍ଗଲା ଠାରେ ଜଣେ ଚୀନ ଇଂଜିନିୟରଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଭାରତ ମଧ୍ୟ ସୁରକ୍ଷା କାରଣରୁ ପାକିସ୍ତାନରେ କୌଣସି ମ୍ୟାଚ୍‌ ଖେଳିବାକୁ ମନା କରିଦେଇଛି। ଫଳରେ ପାକିସ୍ତାନ ସମେତ ଦୁବାଇରେ ହାଇବ୍ରିଡ ମୋଡ୍‌‌ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଏବେ ଚାଲିଛି।