ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଟେଷ୍ଟ୍ ଦଳର ନେତୃତ୍ବ ନେଉଛନ୍ତି ଯୁବ ବ୍ୟାଟର୍‌ ଶୁବମନ ଗିଲ୍‌। ମାତ୍ର ୨୫ ବର୍ଷ ବୟସରେ ଭାରତ ଭଳି ଦଳର ଟେଷ୍ଟ୍ ଅଧିନାୟକ ହେବା ସମ୍ପର୍କରେ ରବିବାର ମୁହଁ ଖୋଲିଛନ୍ତି ଗିଲ୍‌। ସ୍କାଏ୍ ସ୍ପୋର୍ଟସ୍‌ ପାଇଁ ଦୀନେଶ କାର୍ତିକଙ୍କ ସହ ଏକ ଆଲୋଚନା ବେଳେ ଗିଲ୍‌ ମନଖୋଲା କଥା କହିଛନ୍ତି। ‘ସଚ୍ଚୋଟତାର ସହ କହୁଛି ମୁଁ, ଏପରିକି ମୋ ପିତା ବି ଏଭଳି କେବେ ଭାବିନଥିଲୁ। ମୁଁ ସ୍ବପ୍ନରେ ବି ଏଭଳି କଥା ଚିନ୍ତା କରିନଥିଲି। ଘୋଷଣା ପୂର୍ବରୁ ମୁଁ ସାମାନ୍ୟ ଅଭାସ ପାଇଥିଲି। କିନ୍ତୁ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରିଥିଲି। ମୋତେ କିନ୍ତୁ ପିତା ହିଁ ପ୍ରଥମେ ଏହା ଜଣାଇଥିଲେ।’ ବୋଲି ଗିଲ୍ ପ୍ରକାଶ କରିଛନ୍ତି।

Advertisment

ଏହି ପଞ୍ଜାବ ବ୍ୟାଟର୍‌ ୨୦୨୦ ମେଲ୍‌ବର୍ଣ୍ଣ ଟେଷ୍ଟ୍‌ରେ ପଦାର୍ପଣ କରିଥିବାବେଳେ ଏ ପର୍ଯ୍ୟନ୍ତ ୩୨ ଟେଷ୍ଟ୍‌ରୁ ୫ ଶତକ ସହାୟତାରେ ୧୮୯୩ ରନ୍ ସଂଗ୍ରହ କରିଛନ୍ତି। ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ମୁଖ୍ୟ ପ୍ରଶିକ୍ଷକଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ବି ଗିଲ୍‌ ଦୁଇ ପଦ କହିଥିଲେ। ‘ଦଳର ନେତୃତ୍ବ ସମ୍ପର୍କରେ ସେମାନେ ମୋ ଭାବନା ଜାଣିବାକୁ ଚାହିଁଥିଲେ। ମୋଠାରୁ କୌଣସି ଆଶା କରିନଥିଲେ, କିନ୍ତୁ ମୁଁ ଯାହା କରିବାକୁ ଦକ୍ଷ ସେ ଆଶା ରଖିଛନ୍ତି। ସେହି ମର୍ମରେ ମୋଠାରୁ ନିର୍ଦ୍ଦିଷ୍ଟ ଆଶାନଥିବାରୁ ମୁଁ ଭାବୁନାହିଁ ମୋ ଉପରେ କୌଣସି ଚାପ ରହିବ’ ବୋଲି ଗିଲ୍ କହିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ଟେଷ୍ଟ୍ ଦଳର ଇଂଲଣ୍ଡ ଗସ୍ତରେ ୫ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ଖେଳିବାକୁ ଯାଇଛି। ପ୍ରଥମ ଟେଷ୍ଟ୍ ଲିଡ୍ସରେ ଜୁନ୍‌ ୨୦ ତାରିଖରୁ ଆରମ୍ଭ ହେଉଛି।