ଅହମଦାବାଦ: ଜୁନ୍‌ ୨୦ ତାରିଖରୁ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ଶୃଙ୍ଖଳା ଖେଳି ନୂଆ ଡବ୍‌ଲ୍ୟୁଟିସି ଚକ୍ର ଆରମ୍ଭ କରିବ। ଯୁବ ଖେଳାଳି ଶୁବମନ ଗିଲ୍‌ଙ୍କ ପାଇଁ ଏହା ଅଗ୍ନିପରୀକ୍ଷା ହେବାକୁ ଯାଉଛି। କାରଣ ପ୍ରଥମ ଥର ପାଇଁ ଟେଷ୍ଟ୍ ଦଳର ନେତୃତ୍ବ ନେବାକୁ ଯାଉଛନ୍ତି ଏହି ବ୍ୟାଟର୍‌। ଏହି ଦାୟିତ୍ବ ଶୁବମନଙ୍କ ପାଇଁ ଆହ୍ବାନଭରା ହେବ ବୋଲି ଅନେକ ପୂର୍ବତନ ଖେଳାଳି ମତପୋଷଣ କରୁଛନ୍ତି। ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ମଧ୍ୟ ସମାନ ବିଚାରରେ ମତ ରଖିଛନ୍ତି। ‘‘ଶୁବମନ ଗିଲଙ୍କୁ ତାଙ୍କ ଟେଷ୍ଟ୍ ମ୍ୟାଚ୍‌ ବ୍ୟାଟିଂ ଉପରେ ଅଧିକ କାମ କରିବାକୁ ପଡ଼ିବ। ବିଶେଷ କରି ଇଂଲଣ୍ଡ ଗସ୍ତରେ ଅଧିନାୟକତ୍ବର ଅତିରିକ୍ତ ଦାୟିତ୍ବ ମିଳିଥିବାରୁ ସେ ନିଜକୁ ୪ ନମ୍ବର ସ୍ଥାନକୁ ଖସାଇ ବ୍ୟାଟିଂ କରିବା ଉଚିତ’ ବୋଲି କହିଛନ୍ତି ସଦ୍ୟ ସମାପ୍ତ ଆଇପିଏଲ୍‌ରେ ରନର୍ ଅପ୍‌ ହୋଇଥିବା ପଞ୍ଜାବ କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ ପଣ୍ଟିଂ।

Advertisment

ବିରାଟ କୋହଲିଙ୍କ ଅବସର ପରେ ୪ ନମ୍ବର ସ୍ଥାନକୁ ନେଇ ବହୁ ଚର୍ଚ୍ଚା ଚାଲିଥିବା ବେଳେ ପଣ୍ଟିଂ କହିଛନ୍ତି, ‘‘ଅନ୍ତତଃ ଟେଷ୍ଟ୍‌ ନେତୃତ୍ବର ପ୍ରାରମ୍ଭିକ ପର୍ଯ୍ୟାୟରେ ଗିଲ୍‌ ଭାରତର ନୂଆ ୪ ନମ୍ବର ବ୍ୟାଟର୍‌ ହେବା ଭଲ’’। ଆଇପିଏଲ୍‌ ଫାଇନାଲ୍‌ ମ୍ୟାଚ୍‌ ଅବସରରେ ପଣ୍ଟିଂ କହିଛନ୍ତି, ‘‘ଗିଲ୍‌ଙ୍କ ଧଳାବଲ୍‌ ଫର୍ମ ଉଲ୍ଲେଖନୀୟ ଭାବେ ଭଲ। ଟେଷ୍ଟ୍ ମ୍ୟାଚ୍‌ ବ୍ୟାଟିଂ ଉପରେ କିନ୍ତୁ କିଛି କାମ କରିବାକୁ ପଡ଼ିବ। ନୂଆ ଅଧିନାୟକ ଭାବେ ଏବେ କାମଟି କେବେ ସହଜ ନୁହେଁ। ପୂର୍ବଭଳି ସମାନ ସ୍ତରର ବ୍ୟାଟିଂ କରିବା ବେଳେ ନେତୃତ୍ବ ନେବା ସମ୍ଭବ ହୋଇ ନଥାଏ’’। ନବନିଯୁକ୍ତ ଅଧିନାୟକ ଗିଲ୍‌ ପ୍ରଥମରୁ ଓପନିଂ କରୁଥିବା ବେଳେ ଗତବର୍ଷ ୩ ନମ୍ବର ସ୍ଥାନରେ ଖେଳୁଥିଲେ। ଗତବର୍ଷ ସିଡ୍‌ନି ଟେଷ୍ଟ୍‌ ପୂର୍ବରୁ ରୋହିତ ଶର୍ମା ନ ଖେଳିବାରୁ ଏବଂ ଯଶପ୍ରୀତ ବୁମ୍‌ରା ଆହତ ସମସ୍ୟାରେ ଥିବାରୁ ଗିଲ୍‌ଙ୍କୁ ନେତୃତ୍ବ ଦେବାକୁ ମୁଁ କହିଥିଲି। ବୁମରା ନେତୃତ୍ବ ନେଇଥିଲେ ବି ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ପଡ଼ିଆରେ ରହିପାରି ନଥିଲେ। ଅନ୍ୟପକ୍ଷରେ ବିଗତ କିଛି ବର୍ଷ ଭିତରେ ମୁଁ ବହୁବାର ଗିଲ୍‌ଙ୍କ ସହ ବ୍ୟାଟିଂ ଓ ନେତୃତ୍ବ ନେବା ସମ୍ପର୍କରେ ଆଲୋଚନା କରିଛି। ଗୁଜରାଟ ଟାଇଟନ୍ସ ପାଇଁ ବି ସେ ବଢ଼ିଆ କରିଛନ୍ତି, ଏଥିରେ କିଛି ସନ୍ଦେହ ନାହିଁ। ମୁଁ ନିଃସନ୍ଦେହ ଯେ ସେ ନିଶ୍ଚିତ ଭାବେ ଭାରତୀୟ କ୍ରିକେଟ୍‌ ସହ ପରବର୍ତ୍ତୀ ୧୦ ବର୍ଷ ରହ‌ିବେ। କିନ୍ତୁ କଠିନ ହାତରେ ଖେଳୁଥିବାର ଭୁଲ୍‌ କରିଥାନ୍ତି। ତାଙ୍କ ରକ୍ଷଣାତ୍ମକ ଟେକ୍‌ନିକ୍ ମଧ୍ୟ ପ୍ରଶ୍ନବାଚୀ ଲଗାଏ। ଟେଷ୍ଟ୍ ମ୍ୟାଚ୍‌ ବ୍ୟାଟିଂ ପାଇଁ ବି ମାନସିକ ଦୃଢ଼ତାର ଆବଶ୍ୟକତା ରହିଛି।

ଅବଶ୍ୟ ଏକକଥା ମଧ୍ୟ ସତ୍ୟ ଯେ ବହୁ ମହାନ ଖେଳାଳିଙ୍କ ରକ୍ଷଣାତ୍ମକ ଖେଳ ବି ଭଲ ନଥାଏ। ବୀରେନ୍ଦ୍ର ସେହବାଗ ଏହାର ଶ୍ରେଷ୍ଠ ଉଦାହରଣ। ତୁମେ ଯଦି ତୁମ ଷ୍ଟ୍ରୋକ୍‌କୁ ନିୟନ୍ତ୍ରଣ କରିପାରୁଥିବ ତେବେ ରକ୍ଷଣାତ୍ମକ ଖେଳକୁ ନେଇ ବିଶେଷ ଚିନ୍ତା କରିବାର କିଛି କାରଣ ନାହିଁ। କିନ୍ତୁ ତୁମକୁ ପ୍ରତି ବଲ୍ ପାଇଁ ୧୦୦ ପ୍ରତିଶତ ସଙ୍କଳ୍ପ ରଖିବାକୁ ପଡ଼ିବ। ପ୍ରତିଦିନ ୬/୭ ଘଣ୍ଟା ଖେଳିବା ସମୟରେ ବି ଏହା କରିବାକୁ ପଡ଼ିବ। ଭାରତ ଯଦି ଯଶସ୍ବୀ ଜୟସ୍ବାଲ ଓ ସାଇ ସୁଦର୍ଶନଙ୍କୁ ନେଇ ଓପନିଂ କରିବ ତେବେ ରାହୁଲ କିମ୍ବା ନାୟର ୩ ନମ୍ବରରେ ଏବଂ ଗିଲ୍‌ ୪ ନମ୍ବରରେ ବ୍ୟାଟିଂ କରିପାରିବେ। ଏଥିରେ ବଢ଼ିବା ପରେ ୩ ନମ୍ବର ସ୍ଥାନକୁ ସେ ଉଠିପାରିବେ। ସାଇ ସୁଦର୍ଶନଙ୍କୁ ଭାରତୀୟ ଦଳରେ ନିଆଯିବାକୁ ପଣ୍ଟିଂ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି। ‘‘ସୁଦର୍ଶନ ପ୍ରସ୍ତୁତ ଅଛନ୍ତି, ପ୍ରଥମ ଶ୍ରେଣୀରେ ପ୍ରଚୁର ରନ୍ କରିବା ପରେ ଆଇପିଏଲ୍‌ରେ ଅରେଞ୍ଜ୍ କ୍ୟାପ୍‌ ଜିତି ଅନେକଙ୍କୁ ପଛରେ ପକାଇଛନ୍ତି। ବୈ‌ଷୟିକ ଦୃଷ୍ଟି କୋଣରୁ ବି ସେ ଭଲ। କେଏଲ୍ ରାହୁଲ ବି ମଧ୍ୟକ୍ରମକୁ ଖସିଲେ ବ୍ୟାଟିଂରେ ଦୃଢ଼ତା ଆସିପାରିବ’’ ବୋଲି ପଣ୍ଟିଂ କହିଛନ୍ତି।