ଅଢ଼େଇ ଦିନରେ ଆତ୍ମସମର୍ପଣ

ବାଂଲାଦେଶର ଲଗାତାର ପାଳି ପରାଜୟ, ନ୍ୟୁଜିଲାଣ୍ଡ ୨-୦ରେ ଶୃଙ୍ଖଳା ବିଜୟୀ

ୱେଲିଂଟନ୍: ନ୍ୟୁଜିଲାଣ୍ଡ-ବାଂଲାଦେଶ ୱେଲିଂଟନ୍ ଟେଷ୍ଟ ଅଢ଼େଇ ଦିନରେ ଶେଷ ହୋଇ ଯାଇଛି। ପ୍ରଥମ ଦୁଇ ଦିନରେ ଗୋଟିଏ ହେଲେ ବି ବଲ୍ ପଡ଼ି ନପାରିବା ସତ୍ତ୍ବେ ପରବର୍ତୀ ତିନି ଦିନ ଭିତରେ ବାଂଲାଦେଶକୁ ନ୍ୟୁଜିଲାଣ୍ଡ ଦୁଇ ଥର ଅଲଆଉଟ୍ କରି ଦେଇଛି। ତା’ ସହ ତିନି ଟିକିଆ ଶୃଙ୍ଖଳାରେ ଲଗାତାର ଦ୍ବିତୀୟ ଥର ପାଇଁ ପାଳି ବିଜୟ ହାସଲ କରିଛି। ହାମିଲଟନ୍‌ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟକୁ ନ୍ୟୁଜିଲାଣ୍ଡ ଗୋଟିଏ ପାଳି ଓ ୫୨ ରନ୍‌ରେ ଜିତି ନେଇଥିଲା। ୱେଲିଂଟନ ଟେଷ୍ଟରେ ବି ସେହି ଗୋଟିଏ ପାଳି ଓ ୧୨ ରନ୍‌ରେ ବିଜୟୀ ହୋଇଛି। ତା ସହ ତିନି ଟିକିଆ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତି ନେଇଛି। ସେପଟେ ବାଂଲାଦେଶ ପୁଣି ଥରେ ନିଜ ଦୁଇଟି ଯାକ ପାଳି ମିଶାଇ ନ୍ୟୁଜିଲାଣ୍ଡର ଗୋଟିଏ ପାଳିକୁ ଟପି ପାରି ନାହିଁ। ନ୍ୟୁଜିଲାଣ୍ଡ ପ୍ରଥମ ପାଳିରେ ୪୩୨ (୬ ୱିକେଟ୍, ଘୋଷଣା) କରିଥିଲା ବେଳେ ବାଂଲାଦେଶ ତା’ର ଦୁଇଟି ଯାକ ପାଳିରେ ମୋଟ ୪୨୦ ରନ୍ କରିଛି। ଏହି ଦଳର ବ୍ୟାଟ୍ସମ୍ୟାନ୍ ଲଗାତାର ଦ୍ବିତୀୟ ଥର ପାଇଁ କିୱି ବୋଲରଙ୍କ ଆଗରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଛନ୍ତି।
ୱେଲିଟନର ବେସିନ୍ ରିଜର୍ଭଠାରେ ଖେଳାଯାଇଥିବା ବର୍ଷା ପ୍ରଭାବିତ ଦ୍ବିତୀୟ ଟେଷ୍ଟର ପ୍ରଥମ ଦୁଇ ଦିନର ଖେଳ ବାତିଲ ହୋଇ ଯାଇଥିଲା। ତୃତୀୟ ଦିନ ସକାଳେ ବାଂଲାଦେଶ ଟସ୍ ହାରି ବ୍ୟାଟିଂ କରିଥିଲା। କୋହଲା ପାଗରେ କିୱି ବୋଲରଙ୍କ ସମ୍ମୁଖୀନ ହୋଇ ନପାରି ମାତ୍ର ୨୧୧ ରନ୍‌ରେ ଅଟକି ଯାଇଥିଲା। ପାଗ ସୁଧୁରିବାର ଫାଇଦା ନେଇ ନ୍ୟୁଜିଲାଣ୍ଡ କିନ୍ତୁ ୬ ୱିକେଟ୍ ହରାଇ ୪୩୨ ରନ୍ କରି ନେଇଥିଲା। ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ନିଜ ତୃତୀୟ ଦ୍ବିଶତକ ହାସଲ କରିବା ପରେ ପରେ ଦଳ ପାଳି ଘୋଷଣା କରି ଦେଇଥିଲା। ପ୍ରଥମ ପାଳିରେ ୨୨୧ ରନ୍‌ରେ ପଛୁଆ ଥିବା ବାଂଲାଦେଶ ସୋମବାର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୮୦ ରନ୍‌ରେ ତିନି ଜଣ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ସେଥିପାଇଁ ବଳକା ୭ ୱିକେଟ୍‌ରେ ଏହି ଏସୀୟ ଦଳକୁ ମଙ୍ଗଳବାର ପଞ୍ଚମ ଦିନ ତମାମ ବ୍ୟାଟିଂ କରିବାର ଥିଲା। ହେଲେ ବାଂଲାଦେଶ ମାତ୍ର ୨୬ ଓଭର ଭିତରେ ଶେଷ ୭ ୱିକେଟ୍ ହରାଇ ଆଉ ଏକ ଲଜ୍ଜାଜନକ ପରାଜୟ ବରଣ କରିଥିଲା। ଅଧିନାୟକ ମହମ୍ମଦୁଲ୍ଲା ଲଢ଼ୁଆ ୬୭ ରନ୍ କରିଥିଲେ ମଧ୍ୟ ନିଜ ଦଳର ପରାଜୟକୁ ଏଡ଼ାଇ ପାରି ନଥିଲେ। ବାଂଲାଦେଶ ଶେଷରେ ୨୦୯ରେ ଅଲଆଉଟ୍ ହୋଇ ଯାଇଥିଲା। ରସ୍ ଟେଲର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ୨୧୧। ନ୍ୟୁଜିଲାଣ୍ଡ ୪୩୨/୬, ଘୋଷଣା। ବାଂଲାଦେଶ ଦ୍ବିତୀୟ ପାଳି ୫୬ ଓଭରରେ ୨୦୯ (ମହମ୍ମଦୁଲ୍ଲା ୬୭, ମହମ୍ମଦ ମିଥୁନ ୪୭, ସଦମନ ଇସଲାମ ୨୯, ସୌମ୍ୟ ସରକାର ୨୮, ଟ୍ରେଣ୍ଟ ବୋଲ୍ଟ ୪/୫୨, ନିଲ ୱାଗନର ୫/୪୫)।

ସମ୍ବନ୍ଧିତ ଖବର