ଟେଷ୍ଟ୍ କ୍ରିକେଟ୍ ମୋତେ ଭଲ ମଣିଷ କରିଛି: କୋହଲି
ଧୋନି ଓ ଡିଭିଲିୟର୍ସଙ୍କ ସହ ଖେଳିବାକୁ ଅଧିକ ପସନ୍ଦ କରେ
ମମ୍ବାଇ: ଟେଷ୍ଟ୍ କ୍ରିକେଟ୍ ଏଭଳି ଏକ ଫର୍ମାଟ ଯେଉଁଠି କଠୋର ସମୟରେ ବି ଛାଡ଼ିକି ଚାଲି ଯାଇ ହୁଏ ନାହିଁ। ଏହା ଠିକ୍ ଜୀବନର ପ୍ରତିନିଧିତ୍ବ କରିବା ଭଳି। ଟେଷ୍ଟ୍ କ୍ରିକେଟ୍ ଖେଳିବା ଦ୍ବାରା ମୁଁ ଜଣେ ଭଲ ମଣିଷ ହୋଇପାରିଛି। ଏଭଳି ଅନୁଭବିର କଥା କହିଛନ୍ତି ଭାରତୀୟ ଟେଷ୍ଟ୍ ଦଳର ଅଧିନାୟକ ବିରାଟ କୋହଲି। ଗୁରୁବାର ଇନ୍ଷ୍ଟାଗ୍ରାମ୍ ଲାଇଭ୍ କାର୍ଯ୍ୟକ୍ରମ ଅବସରରେ ନିଜ ଆର୍ସିବି ଆଇପିଏଲ୍ ସାଥୀ ଇଂଲଣ୍ଡର ପୂର୍ବତନ ବ୍ୟାଟସମ୍ୟାନ୍ କେଭିନ୍ ପିଟରସନ୍ଙ୍କ ସହ ଆଲୋଚନା ବେଳେ ଏଭଳି କହିଛନ୍ତି କୋହଲି। ନିଜୟ ପ୍ରିୟ ଫର୍ମାଟ୍ କେଉଁଟା ବୋଲି ପ୍ରଶ୍ନ ହେବାରୁ କୋହଲି କହିଥିଲେ, ‘ଟେଷ୍ଟ୍ କ୍ରିକେଟ୍, ଟେଷ୍ଟ୍ କ୍ରିକେଟ୍, ଟେଷ୍ଟ୍ କ୍ରିକେଟ୍, ଟେଷ୍ଟ୍ କ୍ରିକେଟ୍ ଏବଂ ଟେଷ୍ଟ୍ କ୍ରିକେଟ୍। ମୁଁ ୫ ଥର ଏହା କହିଲି। କାରଣ ଏହା ଜୀବନର ପ୍ରତିନିଧିତ୍ବ କରିଥାଏ। ତୁମେ ରନ୍ ପାଅ କି ନପାଅ, ଅନ୍ୟ ଜଣେ ରନ୍ ସଂଗ୍ରହ କରିବା ବେଳେ ତୁମକୁ ତାଳି ମାରିବାକୁ ପଡ଼ିବ। ନିଜ ରୁମ୍କୁ ଫେରିବାକୁ ପଡ଼ିବ ଏବଂ ପରବର୍ତୀ ଦିନ ଉଠି ପୁଣି ପଡିଆକୁ ଆସିବାକୁ ହେବ। ଏହାକୁ ପସନ୍ଦ କର କି ନ କର ଏଭଳି ଦୈନଦିନ ଅଭ୍ୟାସକୁ ଅନୁସରଣ କରିବାକୁ ପଡ଼ିବ। ଏହା ଠିକ୍ ଏକ ଜୀବନ ଭଳି ଯେଉଁଠି ପ୍ରତିଦ୍ବନ୍ଦ୍ବିତା କରିବାର ବିକଳ୍ପ ହିଁ ନଥାଏ। ସେଥି ପାଇଁ ଟେଷ୍ଟ୍ କ୍ରିକେଟ୍ ହିଁ ମୋତେ ଭଲ ମଣିଷ ଭାବେ ଗଢ଼ିତୋଳିଛି ବୋଲି ସମସ୍ତ ଫର୍ମାଟରେ ଭଲ ଖେଳୁଥିବା କୋହଲି କହିଛନ୍ତି। ଟେଷ୍ଟ୍ କ୍ରିକେଟ୍କୁ ସମର୍ଥନ କରି ପିଟରସନ୍ କହିଥିଲେ ‘ଆଇସିସିର ୪ ଦିନିଆ ଟେଷ୍ଟ୍ ପ୍ରସ୍ତାବକୁ କୋହଲି ପ୍ରତ୍ୟାଖାନ କରିଥିବାରୁ ସେ ଖୁସି। ଦର୍ଶକଙ୍କୁ ଆକର୍ଷିତ କରିବା ଲାଗି ଆଇସିସି ଏଭଳି ଯୋଜନା କରୁଥିଲା। କୋହଲି ମନା କରୁଛନ୍ତି ମାନେ କିଛି ହେବାର ନାହିଁ’। ଏହା ଶୁଣି କୋହଲି ମଧ୍ୟ ମନଖୋଲା ହସିଥିଲେ।
ଭଲ ମଣିଷ ସମ୍ପର୍କରେ ପ୍ରଶ୍ନ ହେବାରୁ କୋହଲି କହିଥିଲେ ସମଗ୍ର ବିଶ୍ବ ଏବେ କରୋନା ମହାମାରୀର ପ୍ରକୋପରେ ପୀଡ଼ିତ ଥିବାବେଳେ ମୁଁ ଜୀବନର ସମସ୍ତ ପ୍ରକାର ସୁବିଧାରେ ରହିଛି। ସମସ୍ତଙ୍କ ଆଶୀର୍ବାଦ ପାଇଛି। ଅନେକ ଲୋକ ଏବେ ଚାକିରି ପାଇଁ ସଂଘର୍ଷ କରୁଥିବା ବେଳେ ମୋତେ ଭଗବାନ ଏଭଳି ଜୀବନ ଦେଇଛନ୍ତି ଯେଉଁଥି ପାଇଁ ମୁଁ ଆନନ୍ଦରେ ଅଛି। ଏବେ ମୋର ଆଉ କିଛି ଅଭିଯୋଗ କରିବାର ନାହିଁ। କ୍ରିକେଟ୍ ପଡିଆରେ ଆକ୍ରମଣାତ୍ମକ ଆଚରଣ ପାଇଁ ପରିଚିତ କୋହଲି କହିଥିଲେ ‘ଏହା କ୍ରିକେଟ୍କୁ ଉପଭୋଗ କରିବାର ଏକ ରୂପ, ପରେ ହିଁ ମୁଁ କୌଶଳ କଥା ଚିନ୍ତା କରିଥାଏ। ମୁଁ କେବଳ ଜଣେ ଅଧିନାୟକ ବୋଲି ଭିନ୍ନ ଭାବେ ବ୍ୟବହାର କରିପାରିବି ନାହିଁ। ପେଟରେ କିଛି ରଖି ମୁଁ ବାହାରକୁ ଅଲଗା ହେବି ଏହା ମୋ ପକ୍ଷେ ସମ୍ଭବ ନୁହେଁ। କ୍ରିକେଟ୍କୁ ଉପଭୋଗ କରିବା ପରେ କୌଶଳ କରିବାର ଅଛି। କେବେ ବି ଯଦି ଜଣଙ୍କୁ ମୁଁ ଜୀବନରେ ସ୍ଲେଜିଂ କରିବାକୁ ଚାହିଁବି ନାହିଁ, ସେ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ। ଏହା ପଛରେ ସାଧାରଣ କଥାଟି ହେଉଛି ତାଙ୍କ ପ୍ରତି ମୋର ଢେର ସମ୍ମାନ ରହିଛି। ପରସ୍ପରକୁ ସମ୍ମାନ ଜଣାଇବା ଲାଗି ଆଇପିଏଲ୍ ଅନେକ କିଛି ଶିଖାଇଛି। ଏସବୁଠାରୁ ଅଧିକ ଲମ୍ବା ହୋଇଛି ଆମ ବଂଧୁତ୍ବ। ଦୁଇ ଜଣଙ୍କ ସହ ମୁଁ ବ୍ୟାଟିଂ ବେଳେ ଅଧିକ ଉପଭୋଗ କରିଥାଏ। ଜଣେ ହେଲେ ଏବି ଡି’ଭିଲିୟର୍ସ ଏବଂ ଅନ୍ୟ ଜଣଙ୍କ ମହେନ୍ଦ୍ର ସିଂହ ଧୋନି। ଏହି ଦୁଇ ଜଣଙ୍କ ସହ ବ୍ୟାଟିଂ ବେଳେ ମୋ ୱିକେଟ୍ ମଧ୍ୟରେ ଦୌଡ଼ିବାକୁ ସେମାନେ ଭଲ ଭାବେ ବୁଝିଥାନ୍ତି। ମୋ ଡାକକୁ ସେମାନେ ଭଲ ଭାବେ ଜାଣିଛନ୍ତି। ଏମଏସ୍ ଏବଂ ଏବିଙ୍କ ସହ ବ୍ୟାଟିଂ ସେଥି ପାଇଁ ଉପଭୋଗ୍ୟ ରହିଥାଏ। ଆମକୁ ଡାକିବାକୁ ପଡିନଥାଏ କାରଣ ସମସ୍ତେ ଅନ୍ୟକୁ ଜାଣିଛୁ ଏବଂ ବ୍ୟାଟିଂ ବେଳେ ପରସ୍ପରକୁ ନଜରରେ ରଖିଥାଉ। ନିଜ ସାକାହାରୀ ଭୋଜନ ସମ୍ପର୍କରେ କୋହଲି କହିଥିଲେ, ୨୦୧୮ ମସିହାର ଦକ୍ଷିଣ ଆଫ୍ରିକା ଗସ୍ତରେ ସର୍ବିକାଲ ସ୍ପାଇନ୍ ସମସ୍ୟା ଦେଖାଦେବା ପରଠାରୁ ମୁଁ ଏଭଳି ନିଷ୍ପତ୍ତି ନେଇଛି। ‘ବସ୍ତୁତଃ ମୁଁ ମୋ କାଣି ଆଙ୍ଗୁଠିରେ କିଛି ଅନୁଭବ କରିପାରୁନାହିଁ, ପେଟରେ ୟୁରିକ୍ ଏସିଡିକ୍ ସମସ୍ୟା ଏବଂ ଅସ୍ଥିରୁ କ୍ୟାଲସିୟମ୍ ବାହାରୁଥିଲା। ଏସିଡିକ୍ ସମସ୍ୟା କମାଇବା ପାଇଁ ସେବେଠାରୁ ମାଂସ ଖାଇବା ଛାଡି ଦେଇଛି, ଏବେ କିଛି ଖରାପ ଅନୁଭବ କରୁନାହିଁ।
କୋହଲି ଆଗରୁ କହିଥିଲେ ୨୦୨୩ ପର୍ଯ୍ୟନ୍ତ ସବୁ ଫର୍ମାଟ୍ ଖେଳିବେ ଓ ନିଷ୍ପତ୍ତି ନେବେ। ୨୦୧୪ ମସିହାର ଇଂଲଣ୍ଡ ଗସ୍ତ ତାଙ୍କ ଖେଳ ଜୀବନର ସବୁଠୁ ଖରାପ ସମୟ ଥିଲା। ସେତେବେଳେ ମନ ଭିତରେ ଏଭଳି ଅନୁଭବ ଆସିଥିଲା ଯେ ଲାଗୁଥିଲା ଆଉ ରନ୍ ସଂଗ୍ରହ କରିବା ମୋ ଦ୍ବାରା ହେବ ନାହିଁ। ସକାଳୁ ଉଠି ଭାବୁଥିଲି ଆଜି ବି ରନ୍ କରିପାରିବି ନାହିଁ। ଯିବି ଓ ଆଉଟ୍ ହୋଇଯିବି। ଏଭଳି ଲାଗୁଥିଲା ଧୂଳିସାତ୍ ହୋଇଯିବି। ମୁଁ କିନ୍ତୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲି। ‘ନିଜକୁ ଆଉ ଏଭଳି ହେବାକୁ ଦେବି ନାହିଁ’। ଅନେକଙ୍କ ନାୟକ ଭାବେ ପରିଚିତ କୋହଲିଙ୍କର ମଧ୍ୟ ନିଜସ୍ବ ନାୟକ ରହିଛନ୍ତି। ସେ ହେଉଛନ୍ତି ପର୍ତ୍ତିୁଗାଲ୍ ଫୁଟ୍ବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ। ମେସିଙ୍କଠାରୁ ବି ରୋନାଲ୍ଡୋଙ୍କୁ ଅଧିକ ଭଲ ପାଆନ୍ତି କୋହଲି।
‘ଅଧିନାୟକ ବୋଲି ଅଲଗା ବ୍ୟବହାର କରିପାରିବି ନାହିଁ’
ନ୍ୟୁଜିଲାଣ୍ଡ୍ ଗସ୍ତରେ ୦-୨ ଟେଷ୍ଟ୍ ଶୃଙ୍ଖଳା ପରାଜୟ ପରେ କୋହଲିଙ୍କୁ ଜଣେ ସାମ୍ବାଦିକ ଆକ୍ରମଣାତ୍ମକ ଆଭିମୁଖ୍ୟରେ କିଛି ପରିବର୍ତନ ଆସିବ ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ କୋହଲି କ୍ଷୁବ୍ଧ ହୋଇଥିଲେ। ସେ ସମ୍ପର୍କରେ କୋହଲି ଗୁରୁବାର କହିଥିଲେ ‘ମୁଁ ମୋ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପରିବର୍ତନ କରି ଖେଳିପାରିବି ନାହିଁ। କେବଳ ଅଧିନାୟକ ବୋଲି ଭିନ୍ନ ଭାବେ ବ୍ୟବହାର କରିପାରିବି ନାହିଁ। ପେଟ ଭିତରର ଜ୍ବାଳାକୁ ରୋକି ମୁଁ ଖେଳିପାରିବି ନାହିଁ। ମୁଁ ଧୋନିଙ୍କ ଅଧୀନରେ ଖେଳିଥିବା ବେଳେ କାନ ତାଙ୍କ ପାଖରେ ଥାଏ। ଠିକଣା ସମୟରେ ଠିକଣା ଜାଗାରେ ପହଞ୍ଚିଥାଏ। ମୁଁ ଦୃଢ଼ତାର ସହ କହୁଛି ଯେଉଁଦିନ ଏଭଳି ଭାବିବି ନାହିଁ ସେଠାରୁ ଏହା ବନ୍ଦ ହୋଇଯିବ। ସବୁଠାରୁ ବଡ଼ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦଳକୁ ଜିତାଇବାକୁ ମୁଁ ଯଥା ସମ୍ଭବ ଅଧିକ ଅବଦାନ ଦେବି। ଏଭଳି ମାନସିକତାରେ ପରିବର୍ତନ କରାଯିବା ଉଚିତ୍ ନୁହେଁ। ଭାରତରେ ଅନେକ ଲୋକ ଅନେକ କଥା କହିବେ, କିନ୍ତୁ ସବୁ କଥାକୁ ପଛରେ ପକାଇ ତୁମ ସମ୍ମୁଖରେ ଥିବା ସୁଯୋଗର ସଦ୍ବ୍ୟବହାର କରିବା କଥା। ଆଗରୁ ପ୍ରତି ୩/୪ ବର୍ଷରେ ଇଂଲଣ୍ଡ ଯିବାକୁ ପଡୁଥିଲା ଏବେ ତ ଆଇପିଏଲ୍ ପାଇଁ ପ୍ରତିବର୍ଷ ଖେଳାଳି ଆସୁଛନ୍ତି ଯାଉଛନ୍ତି। ଅନ୍ତର୍ଜାତୀୟ ଗସ୍ତ ବି ବଢ଼ିଯାଇଛି। ତେଣୁକରି କୌଣସି ଦେଶକୁ କୌଣସି ସ୍ଥାନରେ ହରାଇ ହେବ। ସବୁକିଛି ମାନସିକତା ଉପରେ ନିର୍ଭର କରେ ବୋଲି କୋହଲି ପ୍ରକାଶ କରିଥିଲେ।ଧୋନି ଓ ଡିଭିଲିୟର୍ସଙ୍କ ସହ ଖେଳିବାକୁ ଅଧିକ ପସନ୍ଦ କରେ
ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସଙ୍କ ସହ ବ୍ୟାଟିଂ କରିବାକୁ କୋହଲି ଅଧିକ ପସନ୍ଦ କରିଥାନ୍ତି। କେଭିନ୍ ପିଟରସନ୍ଙ୍କ ସହିତ ଇନ୍ଷ୍ଟାଗ୍ରାମ ଲାଇଭ୍ରେ ହୋଇଥିବା ଏକ ବାର୍ତ୍ତାଳାପରେ କୋହଲି ଏହି ମତ ରଖିଛନ୍ତି। ଯେଉଁମାନେ ତାଙ୍କ ଭଳି ପିଚ୍ରେ ଦ୍ରୁତ ଭାବେ ଦୌଡ଼ିପାରୁଥିବେ ସେଭଳି ଖେଳାଳିଙ୍କ ସହ ଖେଳିବାକୁ ସେ ଭଲପାଇଥାନ୍ତି। ତେଣୁ ଧୋନିଙ୍କୁ ସାଥୀ କରି ଭାରତ ପାଇଁ ଆମେ ଅନେକ ମ୍ୟାଚ୍ ଖେଳିଥିଲା ବେଳେ ଆଇପିଏଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ ବାଙ୍ଗାଲୋର (ଆରସିବି) ପକ୍ଷରୁ ଖେଳୁଥିବା ବେଳେ ଡିଭିଲିୟର୍ସଙ୍କ ସହ କରିଥିବା ବ୍ୟାଟିଂ ଭାଗୀଦାରିରେ ସେ ଖୁବ୍ ମଜା ଉଠାଇଥିବା କୋହଲି କହିଛନ୍ତି। ଧୋନିଙ୍କ ନେତୃତ୍ବ ସମୟରେ ୨୦୦୮ରେ କୋହଲି ଶ୍ରୀଲଙ୍କାରେ ଆନ୍ତର୍ଜାତିକ କ୍ରିକେଟରେ ପଦାର୍ପଣ କରିଥିଲେ। ଏଥିସହିତ ଧୋନିଙ୍କ ନେତୃତ୍ବ ସମୟରେ ସେ ସର୍ବାଧିକ ୧୯ ଶତକ ମାରି ଏକ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ଅପରପକ୍ଷେ ଡିଭିଲିୟର୍ସଙ୍କ ସହ ତାଙ୍କର ସମ୍ପର୍କ ୨୦୧୧ ମସିହାରୁ ଆରମ୍ଭ ହୋଇଛି। ସେହିବର୍ଷ ଆଇପିଏଲ୍ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଡିଭିଲିୟର୍ସ କିଣା ହୋଇଥିଲା ବେଳେ ଉଭୟ କୋହଲି ଓ ଡିଭିଲିୟର୍ସ ୯ଟି ସଂସ୍କରଣରେ ମିଳିତ ଭାବେ ଖେଳିଛନ୍ତି। ଏପରିକି ଡିଭିଲିୟର୍ସଙ୍କ ସହ ବ୍ୟକ୍ତିଗତ ସମ୍ପର୍କରେ କୌଣସି ଫାଟ ସୃଷ୍ଟି ନହେବା ପାଇଁ ତାଙ୍କ ସହ ସ୍ଲେଜିଂ କରିବାକୁ କେବେ ଚିନ୍ତା କରିନଥିବା କୋହଲି କହିଛନ୍ତି। ଏହାବ୍ୟତୀତ ଭାରତୀୟ ଦଳକୁ ବିଶ୍ବର ଶ୍ରେଷ୍ଠ କ୍ଷେତ୍ରରକ୍ଷଣ ଦଳ ଭାବେ କୋହଲି ଏହି ବାର୍ତ୍ତାଳାପରେ କହିଛନ୍ତି।ଆଇପିଏଲ୍ରେ ଆର୍ସିବି ସହ ଉଭୟ କୋହଲି ଓ ପିଟରସନ ୨୦୦୯ ଓ ୨୦୧୦ରେ ମିଳିତ ଭାବେ ଖେଳିଥିଲେ। ସେତେବେଳେ ଜାକ୍ସ କାଲିସ୍, ମାର୍କ ବାଉଚର, ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ଼ଙ୍କ ଭଳି ପିଟରସନ୍ ଜଣେ ବଡ଼ ତାରକା ଖେଳାଳି ଭାବେ ଦଳରେ ସାମିଲ ହୋଇଥିଲେ। ତେବେ ଆଇପିଏଲ୍ରେ ଆର୍ସିବି ତିନିଥର ଫାଇନାଲ୍କୁ ଯାଇଥିଲେ ବି ଉପବିଜେତାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କିନ୍ତୁ କୋହଲିଙ୍କ ମତରେ ଦଳ ବିଜେତା ହେବାକୁ ହକ୍ଦାର ଥିଲା। ଦଳରେ ଏକାଧିକ ତାରକା ଖେଳାଳି ରହିଥିବା ବିଷୟରେ ସବୁବେଳେ ଚର୍ଚ୍ଚା ହେଉଥାଏ। କିନ୍ତୁ ବିଜେତା ହେବା ପାଇଁ ଆମେ ଯେତେ ଅଧିକ ଚିନ୍ତା କରିବା, ଏହା ଆମଠୁ ସେତେ ଦୂରକୁ ଚାଲିଯିବ। ଯାହାକି ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ଚାପରେ ରଖିବ। ତେଣୁ ଆମେ ସେସବୁ ଚିନ୍ତା କରିବା ଅପେକ୍ଷା ଖେଳର ଭରପୂର ମଜା ଉଠାଇବା ଆବଶ୍ୟକ ରହିଥିବା କୋହଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ।